କାଳିଆପାଣି: ଯାଜପୁର ଜିଲ୍ଲା ଅନ୍ତର୍ଗତ ସୁକିନ୍ଦା ବ୍ଲକ୍‌ର କ୍ରୋମ୍‌ ଉପତ୍ୟକା ହେଉ କି ଦାନଗଦୀ ବ୍ଲକ୍‌ର ଶିଳ୍ପାଞ୍ଚଳ, ସବୁଠି ଏବେ ଯକ୍ଷ୍ମା ଓ କିଡ୍‌ନି ରୋଗର ଆତଙ୍କ। ଅତ୍ୟଧିକ ପ୍ରଦୂଷଣ ସାଙ୍ଗକୁ ପାଣିରେ ହେକ୍ସାଭ୍ୟାଲେଣ୍ଟ କ୍ରୋମିୟମ୍‌ ଓ ବାୟୁରେ ଯକ୍ଷ୍ମା ଜୀବାଣୁ ଲୋକଙ୍କୁ କଲବଲ କରି ମାରୁଛି। ନିୟମିତ ଭାବେ ଲୋକେ ରୋଗାକ୍ରାନ୍ତ ହୋଇ ପ୍ରାଣ ହରାଉଥିବା ବେଳେ ସରକାରୀ କଳ ବେଫିକର। ଆଉ କେତେ ମୁଣ୍ଡ ଗଡ଼ିଲେ ଚେତିବେ ବୋଲି ପ୍ରଶ୍ନ ଉଠୁଛି। ତଥ୍ୟ ଅନୁସାରେ, ବର୍ଷକ ମଧ୍ୟରେ କାଳିଆପାଣି ଅଞ୍ଚଳରେ ଯକ୍ଷ୍ମାରେ ୧୪ ଜଣ ଓ ତଦୁର୍ଦ୍ଧ୍ବ ସଂଖ୍ୟକ କିଡ୍‌ନି ରୋଗରେ ପ୍ରାଣ ହରାଇଛନ୍ତି। ଅନେକ ରୋଗାକ୍ରାନ୍ତ ହୋଇ ଶଯ୍ୟାଶାୟୀ ଅଛନ୍ତି। ସ୍ଥାନୀୟ ବସ୍ତି ଅଞ୍ଚଳରେ ମାଳମାଳ ଯକ୍ଷ୍ମାରୋଗୀ ରହୁଥିବାରୁ ଏଠାକାର ବାୟୁମଣ୍ଡଳ ଯକ୍ଷ୍ମା ଜୀବାଣୁ ଦ୍ବାରା ପ୍ରଦୂଷିତ ହେଉଥିବା କୁହାଯାଉଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଟାଣ ଖରାରେ ଯକ୍ଷ୍ମା ଜୀବାଣୁ ୧୨ ଘଣ୍ଟା ପର୍ଯ୍ୟନ୍ତ ସକ୍ରିୟ ରହିପାରୁଥିବା ବେଳେ କୋହଲା ପାଗ ଓ ଥଣ୍ଡାଦିନେ ଏହା ବାୟୁରେ ୧୮ ରୁ ୨୪ ଘଣ୍ଟା ପର୍ଯ୍ୟନ୍ତ ସକ୍ରିୟ ରହିପାରନ୍ତି। ସେହିପରି ଅନ୍ଧକାରପୂର୍ଣ୍ଣ ଓ ଶୀତଳ ଜଳବାୟୁରେ ଯକ୍ଷ୍ମା ଜୀବାଣୁ ୩ ରୁ ୪ ମାସ ଧରି ଜୀବନ୍ତ ରୁହନ୍ତି। ଏହି ଆଧାରରେ ‌ଜଣେ ‌ଯକ୍ଷ୍ମାରୋଗୀ ଗୋଟିଏ ଛୋଟ ବସ୍ତିକୁ ସଂକ୍ରମିତ କରିପାରିବା ଭଳି କ୍ଷମତା ରଖୁଥିବା କୁହାଯାଉଛି। ଏହି କାରଣରୁ ପ୍ରତ୍ୟକ୍ଷ ଖଣି ପ୍ରଭାବିତ କାଳିଆପାଣି, କଅଁସ, ଚିଙ୍ଗୁଡ଼ିପାଳ, ରାଁସୋଳ ଓ କାଙ୍କଡ଼ପାଳ ପଞ୍ଚାୟତର ବିଭିନ୍ନ ବସ୍ତି ଓ ଗାଁ ଏବେ ଯକ୍ଷ୍ମା ଦ୍ବାରା କବଳିତ। ଏହାବାଦ୍ ବିଭିନ୍ନ କ୍ରୋମାଇଟ୍‌ ଖଣି ପାର୍ଶ୍ବବର୍ତ୍ତୀ ଗାଁଗଣ୍ଡାରେ ଉଡ଼ୁଥିବା ଧୂଳିର କୁପ୍ରଭାବ ରହିଆସିଛି।

