ଶୋଭା ହରାଉଛି ଶ୍ରୀକ୍ଷେତ୍ର : ଜରାଜୀର୍ଣ୍ଣ ଅବସ୍ଥାରେ ତୀର୍ଥ ପୁଷ୍କରିଣୀ

ଗୁରୁତ୍ବ ହରାଉଛି ମାର୍କେଣ୍ଡୟ, ଇନ୍ଦ୍ରଦ୍ୟୁମ୍ନ, ଭୁଶୁଡି ପଡ଼ିଛି ପ୍ରାଚୀର, ଉଠିଲାଣି ଶହ ଶହ ଗଛ

ପୁରୀ : ଶୋଭା ହରାଉଛି ଶ୍ରୀକ୍ଷେତ୍ର ପୁରୀ। ଗୋଟିଏ ପଟେ ପୁରୀକୁ ବିଶ୍ବ ଐତିହ୍ୟ ସହର ମାନ୍ୟତା ଦେବା ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଥିବା ବେ‌ଳେ ଅନ୍ୟପଟେ ପୁରୀର ପ୍ରମୁଖ ଆକର୍ଷଣ ଶୋଭା କୁହାଯାଉଥିବା ପ୍ରାଚୀନ ପୀଠସ୍ଥଳୀ, ପଞ୍ଚତୀର୍ଥ, ପ୍ରାଚୀନ ମଠ ଓ ମନ୍ଦିରଗୁଡ଼ିକୁ ହତାଦର କରାଯାଉଛି। ବିକାଶ ତ ଦୂର କଥା, ରାଜାରାଜୁଡ଼ା ଅମଳରୁ ଥିବା ଏହି ପ୍ରାଚୀନ ମଠ, ମନ୍ଦିରଗୁଡ଼ିକୁ ଆଡ଼ ଆଖିରେ ବି ଚ‌ାହୁଁନି ପ୍ରଶାସନ। ରକ୍ଷଣାବେକ୍ଷଣ ଅଭାବରୁ ତୀର୍ଥ ପୁଷ୍କରିଣୀଗୁଡ଼ିକର ସ୍ଥିତି ଅତ୍ୟନ୍ତ ଶୋଚନୀୟ। ଆଗ ଭଳି ପର୍ଯ୍ୟଟକ, ତୀର୍ଥଯାତ୍ରୀମାନେ କେହି ମଧ୍ୟ ତୀର୍ଥ ପୁଷ୍କରିଣୀକୁ ବୁଲିବାକୁ ଆସୁନାହାନ୍ତି। ସ୍ଥାନୀୟ ବାସିନ୍ଦା, ବୁଦ୍ଧିଜୀବୀ ଏ ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଥକି ଗଲେଣି।

ପୁରୀର ପଞ୍ଚତୀର୍ଥ ମଧ୍ୟରୁ ମାର୍କଣ୍ଡେୟ ଓ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଅନ୍ୟତମ। ଏହି ଜଳାଶୟ ଦୁଇଟିର ଜରାଜୀର୍ଣ୍ଣ ଅବସ୍ଥାକୁ ଦେଖିଲେ ଐତିହ୍ୟ ସହରର ଗତି କେଉଁ ଆଡ଼କୁ ତାହା ସହଜରେ ବାରି ହୋଇଯାଏ। ଏହି ଦୁଇ ପ୍ରମୁଖ ତୀର୍ଥ ପୁଷ୍କରିଣୀ ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥାରେ ରହିଛି। ବର୍ଷା ଦିନେ ଦୁଇ ପୁଷ୍କରିଣୀର ପାଚେରି ଭୁଶୁଡିବା ଥୟ। ଦୁଇ ପୁଷ୍କରିଣୀର ଜରାଜୀର୍ଣ୍ଣ ଅବସ୍ଥା ଯୋଗୁ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ମୁହଁ ମୋଡ଼ୁଛନ୍ତି। ପ୍ରକାଶଥାଉକି, ଏହି ଦୁଇ ପୁଷ୍କରିଣୀର ବିକାଶ ପାଇଁ ଗତ ନବକଳେବର ସମୟରେ ୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏବେ ‘ହୃଦୟ’ ଯୋଜନାରେ ଅର୍ଥ ବରାଦ ହୋଇଛି। ମାତ୍ର ତୀର୍ଥ ପୁଷ୍କରିଣୀର ଯେଭଳି ବିକାଶ ‌ହେବା କଥା ହୋଇ ପାରିନ‌ାହିଁ।

ମାର୍କଣ୍ଡ ପୁଷ୍କରିଣୀ ଅତି ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହାର ଗୋଟିଏ ପାର୍ଶ୍ବ ପାଚେରି ଭୁଶୁଡି ପଡିଥିବା ବେଳେ ଅନ୍ୟପଟ ପାଚେରିରେ ଶହ ଶହ ସଂଖ୍ୟାରେ ଗଛ ଉଠି କାନ୍ଥକୁ ଫଟାଇ ଦେଲାଣି। ସବୁଠୁ ବଡ଼କଥା ହେଲା, ଏଠାରେ ପାଚେରି ନିର୍ମାଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଅର୍ଥ ବରାଦ ହୋଇଥିଲେ ବି ବିବାଦ ଯୋଗୁ ନିର୍ମାଣ କାମ ଅଧାରୁ ଅଟକି ରହିଛି। ୪ ଏକର ପରିମିତ ଜମିରେ ଥିବା ଏହି ପ୍ରାଚୀନ ପୁଷ୍କରିଣୀରେ ବାହାର ଜଳ ମିଶି ଏହାକୁ ଦୂଷିତ କରୁଛି। ଏଠାରେ ଥିବା ପ୍ରାଚୀନ ମାର୍କଣ୍ଡେୟ ମନ୍ଦିରର ବିକାଶ ମଧ୍ୟ କରାଯାଉନାହିଁ। ପୁଷ୍କରିଣୀ ଅଞ୍ଚଳ ନିଶାଖୋରଙ୍କ ଆଡ୍ମାସ୍ଥଳୀ ପାଲଟିଛି। ସେହିପରି ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ନାମରେ ନାମିତ ତଥା ପଞ୍ଚତୀର୍ଥ ମଧ୍ୟରୁ ପ୍ରମୁଖ ତୀର୍ଥ ପୁଷ୍କରିଣୀ ଇନ୍ଦ୍ରଦ୍ୟୁମ୍ନର ପାଚେରି ଭୁଶୁଡ଼ି ପଡିଛି। ବିକ‌‌ାଶ ତ ଦୂର କଥା ଏହାର ମରାମତି ମଧ୍ୟ କରାଯାଉନି। ପୁରୀର ପ୍ରାଚୀନ ତୀର୍ଥ ପୁଷ୍କରିଣୀ ଏବଂ ମଠ ମନ୍ଦିରର ବିକାଶ ନହେଲେ ବିଶ୍ବ ଐତିହ୍ୟ ସହର ପରିକଳ୍ପନା ଏକ ବୃଥା ଆସ୍ଫାଳନ ହେବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର