ହେରୋଇନ୍ କାରବାରର ଚାଞ୍ଚଲ୍ୟକର ଖୁଲାସା: ବର୍ଦ୍ଧମାନରେ କାରଖାନା ଠାବ, ଦୁଇ ଓଡ଼ିଆ ସାମିଲ

ପଶ୍ଚିମବଙ୍ଗ ଏସଟିଏଫ୍ କବ୍‌ଜାରେ ୬ ଅନ୍ତରାଜ୍ୟ ନିଶା ମାଫିଆ

୬୫ କୋଟି ଟଙ୍କାର ହେରୋଇନ୍, ୨୦ ଲକ୍ଷ ଟଙ୍କା ଜବତ
ଓଡ଼ିଶା ସୀମାରେ ପହଞ୍ଚିବା ପୂର୍ବରୁ ହେଉଥିଲା ଭେଜାଲ

ଭୁବନେଶ୍ବର : ପଶ୍ଚିମବଙ୍ଗରୁ ଓଡ଼ିଶାକୁ ହେରୋଇନ୍, ବ୍ରାଉନସୁଗାର ଚାଲାଣର ଚାଞ୍ଚଲ୍ୟକର ଖୁଲାସା ହୋଇଛି। ପଶ୍ଚିମବଙ୍ଗ ଏସଟିଏଫ୍(ସ୍ପେସାଲ ଟାସ୍କ ଫୋର୍ସ) ହାତରେ ଲାଗିଛି ନିଶା ମାଫିଆଙ୍କ ନୂଆ ଠିକଣା। ଗତ ତିନି ଦିନ ଧରି ଜାଲ ବିଛାଇଥିବା ସ୍ବତନ୍ତ୍ର ଟିମ୍ ଆଜି ପଶ୍ଚିମବଙ୍ଗ ପୂର୍ବ ବର୍ଦ୍ଧମାନ ଜିଲ୍ଲାର ସଦର ଥାନା ଅନ୍ତର୍ଗତ ଶ୍ରୀପାଲ୍ଲୀରେ ଚଢ଼ଉ କରିଛି। ହେରୋଇନ୍ ପ୍ରସ୍ତୁତ ହେଉଥିବା କାରଖାନାକୁ ଠାବ କରିବା ସହ ଚାଲାଣ ପାଇଁ ରହିଥିବା ୧୩ କେଜି ନିଶାଦ୍ରବ୍ୟ ଜବତ କରାଯାଇଛି। ଏହାର ଅନ୍ତର୍ଜାତୀୟ ବଜାର ମୂଲ୍ୟ ୬୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସେହିପରି ନଗଦ ୨୦ ଲକ୍ଷ ୧୦ ହଜାର ଟଙ୍କା, ଅଶୋଧିତ ହେରୋଇନ୍, କଞ୍ଚାମାଲ, ବ୍ୟବହୃତ ରାସାୟନିକ ପଦାର୍ଥ, ପ୍ୟାକିଂ ମେସିନ୍, ଟଙ୍କା ଗଣା ମେସିନ୍ ଆଦି ଜବତ କରାଯାଇଛି।