Advertisment

୭ବର୍ଷ ତଳେ ଆମେରିକାର ବ୍ଲାକ୍‌ସ୍ମିଥ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ସୁକିନ୍ଦା କ୍ରୋମ୍‌ ଉପତ୍ୟକା ସମ୍ପର୍କରେ ଉଲ୍ଲେଖ ରହିଥିଲା। ଏଥିରେ ସର୍ବାଧିକ ୧୦ଟି ପ୍ରଦୂଷିତ ଅଞ୍ଚଳ ମଧ୍ୟରେ ସୁକିନ୍ଦା କ୍ରୋମ୍‌ ଉପତ୍ୟକା ରହିଥିବା ଦର୍ଶାଯାଇଥିଲା। ୨ ବର୍ଷ ତଳେ ଗ୍ରିନ୍ ପିସ୍ ଇଣ୍ଡିଆ ସମାନ ରିପୋର୍ଟ ପ୍ରଦାନ କରିଥିଲା। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍‌ ଅଫ୍ ୱାଟର ମ୍ୟାନେଜମେଣ୍ଟ୍‌ ୨୦୧୮ ମସିହା ସର୍ଭେ ରିପୋର୍ଟ ଦର୍ଶାଇଥିଲା ଯେ, ସୁକିନ୍ଦାର ୭୦ ପ୍ରତିଶତ ଜଳ ଓ ଖଣି ପାର୍ଶ୍ବସ୍ଥ ୨୮ ପ୍ରତିଶତ ଜମି କୃଷିକାର୍ଯ୍ୟ ପାଇଁ ଅନୁପଯୁକ୍ତ ଅଟେ। ସେହିପରି, ବ୍ଲାକ୍ ସ୍ମିଥ୍‌ ଇନଷ୍ଟିଚ୍ୟୁଟ୍‌ ତଥ୍ୟ କହୁଛି ‌ଯେ ସୁକିନ୍ଦା କ୍ରୋମ୍‌ ଉପତ୍ୟକାରେ ବ୍ୟାପକ ଖଣି ଖନନ ଦ୍ବାରା ୩ କୋଟି ମେଟ୍ରିକ୍‌ ଟନରୁ ଅଧିକ ଉତ୍ତୋଳିତ ବର୍ଜ୍ୟ ମାଟି ଓ ଧାତବ ଖଣିଜ ପଦାର୍ଥ ପାରିପାର୍ଶ୍ବିକ ଅଞ୍ଚଳର ବିଭିନ୍ନ ଜମି, ଡମଶାଳ ନାଳ ଓ ବ୍ରାହ୍ମଣୀନଦୀ ଅବବାହିକାରେ ପଡ଼ି ରହିଛି। ଧାତବ କ୍ରୋମାଇଟ୍‌ ଜଳ ସଂସ୍ପର୍ଶରେ ଆସିବା ଦ୍ବାରା ଏହା ମାରାତ୍ମକ ହେକ୍ସାଭାଲେଣ୍ଟ୍‌ କ୍ରୋମିୟମ୍‌ରେ ରୂପାନ୍ତରିତ ହୋଇଥାଏ। ଏହିସବୁ ରିପୋର୍ଟ ତଥା ବର୍ତ୍ତମାନ ‌ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିକୁ ଆଣିଲେ କ୍ରୋମ୍‌ ଉପତ୍ୟକାରେ ଉଭୟ ବାୟୁ ଓ ଜଳ ପ୍ରଦୂଷିତ। ଫଳରେ, ଯକ୍ଷ୍ମା ଓ କିଡ୍‌ନି ରୋଗ ମହାମାରୀର ରୂପ ନେଲାଣି। ଅଧିକାଂଶ ଗୁରୁତର ରୋଗୀ ଡାକ୍ତରଖାନା ନଯାଇ ଘରେ ପୋକମାଛି ଭଳି ମରୁଥିବା ଦେଖିବାକୁ ମିଳୁଛି। ଏଥିସହିତ, ଆଲର୍ଜି, ଅଲ୍‌ସର, ଗ୍ୟାଷ୍ଟ୍ରିକ୍‌, ମସ୍ତିଷ୍କ ରୋଗ, ଲିଭର୍‌ ଓ କିଡ୍‌ନି ଭଳି ରୋଗରେ ଆକ୍ରାନ୍ତ ହେଉଛନ୍ତି।