ଝାରସୁଗୁଡ଼ା: ଦେଶରେ କୋଇଲା ସଂକଟ ଉଗ୍ର ହୋଇଥିବା ନେଇ କୁହାଯାଉଛି। ଏହି ସଂକଟ ଯୋଗୁଁ  ବହୁ କଳ କାରଖାନା ବନ୍ଦ ହେବା ଆଶଙ୍କା ସୃଷ୍ଟି ହୋଇଛି। ଛୋଟ ଛୋଟ କାରଖାନା ତାର ଅସ୍ତିତ୍ବ ହରାଇ ସାରିଛନ୍ତି। କୋଇଲାକୁ ନେଇ ଚାଲୁଥିବା ହଜାର ହଜାର ଛୋଟ ବ୍ୟବସାୟୀ ଦୀର୍ଘଦିନରୁ ତାଙ୍କୁ ବ୍ୟବସାୟରେ ତାଲା ମାରି ଦେଇ ସାରିଲେଣି। ତାପଜ ବିଦ୍ୟୁତ ଉତ୍ପାଦନ ପ୍ରଭାବିତ ହେଉଥିବା କହି ବିଦ୍ୟୁତ ଯୋଗାଣରେ  କଟକଣା ଲାଗୁ କରାଯାଇଛି। ବିଦ୍ୟୁତ ଦେୟ ଅନେକ ଗୁଣ ଅଧିକ କରାଯାଇ ଥିବାରୁ ଏହାକୁ ସାମନା କରିନପାରି ବହୁ ଛୋଟ ବ୍ୟବସାୟ ଅଚଳ ହୋଇ ପଡ଼ିଲାଣି।

Advertisment

ଏଭଳି ପରିସ୍ଥିତିରେ କୋଇଲା ପରିଚାଳନା ସଠିକ୍‌ ଢ଼ଙ୍ଗରେ ହେଉନଥିବାରୁ  ସମସ୍ୟାକୁ ଆହୁରି ଜଟିଳ ଆଡ଼କୁ ଯାଉଥିବା ଦେଖା ଯାଉଛି। ଶହ ଶହ ବର୍ଷ ଧରି କୋଇଲା ଉତ୍ତୋଳନ କରାଯାଉଥିବା ଖଣି ଗୁଡ଼ିକରୁ  ପ୍ରତିବର୍ଷ ବେଆଇନ ଭାବରେ ହଜାର ହଜାର କୋଟି ଟଙ୍କାର କୋଇଲା ବାଟମାରଣା ହେଉଥିବା ବେଳେ ରାଜ୍ୟ ଓ କେନ୍ଦ୍ର ସରକାର ଆଖିବୁଜି ଏହାକୁ ସହ୍ୟ କରି ଯାଉଥିବା ବେଳେ ଏବେ କୋଇଲା ସଂକଟ ଦେଶର ଆର୍ଥନୀତିକୁ ବିପର୍ଯ୍ୟସ୍ତ  କରିବାକୁ ଯାଉଛି। ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ଓ ବ୍ରଜରାଜନଗର ଅଞ୍ଚଳରେ ଶହ ଶହ ବର୍ଷ ଧରି କୋଇଲା ଉତ୍ପାଦନ ହେଉଥିବା ଖଣି ଗୁଡ଼ିକ ଏବେ କେନ୍ଦ୍ର ସରାକରଙ୍କ ନିୟନ୍ତ୍ରଣରେ ରହିଛି। ପୂର୍ବରୁ ବେସରକାରୀ ସଂସ୍ଥା କୋଇଲା ଖଣି ଗୁଡ଼ିକ ପରିଚାଳନା କରୁଥିବା ବେଳେ ୧୯୭୩ ମସିହାରେ ଖଣି ଗୁଡ଼ିକୁ ଜାତୀୟକରଣ କରାଯାଇ ସରକାର ହାତକୁ ନେଇଥିଲେ। ଝାରସୁଗୁଡ଼ା ଜିଲ୍ଲାର କୋଇଲା ଖଣି ଗୁଡ଼ିକ ଜାତୀୟ ଓ ରାଜ୍ୟ ରାଜକୋଷକୁ  ବର୍ଷ ବର୍ଷ ଧରି ସମୃଦ୍ଧ କରି ଆସୁଥିବା ବେଳେ ଦେଶର ଅର୍ଥନୈତିକ ପ୍ରଗତିରେ ଅନ୍ୟତମ ପ୍ରମୁଖ ଭାଗିଦାର ମଧ୍ୟ ସାଜି ଆସୁଛି।

ଝାରସୁଗୁଡ଼ା ଜିଲ୍ଲାର କୋଇଲା ଦେଶର ଆର୍ଥନୀତିକୁ ସହଯୋଗ କରୁଥିବା ବେଳେ ଏହି ଜିଲ୍ଲାର କୋଇଲା ଖଣି ଓ କ୍ବାର୍ଜାଇଟ ଖଣି ଗୁଡ଼ିକର ସୁପରିଚାଳନା ପାଇଁ ସରକାରଙ୍କ ଉଦ୍ୟମର ଘୋର ଅଭାବ ରହିଛି। ଝାରସୁଗୁଡ଼ା ଠାରେ କୋଇଲା ଖଣି ଓ କ୍ବାର୍ଜାଇଟ୍‌ ଖଣି ଥିବା ବେଳେ ଖଣି ଠାରୁ  ୭୦ କିମି ଦୂର ସମ୍ବଲପୁର ଠାରେ ଖଣି ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ରହିଛି। ଝାରସୁଗୁଡ଼ାରେ ଖଣି ଥିବା ବେଳେ ଏଠାରେ ଖଣି ବିଭାଗର କୌଣସି ଦପ୍ତର ନାହିଁ। ପୂର୍ବରୁ ଏଠାରେ ସହକାରୀ ଖଣି ଅଧିକାରୀଙ୍କ ଏକ କାର୍ଯ୍ୟାଳୟ ଥିଲା। ୨୦୧୦ ମସିହାରୁ ଏହି କାର୍ଯ୍ୟାଳୟକୁ ବନ୍ଦ କରି ଦିଆଯାଇଥିଲା। ଏହି କାର୍ଯ୍ୟାଳୟ କୋଠା ଏବେ ମଧ୍ୟ ଭୂତକୋଠି ଭାବରେ ପଡ଼ି ରହିଛି। ଜିଲ୍ଲାରେ ଭରପୁର ଖଣି ରହିଥିବା ବେଳେ ଖଣି ବିଭାଗର କୌଣସି କତ୍ତୃତ୍ବ ଏଠାରେ ନାହିଁ। ସାମନ୍ୟ ଛୋଟ କାମ ଟିଏ ପାଇଁ ବ୍ୟବସାୟୀ, ଠିକାଦାର, ଟ୍ରନ୍ସପୋର୍ଟର ମାନଙ୍କୁ ୭୦ କିମି ଦୂର ଉପନିର୍ଦ୍ଦେଶକଙ୍କ କାର୍ଯ୍ୟ‌ାଳୟକୁ ଯିବାକୁ ପଡ଼ିଥାଏ।  କୋଇଲା ଖଣି ତଦାରଖ ଯାଞ୍ଚ ପାଇଁ ଖଣି ବିଭାଗର କୌଣସି ଏନ୍‌ଫୋର୍ସମେଣ୍ଟ  ଦଳ ନଥିବାରୁ  କୋଇଲା ଚୋରି, ବେଆଇନ କୋଇଲା ଚାଲାଣ ରୋକିବା ସମ୍ଭବ ହେଉନାର୍ହି।