ଏହି ମାମଲାରେ ଦୁଇ ଓଡ଼ିଆ ନିଶା ମାଫିଆଙ୍କ ସହ ୬ ଜଣଙ୍କୁ ଗିରଫ କରିଛି ଏସଟିଏଫ୍। ସେମାନଙ୍କୁ କୋଲକାତା ଅଣା ଯାଇଥିବା ବେଳେ ଏ ସଂକ୍ରାନ୍ତରେ ହାଓଡା ଗୋଲାବାରୀ ଥାନାରେ ମାମଲା ରୁଜୁ କରାଯାଇଛି। ଏକ ସ୍ବତନ୍ତ୍ର ଟିମ୍ ସେମାନଙ୍କୁ ମାରାଥନ୍ ଜେରା ଚଳାଇଛି। ଆହୁରି ଅଭିଯୁକ୍ତ ସାମିଲ ଥିବା ବେଳେ ଚଢ଼ଉ ଜାରି ରହିଛି। ଗିରଫ ଦୁଇ ଓଡ଼ିଆଙ୍କ ମଧ୍ୟରୁ ଜଣେ ପ୍ରମୁଖ ସଦସ୍ୟ ବୋଲି କୁହାଯାଉଛି। ତିଆରି ଠାରୁ ଆରମ୍ଭ କରି ଓଡ଼ିଶାକୁ ମାଲ୍ ପହଞ୍ଚାଇବା ପର୍ଯ୍ୟନ୍ତ ସବୁ କିଛି ସେ ବୁଝୁଥିଲା। ବର୍ଦ୍ଧମାନରୁ ବାଲେଶ୍ବର ସୀମା ମାତ୍ର ୨ ଶହ କିଲୋମିଟର। ଧରା ପଡ଼ିଥିବା ଓଡ଼ିଆ ନିଶା ମାଫିଆ କେଜି କେଜି ବ୍ରାଉନସୁଗାର ଆଣି ଓଡ଼ିଶା ସୀମାରେ ପହଞ୍ଚାଇ ଚାଲି ଯାଉଥିଲା। ଏହା ପରେ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ବ୍ରାଉନସୁଗାର ଚାଲାଣ ହେଉଥିଲା। ଓଡ଼ିଶାରେ କାହାକୁ ଦେଉଥିଲା ତାହା ଏବେ ସବୁଠୁ ବଡ଼ କଥା। କେତେ ଜଣ ଏହି ଗ୍ୟାଙ୍ଗରେ ସାମିଲ ଅଛନ୍ତି ତାହା ମଧ୍ୟ ଜଣାପଡ଼ି ନାହିଁ। ଆସନ୍ତାକାଲି(ମଙ୍ଗଳବାର) ଓଡ଼ିଶା କ୍ରାଇମବ୍ରାଞ୍ଚର ଏସଟିଏଫ୍ କୋଲକାତା ଯିବ। ଗିରଫ ବେପାରୀଙ୍କୁ ହେରୋଇନ୍ ଚାଲାଣ ସମ୍ପର୍କରେ ଅଧିକ ଜେରା କରିବ ବୋଲି ଜଣାପଡ଼ିଛି। ଜେରା ପରେ ଓଡ଼ିଶା ନିଶା ମାଫିଆଙ୍କ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ ବୋଲି ଏସଟିଏଫ୍ ଆଶା ରଖିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପଶ୍ଚିମବଙ୍ଗ, ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟକୁ ବହୁ ବର୍ଷ ହେଲା ବିପୁଳ ପରିମାଣର ବ୍ରାଉନସୁଗାର ଚାଲାଣ ହେଉଥିଲା। ପଶ୍ଚିମବଙ୍ଗ ଏସଟିଏଫ୍ ପୂର୍ବରୁ ମଧ୍ୟ ବର୍ଦ୍ଧମାନ ସମେତ ବିଭିନ୍ନ ଅଞ୍ଚଳରୁ ବଡ଼ଧରଣର କାରଖାନା ଠାବ କରିଥିଲା। ତଥାପି ନିଶା କାରବାର ବନ୍ଦ ନେଇ କିଛି ପ୍ରଭାବ ପଡ଼ୁ ନ ଥିବା ବେଳେ ମାଫିଆଙ୍କୁ ଧରିବାକୁ ଆରମ୍ଭ ହୋଇଥିଲା ଜୋରଦାର ଅପରେସନ୍। ଏହି ଅପରେସନରେ ବଛା ବଛା ଅଫିସରଙ୍କୁ ସାମିଲ କରାଯାଇଥିଲା। ତିନି ଦିନ ଧରି ବର୍ଦ୍ଧମାନରେ ଡେରା ପକାଇବା ପରେ ପଶ୍ଚିମବଙ୍ଗ ଏସଟିଏଫକୁ ଏହି ସଫଳତା ମିଳିଛି।

ଅଫିମରୁ ହେରୋଇନ୍
ଅଫିମରୁ ସାଂଘାତିକ ନିଶାଦ୍ରବ୍ୟ ଭାବେ ପରିଚିତ ହେରୋଇନ୍ ପ୍ରସ୍ତୁତ କରାଯାଏ। କ୍ୟାଲସିଅମ୍ ହାଇଡ୍ରୋକ୍ସାଇଡ୍ କେମିକାଲ୍ ମିଶାଯାଇ ହେରୋଇନ୍ ତିଆରି ହୁଏ। ଉନ୍ନତମାନର ହେରୋଇନ୍ ଚାଲାଣ ହେଉଥିବା ବେଳେ ଓଡ଼ିଶାରେ ପହଞ୍ଚିବା ପରେ ଏହା ନିମ୍ନମାନର ହୋଇଯାଏ। ସ୍ଥାନୀୟ ଭାଷାରେ ଏହାକୁ ବ୍ରାଉନସୁଗାର କୁହାଯାଏ। ହେରୋଇନ୍ ଅନ୍ତର୍ଜାତୀୟ ବଜାରରେ ଏକ କେଜି ମୂଲ୍ୟ ୫ କୋଟି ହୋଇଥିବା ବେଳେ ବେପାରୀଙ୍କୁ ଯଥେଷ୍ଟ କମ୍ ଦାମରେ ଯୋଗାଇ ଦିଆଯାଏ। ସେତେବେଳେ ଏହା ସମ୍ପୂର୍ଣ୍ଣ ଧଳା ରଙ୍ଗର ଥାଏ। କିନ୍ତୁ ବ୍ରାଉନସୁଗାର ବଜାର ମୂଲ୍ୟ ୧ କୋଟି ଟଙ୍କା। ସେଥିରେ ଧୂପକାଠି ପାଉଁଶ, ମଶା ଧୂପ ପାଉଁଶ, ବିସ୍କୁଟ ଗୁଣ୍ଡ, ଚିନିକୁ ଭାଜି ଧୂଷର ରଙ୍ଗ ହେଲା ପରେ ଗୁଣ୍ଡ କରି ମିଶା ଯାଇଥାଏ। ଏହାର ପରିମାଣ ବଢ଼ାଇ ଦିଆଯାଉଥିବା ବେଳେ ନିମ୍ନ ମାନର ହୋଇଯାଏ। ରଙ୍ଗ ମଧ୍ୟ ବଦଳି ଧୂଷର ହୋଇଯାଏ। ଓଡ଼ିଶାରେ ଭେଜାଲ ହେରୋଇନ୍ ବା ବ୍ରାଉନସୁଗାର ବିକ୍ରି ହେଉଛି ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର