ମଝିହରାରେ ବୁଲୁଛି ହେଟା, ସଂଜ ନଇଁଲେ ପଡ଼ୁଛି ତାଟି କବାଟ

ବାଲିପାଟଣା: ସ୍ଥାନୀୟ ମଝିହରା ଗାଁରେ ବୁଲୁଛି ହେଟା। ଗୋଠରୁ ଛେଳି, ମେଣ୍ଢା ଓ ବାଛୁରୀ ଝାମ୍ପି ନେଉଛି। ଏମିତିକି ଗାଈଆଳ ଜଗୁଥିବା ବେଳେ ବି ବଣ ଭିତରେ ଛକି ରହୁଥିବା ହେଟା ଗୋଠକୁ ଆକ୍ରମଣ କରି ଝାମ୍ପି ନେଇଯାଉଛି। ଆଜି ଏମିତି ଏକ ଘଟଣା ଲୋକଙ୍କ ସମ୍ମୁଖରେ ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ତେଣୁ ସଂଜ ବୁଡ଼ୁବୁଡ଼ୁ ଲୋକେ ଗୁହାଳର ତାଟିକବାଟ ପକାଇବା ଆରମ୍ଭ କରିଛନ୍ତି।

କିଛି ଦିନ ତଳେ ଗୁଆପୁର ଅଞ୍ଚଳରେ ହେଟା ବାଘ ପାଦ ଚିହ୍ନ ଦେଖିବାକୁ ମିଳିଥିଲା। ଏମିତିକି ମଝିହରାକୁ ବି ହେଟା ଆସିଛି ବୋଲି ଶୁଣିବାକୁ ମିଳୁଥିଲା। ନିକଟସ୍ଥ ଭଅଁରାଗଡ଼ ସଂରକ୍ଷିତ ଜଙ୍ଗଲରୁ ହେଟା ଆସିଥାଇପାରେ ବୋଲି ଚର୍ଚ୍ଚା ହେଉଥିଲା। ମାତ୍ର କିଛି ଲୋକ ଏହାକୁ ବିଶ୍ବାସ କରିନଥିଲେ। କିନ୍ତୁ ଆଜି ଅପରାହ୍‌ଣ ପ୍ରାୟ ୧ଟା ବେଳେ ମଝିହରା ଗାଁ ମୁଣ୍ଡରେ ସଂଜୁ ଭୋଇ ଛେଳି ଚରାଉଥିବା ବେଳେ ବାହାରିଥିଲା ହେଟା। ବଣ ଭିତରୁ ବାହାରି ହେଟା ଗୋଟିଏ ଛେଳି ତଣ୍ଟିକୁ କାମୁଡ଼ି ଧରି ପୁଣି ବିଜୁଳି ବେଗରେ ବଣ ଭିତରକୁ ପଳାଇଥିଲା। ସଂଜୁଙ୍କ ପାଟି ଶୁଣି ଆଖପାଖରୁ ଗାଁ ଲୋକେ ଧାଇଁ ଆସିଥିଲେ ଓ ଠେଙ୍ଗାବାଡ଼ି ଧରି ବଣ ଭିତରେ ଖେଦି ଯାଇଥିଲେ।

ଲୋକଙ୍କ ପାଟି ଶୁଣି ହେଟା ଛେଳିକୁ ଛାଡ଼ି ଦେଇ କେଉଁଠି ଉଭାନ୍‌ ହୋଇଯାଇଥିଲା। ହେଟାଟି କେଉଁ ବଡ଼ ଗାତରେ ପଶି ଛପି ଯାଇଥିବା ଜଣାପଡ଼ିଥିଲା। ମୃତ ଛେଳିର ତଣ୍ଟିରେ ଗଭୀର କ୍ଷତ ଥିଲା ଓ ପ୍ରଚୁର ରକ୍ତ ବହି ଯାଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ପରେ ଗାଁ ଲୋକମାନ‌େ ଉକ୍ତ ବଣରେ ଭିଡ଼ ଜମାଇଥିଲେ। ତୁରନ୍ତ ହେଟାକୁ ଧରି ଅନ୍ୟତ୍ର ଛାଡ଼ିବା ପାଇଁ ବା ସବୁଦିନ ପାଇଁ ତାକୁ ଘଉଡ଼ାଇବାକୁ ସ୍ଥାନୀୟ ଲୋକେ ବନ ବିଭାଗକୁ ଆବେଦନ କରିଛନ୍ତି। ବାଲିପାଟଣା ବନାଞ୍ଚଳ ଅଧିକାରୀ ମାନସ ରଞ୍ଜନ ମହାନ୍ତିଙ୍କ କହିବା କଥା ଖାଦ୍ୟ ଅନ୍ବେଷଣରେ ହେଟା ଗାଁମୁହାଁ ହୋଇଛି। ମଣିଷଙ୍କ ପ୍ରତି ବିପଦ ନାହିଁ। ଆବଶ୍ୟକ ହେଲେ ତାକୁ ଯନ୍ତା ବସାଇ ଧରାଯିବ ଓ ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ ଗତବର୍ଷ ବି ହେଟା ଧରିବାକୁ ଯନ୍ତା ବସାଯାଇଥିଲା। କିନ୍ତୁ ହେଟା ଧରାପଡ଼ିନଥିଲା।

ସମ୍ବନ୍ଧିତ ଖବର