publive-image

କୋଇଲା ଯେତିକି ଉତ୍ପାଦନ ହେଉଛି ସେଥିରୁ ସିଂହଭାବ ବହୁ ପ୍ରଭାବଶାଳୀ ରାଜନେତା, ଦୁର୍ନୀତିଗ୍ରସ୍ତ ପୁଲିସ କର୍ମଚାରୀ, ମାଫିଆ,  ଭଡ଼ାଟିଆ ଗୁଣ୍ଡା ଓ କିଛି ସରକାରୀ ଅଧିକାରୀଙ୍କ ପାଖକୁ ଚାଲି ଯାଉଛି। କୋଇଲା ଟଙ୍କାରେ ବହୁ  ଅଣଓଡ଼ିଆ ପ୍ରତିପତ୍ତିଶାଳୀ ହୋଇ ଉଠିଛନ୍ତି। ପ୍ରତିଦିନ ବିଭାଗୀୟ ଅଧିକାରୀ ମାନେ ବିଭିନ୍ନ ଖଣି ଖାଦାନ ପରିଦର୍ଶନ କରି ଖଣିଜ ଉତ୍ପାଦନ ଓ ଉତ୍ତୋଳନର ହିସାବ କିତାବ, ନିୟମିତ ଯାଞ୍ଚ, ଖଣିଜ ସମ୍ପଦର ସୁରକ୍ଷା ଏବଂ ଚୋରି ରୋକିବା ସହିତ ଜନସାଧାରଣଙ୍କ ସୁବିଧା ସୁଯୋଗ ଅନୁଧ୍ୟାନ କରିବା ବନ୍ଦ ହୋଇ ଯାଇଛି। ପୂର୍ବରୁ  ଜିଲ୍ଲାରେ ଖଣି ବିଭାଗ ଅଫିସ ଥିବା ବେଳେ ଖଣି ବିଭାଗ ଅଧିକାରୀ ମାନେ ଅହରହ  ପଇଁତରା ମାରୁଥିବାରୁ  ବେଆଇନ କୋଇଲା କାରବାରରେ ଅଙ୍କୁଶ ଲାଗୁଥିଲା। ଖଣି ବିଭାଗର ନିରବତା ଏବେ କୋଇଲା ଚୋରିକୁ ପ୍ରୋତ୍ସାହିତ କରିଥିବା ବେଳେ ବେଆଇନ ଡିପୋ ମାନ ଖୋଲି ଯାଇଛି।  କୋଇଲା ଚୋରି ରୋକିବା ପାଇଁ ସରକାରୀ ଭାବ‌େ କୌଣସି ବ୍ୟବସ୍ଥା ନଥିବାରୁ  ପୁଲିସ ସମୟ ସୁବିଧା ହେଲେ ବାଇକ ଓ ସାଇକେଲରେ ଚୋରି କରୁଥିବା କିଛି ମଳିମୁଣ୍ଡିଆଙ୍କୁ ଧରି କୋର୍ଟ ଚାଲାଣ କରିଥାଏ। ଜିଲ୍ଲାରେ କୋଇଲା ଖଣିକୁ  ଦେଖି ତତ୍କାଳୀନ ଜିଲ୍ଲାପାଳ ବି. ପରମେଶ୍ବର ଝାରସୁଗୁଡ଼ାରେ ଖଣି ଉପ ନିର୍ଦ୍ଦେଶକ କାର୍ଯ୍ୟାଳୟ ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ଏକ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବ ସରାକରୀ ନାଲିଫିତା ତଳେ ଚାପି ହୋଇ ରହିଯାଇଥିଲା। ଝାରସୁଗୁଡ଼ାରେ ଖଣି ବିଭାଗର ଏକ କାର୍ଯ୍ୟାଳୟ ଖୋଲିଲେ ଜିଲ୍ଲାର ଖଣିଜ ସମ୍ପଦର ଆକଳନ, ଖଣିର ନିୟମିତ ଯ‌ାଞ୍ଚ, ଖଣିଜ ସଂପଦ ଚୋରିକୁ ରୋକାଯିବାରେ ସମ୍ଭବ ହୋଇ ପାରନ୍ତା।