ହେରିଟେଜ୍‌ ରେଳ ଇଞ୍ଜିନ୍‌ ସହିତ ସେଲ୍ଫି ସୁଯୋଗ

ଭୁବନେଶ୍ୱର: ଭବିଷ୍ୟତ ପିଢ଼ିକୁ ରେଳବାଇର ଗୌରବମୟ ଇତିହାସର କ୍ଷୁଦ୍ର ଆଇକନ୍‌ ସମ୍ବନ୍ଧରେ ସମ୍ୟକ ଧାରଣା ଦେବା ନିମନ୍ତେ ପୂର୍ବତଟ ରେଳପଥ ସମ୍ବଲପୁର ମଣ୍ଡଳ ରେଳ ପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୁରାତନ ବାଷ୍ପୀୟ ଇଞ୍ଜିନ୍‌ ପ୍ରଦର୍ଶନ ନିମନ୍ତେ ଏକ ହେରିଟେଜ୍‌ ପାର୍କ ନିର୍ମାଣ କରାଯାଇଅଛି। ଦକ୍ଷିଣ ପୂର୍ବ ରେଳପଥ ଅଧୀନ ଆଦ୍ରା ମଣ୍ଡଳର ବାଙ୍କୁରା ରେଳ ଷ୍ଟେସନର ଜଙ୍କ୍‌ୟାର୍ଡରୁ ଏହି ବାଷ୍ପୀୟ ଇଞ୍ଜିନ(୬୭୯)କୁ ପୁନରୁଦ୍ଧାର କରାଯାଇଅଛି। ୩୧ ଡିସେମ୍ବର ୧୯୯୯ରେ ଏହାର ପୁରୁଣା ରୂପର ଉନ୍ନତୀକରଣ କରାଯାଇ ସୁନ୍ଦର ରଙ୍ଗରେ ସଜାଇ ମଣ୍ଡଳ ରେଳପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅବସ୍ଥାପିତ କରାଯାଇଅଛି। ଏହି ରେଳ ଇଞ୍ଜିନ୍‌ ସହିତ ଏବେ ସେଲ୍‌ଫି ଉଠାଇ ହେବ। ଏପରି ସୁଯୋଗ ଆଣିଛି ପୂର୍ବତଟ ରେଳପଥ। ତତ୍‌କାଳୀନ ବେଙ୍ଗଲ୍‌ ନାଗ୍‌ପୁର୍‌ ରେଳପଥରେ ଏହି ବାଷ୍ପୀୟ ଇଞ୍ଜିନ୍‌ ମେଲ୍‌/ ଏକ୍ସପ୍ରେସ୍‌ ଟ୍ରେନ୍‌ ରୂପେ ସଫଳତାର ସହ ସେବା ପ୍ରଦାନ କରିଥିଲା। ସିସି ଶ୍ରେଣୀ ସହିତ ହୁଇଲ୍‌ ରୂପରେଖ ୪-୬-୨ ଥିବା ଏହି ଐତିହ୍ୟ ଇଞ୍ଜିନ୍‌ଟି ୧୯୦୮ରେ ଏନ୍‌ଜି ଷ୍ଟିମ୍‌ ଲୋକୋମୋଟିଭ୍‌(୬୭୯) ନାମରେ ନର୍ଥ ବ୍ରିଟିଶ୍‌ ଲୋକୋମୋଟିଭ୍‌ କମ୍ପାନି ଲିମିଟେଡ୍‌, ଗ୍ଲାସ୍‌ଗୋ (ସ୍କଟ୍‌ଲ୍ୟାଣ୍ଡ୍‌) ଦ୍ୱାରା ନିର୍ମିତ ହୋଇଥିଲା। ଗୋଟିଏ ବ୍ରାସ୍‌ ପ୍ଲେଟ୍‌ରେ ଖୋଦିତ କରାଯାଇ ଏହାକୁ ହେରିଟେଜ୍‌ ସାଇଟ୍‌ରେ ରଖାଯାଇଥିଲା। ଜନସାଧାରଣଙ୍କ ନିମନ୍ତେ ଏହା ଖୁସିର କଥା ଯେ, ଏହି ହେରିଟେଜ୍‌ ଗାର୍ଡେନ ଜନସାଧାରଣଙ୍କ ନିମନ୍ତେ ଖୋଲା ରହିବ। ସେମାନେ ହେରିଟେଜ୍‌ ଗାର୍ଡେନ୍‌ରେ ଏହି ଇଞ୍ଜିନ୍‌ ସହିତ ସେଲ୍ଫି ଉଠାଇପାରିବେ। ପରବର୍ତ୍ତୀ ସମୟରେ ପୁରୁଣା ଷ୍ଟାଇଲ୍‌ର ସଂକେତ ପ୍ରେରଣ ଉପକରଣ (ସିଗ୍‌ନାଲ୍‌ ଆର୍ମ ସହିତ) ଲୋକୋମୋଟିଭ୍‌ ଇଞ୍ଜିନ୍‌ ସମ୍ମୁଖରେ ସ୍ଥାପନ କରାଯିବ।

ଏଠାରେ ଉଲ୍ଲେଖଯୋଗ୍ୟ, ଭାରତୀୟ ରେଳପଥର ୧୬୦ ବର୍ଷରୁ ଅଧିକ ପୁରାତନ ସ୍ୱର୍ଣ୍ଣିମ ଇତିହାସ ଥିବା ଉଭୟ ସ୍ପର୍ଶ କରିହେଉଥିବା ଏବଂ ସ୍ପର୍ଶ କରିହେଉ ନଥିବା ଐତିହ୍ୟ ସମୂହକୁ ସଂରକ୍ଷଣ କରିବା ଆରମ୍ଭ କରିଦେଇଛନ୍ତି। ୟୁନେସ୍କୋ ଦ୍ୱାରା ଘୋଷିତ ଦାର୍ଜିଲିଂ ହିମାଳୟନ୍‌ ରେଲ୍‌ୱେ (୧୯୯୯), ନୀଳଗିରି ମାଉଣ୍ଟେନ୍‌ ରେଲ୍‌ୱେ (୨୦୦୫), କାଲ୍‌କା ସିମ୍‌ଲା ରେଲ୍‌ୱେ (୨୦୦୮) ଏବଂ ଛତ୍ରପତି ଶିବାଜୀ ଟର୍ମିନାଲ୍‌ସ, ମୁମ୍ବାଇ (୨୦୦୪) ଭଳି ବିଶ୍ୱ ଐତିହ୍ୟର ସତ୍ତ୍ୱାଧିକାରୀ ହେବାର ଗୌରବ ଅର୍ଜନ କରିଛି ଏବଂ ପାଖାପାଖି ୧୬ଟି ଷ୍ଟିମ୍‌ ଲୋକୋମୋଟିଭ୍‌ଗୁଡ଼ିକୁ କାର୍ଯ୍ୟକାରୀ ଐତିହ୍ୟ ରୂପେ ମଧ୍ୟ ସଂରକ୍ଷିତ କରିଛି।

ସମ୍ବନ୍ଧିତ ଖବର