ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଲଛିପୁର ଫାଣ୍ତି ଅନ୍ତର୍ଗତ ବାରପାହାଡ଼ ଜଙ୍ଗଲ ନିକଟରେ ହୋଇଥିବା ହିରୋ ଓରଫ୍ ପିଙ୍କୁ ହାତୀ(୪୮)ଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ଏହି ଘଟଣାରେ ପୁଲିସ ଡୁଙ୍ଗୁରିପାଲି ଥାନା ଲଛିପୁର ଫାଣ୍ତି ଅନ୍ତର୍ଗତ ଡୁମ୍ବେରଖୋଲ ଗାଁର ମକରଧ୍ବଜ ମଲ୍ଲିକ(୪୨), ଅନନ୍ତ ରଣା(୪୩) ଓ ସଚ୍ଚିଦାନନ୍ଦ ମଲ୍ଲିକ(୩୬) ଏବଂ ଘଟଣାକୁ ଲୁଚାଇବା ପାଇଁ ମୃତ ହିରୋର ଶବ ଫିଙ୍ଗାରେ ସହଯୋଗ କରିଥିବା ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ରତନପୁର ଗାଁର ସୁଧୀର ବକୁଳ(୪୦)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ ଏସ୍ପି ଅମରେଶ ପଣ୍ତା କହିଛନ୍ତି ଗତ ୧୪ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ବାରପାହାଡ ଜଙ୍ଗଲ ନିକଟରେ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଥିଲା। ପୁଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଥିଲା। ମୃତକ ତରଭା ଥାନା ମେଣ୍ତା ଗାଁର ହିରୋ ବୋଲି ଚିହ୍ନଟ ହୋଇଥିଲା। ଏହି ଘଟଣାକୁ ନେଇ ଡଙ୍ଗୁରିପାଲି ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇ ଅନୁସନ୍ଧାନୀ କୁକୁର ଓ ସାଇନଟିଫିକ୍ ଟିମ୍ ସାହଯ୍ୟରେ ତଦନ୍ତ ଆରମ୍ଭ ହୋଇଥିଲା। ଘଟଣାର ବିଭିନ୍ନ ଦିଗ ଏବଂ ପାରିପାର୍ଶ୍ବିକ ସ୍ଥିତିକୁ ତଦନ୍ତ କରି ପୁଲିସ ପକ୍ଷରୁ ଏହି ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗତ ୧୧ ତାରିଖ ରାତିରେ ମୃତକ ହିରୋ ନିଜ ଘର ମେଣ୍ତାରୁ ବାହାରି ବାରପାହାଡ଼ ଜଙ୍ଗଲରେ ଇଟା ଗଢୁଥିବା ମକରଧ୍ବଜଙ୍କ କୁଡ଼ିଆକୁ ଯାଇଥିଲେ।
ମକରଧ୍ବଜ ସେଠାରୁ ଚାଲିଯିବାକୁ ହିରୋଙ୍କୁ କହିଥିଲେ। କିନ୍ତୁ ସେ ସେଠାରୁ ନଯିବାରୁ ମକରଧ୍ବଜ ଏବଂ ସାଙ୍ଗରେ ଶୋଇଥିବା ଅନନ୍ତ ଓ ସଚ୍ଚିଦାନନ୍ଦ ଏକ ଟାଙ୍ଗିଆରେ ହିରୋଙ୍କୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିରୋଙ୍କ ମୃତ୍ୟୁ ଘଟିଥିଲା। ପରେ ଅଭିଯୁକ୍ତ ମକରଧ୍ବଜ, ଅନନ୍ତ ଏବଂ ସଚ୍ଚିଦାନନ୍ଦ ଘଟଣାକୁ ଲୁଚାଇବା ପାଇଁ ସୁଧୀରଙ୍କ ସହାୟତାରେ ହିରୋଙ୍କ ମୃତଦେହକୁ ବାରପାହାଡ ଜଙ୍ଗଲରେ ନେଇ ଫିଙ୍ଗି ଦେଇଥିବା ଏସ୍ପି ଶ୍ରୀ ପଣ୍ତା ସୂଚନା ଦେଇଛନ୍ତି। ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ହତ୍ୟା ଘଟଣାରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଥିବା ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀ ଓ ଡୁଙ୍ଗୁରିପାଲି ଆଇଆଇସି ଭାନୁଶଙ୍କର ଯାଦବ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/37-11.jpg)