ଝୁଲିଲା ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ

ଶ୍ରୀମନ୍ଦିର ପରିଦର୍ଶନ କଲେ ପ୍ରତ୍ନତତ୍ତ୍ବ ବିଭାଗ ଡିଜି, ୧୦୦ ମିଟର ପରେ ପ୍ରକଳ୍ପ କାମ କରିବାକୁ କହିଲେ

ଅନୁମୋଦନ ପୂର୍ବରୁ ଦେଖିଲେ ପ୍ରକଳ୍ପର ରୂପରେଖ, ଭିଡିଓ ଚିତ୍ର

ପୁରୀ : ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପର ଶିଳାନ୍ୟାସ ପରେ ପ୍ରାଥମିକ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଅଦ୍ୟାବଧି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଏହାକୁ ଅନୁମୋଦନ ଦେଇନି। ଏବେ ବି ଏନ୍‌ଏମ୍‌ଏ ମାର୍ଗଦର୍ଶିକା ଅନୁଯାୟୀ କାମ କରିବା ଜିଦ୍‌ରେ ଅଟଳ ରହିଛି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ। ଯେଉଁଥିପାଇଁ ପ୍ରକଳ୍ପ କାମରେ ସେତେଟା ଅଗ୍ରଗତି ହୋଇନି। ଏଭଳି ସ୍ଥିତିରେ ସୋମବାର ଦିନ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଡିଜି ଭି. ବିଦ୍ୟାଭାରତୀ ଶ୍ରୀମନ୍ଦିର ପରିଦର୍ଶନରେ ଆସିଥିଲେ। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ୧୦୦ ମିଟର ପରିଧି ବାହାରେ ନିର୍ମାଣ କାର୍ଯ୍ୟ ଲାଗି ଯୁକ୍ତି କରିଛନ୍ତି। ୭୫ ମିଟର ଭିତରେ କାମ ଶ୍ରୀମନ୍ଦିର ପାଇଁ ବିପଦ ବୋଲି କହିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପ୍ରତ୍ନତତ୍ତ୍ବ ବିଭାଗ ସହ ସମନ୍ବୟ ଭିତ୍ତିରେ କାମ କରୁନଥିବାରୁ ଉଦବେଗ ପ୍ରକାଶ କରିଛନ୍ତି। ଫଳରେ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପର ସ୍ବପ୍ନ ପୁଣିଥରେ ଝୁଲା ଅବସ୍ଥାକୁ ଚାଲିଯାଇଛି।

ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ନେଇ ଇତିମଧ୍ୟରେ ୭୫ ମିଟର ପରିଧିରେ ଜମି ଅଧିଗ୍ରହଣ ‌ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ୨୦୨୧ ମସିହାରେ ରାଜ୍ୟ କ୍ୟାବିନେଟ୍‌ ଓ ଶ୍ରୀମନ୍ଦିର ପରିଚାଳନା କମିଟି ପ୍ରକଳ୍ପର ନକ୍ସାରେ ଚୂଡ଼ାନ୍ତ ମୋହର ମାରିଛନ୍ତି। କିନ୍ତୁ ଏହି ନକ୍ସା ଅଦ୍ୟାବଧି ଏନ୍‌ଏମ୍‌ଏ ଅନୁମୋଦନ ଲାଭ କରିନି। ଏନ୍‌ଏମ୍‌ଏର ମାର୍ଗଦର୍ଶିକା ଅନୁଯାୟୀ, ଶ୍ରୀମନ୍ଦିରର ସୁରକ୍ଷା ଦୃଷ୍ଟିରୁ ଏହାର ୧୦୦ ମିଟର ପରିଧିରେ କୌଣସି ନିର୍ମାଣ କାର୍ଯ୍ୟ ହୋଇପାରିବନି। ଏଣୁ ଭକ୍ତ ଓ ସେବାୟତଙ୍କ ପାଇଁ ଶୌଚାଳୟ ଓ ଅନ୍ୟ କାଁ ଭାଁ ପ୍ରକଳ୍ପକୁ ବାଦ୍‌ଦେଲେ ଐତିହ୍ୟ କରିଡରର ବାକି ପ୍ରକଳ୍ପ ଏବେ ବି ପ୍ରତ୍ନତତ୍ତ୍ବ ବିଭାଗ ଅନୁମୋଦନ ଅପେକ୍ଷାରେ ରହିଛି। ଏବେ ବି ଶ୍ରୀମନ୍ଦିର ପ୍ରଶାସନିକ କୋଠା ସହ ଅନ୍ୟାନ୍ୟ ପ୍ରକଳ୍ପ ଅନୁମୋଦନ ଲାଭ କରିପାରିନି। ଯେଉଁଥିପାଇଁ ପ୍ରକଳ୍ପ କାର୍ଯ୍ୟ ବି ଆଗେଇ ପାରୁନି। ଶ୍ରୀମନ୍ଦିର ପ୍ରଶାସନର ଏକାଧିକ ଥର ଚିଠି ପରେ ଏହି ପ୍ରକଳ୍ପ ଅନୁମୋଦନ ପୂର୍ବରୁ ସୋମବାର ଦିନ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଡିଜି ଭି. ବିଦ୍ୟାଭାରତୀ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସହ ପ୍ରକଳ୍ପର ରୂପରେଖ ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନ, ଓବିସିସି ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି।

ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ପ୍ରତ୍ନତତ୍ତ୍ବ ବିଭାଗ ଡିଜିଙ୍କ ଉପସ୍ଥିତିରେ ସୋମବାର ଦିନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା, ଆରକ୍ଷୀ ଅଧୀକ୍ଷକ ଡ. କେ. ବିଶାଳ ସିଂହ, ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କ ସମେତ ଓବିସିସି, ପ୍ରକଳ୍ପ କାମର ଟେଣ୍ଡର ନେଇଥିବା ଟାଟା ପ୍ରୋଜେକ୍ଟର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଭୂମିପୁତ୍ର ସଂସ୍ଥା ପକ୍ଷରୁ ପ୍ରୋଜେକ୍ଟର୍‌ ଜରିଆରେ ପ୍ରକଳ୍ପର ଭିଡିଓ ଚିତ୍ର ସହ ଚୂଡ଼ାନ୍ତ ନକ୍ସା ଡିଜିଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଛି। ଭିଡିଓ ଜରିଆରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳଙ୍କ ସହ ଅନ୍ୟ ଅଧିକାରୀମାନେ ପ୍ରତ୍ନତତ୍ତ୍ବ ବିଭାଗ ଡିଜିଙ୍କୁ ପ୍ରକଳ୍ପ ସଂପର୍କରେ ଟିକିନିଖି ବୁଝାଇଛନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ବ ବୁଲାଇ ପ୍ରକଳ୍ପ କାମ ଦେଖାଇଛନ୍ତି। ଡିଜି ନିଜେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ବୁଲି ପଶ୍ଚିମଦ୍ବାର ସମ୍ମୁଖ ଓ ପୂର୍ବଦ୍ବାର-ଦକ୍ଷିଣଦ୍ବାର କୋଣ ଏମାର ମଠ ଜାଗାରେ ଚାଲିଥିବା ଖନନସ୍ଥଳ ନିକଟରୁ ଅନୁଧ୍ୟାନ କରିଛନ୍ତି।

ଆଲୋଚନା ପରେ ଭି. ବିଦ୍ୟାଭାରତୀ ଶ୍ରୀମନ୍ଦିରର ୧୦୦ ମିଟର ପରିଧି ବାହାରେ ନିର୍ମାଣ କାର୍ଯ୍ୟ କରିବାକୁ ଯୁକ୍ତି ବାଢ଼ିଛନ୍ତି। ୭୫ ମିଟର ପରିଧିରେ ନିର୍ମାଣ ତଥା ଖନନ କାର୍ଯ୍ୟ କଲେ ଶ୍ରୀମନ୍ଦିର ପାଇଁ ବିପଦ ଥିବା ଯୁକ୍ତି ଦର୍ଶାଇଛନ୍ତି। କୌଣସି ପ୍ରକଳ୍ପ କାମ କରିବା ପୂର୍ବରୁ ପ୍ରତ୍ନତତ୍ତ୍ବ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ସମନ୍ବୟ ଭିତ୍ତିରେ କାମ କରିବାକୁ ପରାମର୍ଶ ଦେଇଛନ୍ତି। ପ୍ରାୟ ଦେଢ଼ ଘଣ୍ଟାର ସମୀକ୍ଷା ପରେ ଡିଜି ଭୁବନେଶ୍ବର ଫେରି ଯାଇଛନ୍ତି। କିନ୍ତୁ ପ୍ରକଳ୍ପ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପାଇଁ ଏବେ ବି ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀମାନେ ପୁରୀରେ ଡେରା ପକାଇଛନ୍ତି। ଏଣୁ ଜିଲ୍ଲାପାଳ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଓ ଅନ୍ୟ ଅଧିକାରୀଙ୍କୁ ପ୍ରକଳ୍ପ ସଂପର୍କରେ ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀଙ୍କୁ ବିସ୍ତୃତ ଭାବେ ବୁଝାଇବାକୁ କୁହାଯାଇଛି। ସୂଚନାଯୋଗ୍ୟ ଯେ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ୯ ଭାଗରେ ବିଭକ୍ତ କରାଯାଇ କାମ କରାଯାଉଛି। ଯେଉଁଥିରେ ‌ଭକ୍ତ ଓ ସେବାୟତଙ୍କ ପାଇଁ ଶୌଚାଳୟ, ପରିକ୍ରମା ମାର୍ଗ, କ୍ଲକ ରୁମ, ଭଜନ ମଣ୍ଡପ, ବଫର ଜୋନ୍‌ ସହ ଅନ୍ୟାନ୍ୟ ବ୍ୟବସ୍ଥା ରହିଛି।

ସମ୍ବନ୍ଧିତ ଖବର