ଐତିହ୍ୟ କରିଡର୍‌: ଲାଗିରହିଛି କେଁ, ନିର୍ମାଣ ସ୍ଥାନରେ ଓକିଲଙ୍କ ପ୍ରତିବାଦ

ଜିଲ୍ଲାପାଳଙ୍କୁ ଭେଟିଲେ ଆଇନଜୀବୀ, ବାହାରିଲାନି ନିର୍ଯାସ
ଜନସ୍ବାର୍ଥ ମାମଲା ଦାୟର କରିବ ଆଇନଜୀବୀ ସଂଘ

ପୁରୀ : ଶ୍ରୀମନ୍ଦିର ପ୍ରତି ଆଞ୍ଚ ନ ଆସିବା ପାଇଁ ଚତୁଃପାର୍ଶ୍ବକୁ ସମ୍ବେଦନଶୀଳ ଅଞ୍ଚଳ ଘୋଷଣା କରାଯାଇଛି। ମନୁଷ୍ୟକୃତ କମ୍ପନର ପ୍ରଭାବ ନ ପଡ଼ିବା ପାଇଁ କଡ଼ା ଆଇନ ପ୍ରଣୟନ ହୋଇଛି। କିନ୍ତୁ ସବୁ ଆଇନକୁ ଜଳାଞ୍ଜଳି ଦେଇ ଖୋଦ୍‌ ପ୍ରଶାସନ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ବିରାଟ ଗର୍ତ୍ତ ସୃଷ୍ଟି କରିବାରେ ଲାଗିଛି। ବିସ୍ତୃତ ଅଞ୍ଚଳରେ ଗଭୀର ଗର୍ତ୍ତ ସୃଷ୍ଟି ସହ ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇଛି। ତେଣୁ ଏହାକୁ ନେଇ ଜନ ଆକ୍ରୋଶ ଶାଣିତ ହେବାରେ ଲାଗିଛି। ଗତକାଲି ପୁରୀ ଆଇନଜୀବୀ ସଂଘ ଏହି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନେଇ ବୈଠକ କରିବା ପରେ ଶୁକ୍ରବାର ଦିନ ସଂଘର ସଭାପତି ଭଗବାନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଇନଜୀବୀମାନେ ପଶ୍ଚିମ ଦ୍ବାର ଓ ଦକ୍ଷିଣ ଦ୍ବାର ନିକଟରେ ଚାଲିଥିବା ନିର୍ମାଣାଧୀନ ଐତିହ୍ୟ କରିଡର୍‌ ସ୍ଥାନରେ ପହଞ୍ଚି ଏହାର ପ୍ରତିବାଦ କରିଛନ୍ତି।

ଘଟଣାସ୍ଥଳ ପରିଦର୍ଶନ ପରେ ଆଇନଜୀବୀ ସଂଘ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ୩୦ ମିନିଟ୍‌ ଧରି ଆଲୋଚନା କରିଥିଲେ। କିନ୍ତୁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଉତ୍ତରରେ ସନ୍ତୁଷ୍ଟ ହୋଇପାରିନି ଆଇନଜୀବୀ ସଂଘ। ସଂଘର ସମ୍ପାଦକ ଆଇନଜୀବୀ ଶାରଦା ସାମଲ କହିଛନ୍ତି, କମ୍ପନ ଯୋଗୁଁ ହିଁ ପଶ୍ଚିମ ଦ୍ବାର‌ ପାର୍ଶ୍ବରେ ପ୍ରଭୁ ନୃସିଂହଙ୍କଠାରୁ ହିରଣ୍ୟକଶ୍ୟପୁ ତଳକୁ ଖସି ପଡ଼ିଥିଲେ। ଏଥିରେ ଜଣେ ସେବାୟତ ମଧ୍ୟ ଆହତ ହୋଇଥିଲେ। ତେଣୁ ଯଦି ସାମାନ୍ୟ ପ୍ରଭାବରେ ମୂର୍ତ୍ତି ପ୍ରତି ବିପଦ ଦେଖାଦେଉଛି, ତେବେ ଏତେ ବଡ଼ ଗର୍ତ୍ତ ସୃଷ୍ଟି କରିବା ଦ୍ବାରା ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି ହେବା ସ୍ବାଭାବିକ। କିନ୍ତୁ ଜିଲ୍ଲାପାଳ ସମର୍ଥ ବର୍ମା କହିଥିଲେ ଏ ନେଇ ନାସନାଲ ମନୁମେଣ୍ଟ ଅଥରିଟି ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ଦେଇଛି। ବିକାଶ କାର୍ଯ୍ୟରେ କାହିଁକି ବାଧକ ହେଉଛ ବୋଲି ମଧ୍ୟ ପ୍ରଶ୍ନ କରିଥିଲେ। ତେବେ ଏହାର ଜବାବରେ ଓକିଲ ସଂଘ ପକ୍ଷରୁ କୁହାଯାଇଥିଲା ଆମେ ବିକାଶ କାର୍ଯ୍ୟର ବିରୋଧୀ ନୁହେଁ, ବିନାଶ କାର୍ଯ୍ୟର ବିରୋଧ କରୁଛୁ।

ଯଦି ଏହାକୁ ପ୍ରଶାସନ ଅଣଦେଖା କରେ, ତେବେ ବାଧ୍ୟ ହୋଇ ଜନସ୍ବାର୍ଥ ମାମଲା ଦାୟର କରିବୁ ବୋଲି ଶ୍ରୀ ସାମଲ କହିଛନ୍ତି। ସୋମବାର ଏ ସଂକ୍ରାନ୍ତରେ ଆଉ ଏକ ବୈଠକ ଡକାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

ଆଇନଜୀବୀ ସଂଘ ପକ୍ଷରୁ ତପନ ବାରିକ, ଜୟଦେବ ମିଶ୍ର, ଆଦିତ୍ୟ ହୃଦୟ ମିଶ୍ର, ରୁଦ୍ରନନ୍ଦନ ମିଶ୍ର, ଜ୍ୟୋତିପ୍ରକାଶ ମିଶ୍ର, ଅନିଲ କୁମାର ରାୟ, ରମେଶ ପ୍ରଧାନ, ଶରତ ରାୟଗୁରୁ, ପ୍ରିୟଦର୍ଶନ ପଟ୍ଟନାୟକ, କାଳୀପ୍ରସାଦ ନାୟକ, ଦେବବ୍ରତ ମହାପାତ୍ର, ସୁବ୍ରତ ମିଶ୍ର, ରମେଶ ସିଂହ, ବିଶ୍ବଭୂଷଣ ବାରିକ ପ୍ରମୁଖ ଶ୍ରୀମନ୍ଦିର ଐତିହ୍ୟ କରିଡର ଖନନ କାର୍ଯ୍ୟାଳୟରେ ପ୍ରତିବାଦ କରିଥିଲେ।

ସମ୍ବନ୍ଧିତ ଖବର