ଭୁବନେଶ୍ବର : ରାଜ୍ୟରେ ଗୋଟିଏ ଦିନରେ ୨୬ଜଣ ଏଚ୍ଏଫ୍ଏମ୍ଡି ବା ହ୍ୟାଣ୍ଡ, ଫୁଟ୍ ମାଉଥ୍ ଡିଜିଜ୍ ଆକ୍ରାନ୍ତ ଶିଶୁ ଚିହ୍ନଟ ପରେ ରାଜ୍ୟରେ ଏକପ୍ରକାର ଆତଙ୍କ ସୃଷ୍ଟି ହୋଇଛି। ଅନେକ ଏହାକୁ ଅନ୍ୟ ରାଜ୍ୟରେ ଦେଖା ଦେଇଥିବା ଟମାଟୋ ଫ୍ଲୁ ସହିତ ତୁଳନ୍ତା କରିବାକୁ ଆରମ୍ଭ କରିଛନ୍ତି। ମାତ୍ର ଏଚ୍ଏଫ୍ଏମ୍ଡି, ଟମାଟୋ ଫ୍ଲୁ ନୁହେଁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ବିଜୟ ମହାପାତ୍ର କହିଛନ୍ତି, ଏହା ଟମାଟୋ ଫ୍ଲୁ ନୁହେଁ। ଏହାକୁ ନେଇ ଆତଙ୍କିତ ହେବାର ନାହିଁ। ଟମାଟୋ ଫ୍ଲୁ ନେଇ ଆଇସିଏମ୍ଆର କିମ୍ବା ଏନ୍ସିଡିଓ ପକ୍ଷରୁ କୌଣସି ଗାଇଡଲାଇନ୍ ଜାରି ହୋଇନାହିଁ। ଏଚ୍ଏଫ୍ଏମ୍ଡିକୁ ନେଇ ସବୁ ଜିଲ୍ଲାର ସ୍ବାସ୍ଥ୍ୟ କେନ୍ଦ୍ରମାନଙ୍କୁ ସର୍ଭେଲାନ୍ସକୁ ଜୋରଦାର କରିବା ଲାଗି ନିର୍ଦେଶ ଦିଆଯାଇଛି।
ତେବେ କିଛି ରାଜ୍ୟରେ ଫ୍ଲୁ ରୂପ ବଦଳାଇ ଆସୁଥିବାରୁ ଏଥିପାଇଁ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆକ୍ରାନ୍ତଙ୍କ ନମୁନା ପରୀକ୍ଷା ଉପରେ ଗୁରୁତ୍ବ ଦିଆଯାଇଛି। ଏଚ୍ଏଫ୍ଏମ୍ଡି ପାଇଁ ସ୍ବତନ୍ତ୍ର ଟିକା କି ଔଷଧର ଆବଶ୍ୟକତା ନାହିଁ। କେବଳ ଲକ୍ଷଣ ଅନୁଯାୟୀ ଔଷଧ ଦିଆଯାଇଥାଏ ବୋଲି ଡା.ମହାପାତ୍ର ସୂଚନା ଦେଇଛନ୍ତି।
ଅପରପକ୍ଷରେ କ୍ୟାପିଟାଲ ହସ୍ପିଟାଲରୁ ବହୁ ସଂଖ୍ୟକ ଏଚ୍ଏଫ୍ଏମ୍ଡି ଆକ୍ରାନ୍ତ ଚିହ୍ନଟ ହେବା ପରେ ହସ୍ପିଟାଲ କର୍ତୃପକ୍ଷ ସତର୍କ ହୋଇଛନ୍ତି। କୋଭିଡ ପରବର୍ତୀ ସମୟରେ ହସ୍ପିଟାଲକୁ ପ୍ରତ୍ୟେକ ଦିନ ଏହି ରୋଗରେ ଆକ୍ରାନ୍ତ ଶିଶୁ ଆସୁଥିବା କୁହାଯାଉଛି। ହସ୍ପିଟାଲର ନିର୍ଦେଶକ ଡା.ଲକ୍ଷ୍ମୀଧର ସାହୁ କହିଛନ୍ତି ଯେ ଏଚ୍ଏଫ୍ଏମ୍ଡି ଏକ ଏଣ୍ଟ୍ରୋ ଭାଇରସ୍। ଏହାର ସେରୋ ଟାଇପିଂ ହେବା ପରେ ଏହାର ଟମାଟୋ ଫ୍ଲୁ ସହିତ ସାମଞ୍ଜସ୍ୟ ରହିଛି କି ନାହିଁ ସ୍ପଷ୍ଟ ହୋଇପାରିବ। ତେବେ ଶିଶୁ ଏଚ୍ଏଫ୍ଏମ୍ଡିରେ ଆକ୍ରାନ୍ତ ହୋଇ ନ ଥାନ୍ତି। ଯେଉଁମାନେ ଦୁର୍ବଳ, ପୁଷ୍ଟିହୀନତା ଓ ମଲ୍ଟି ଡିଜିଜ୍ରେ ଆକ୍ରାନ୍ତ ସେମାନେ ଏଚ୍ଏଫ୍ଏମ୍ଡିରେ ଆକ୍ରାନ୍ତ ହେବାର ଆଶଙ୍କା ଅଧିକ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆକ୍ରାନ୍ତ ଶିଶୁଙ୍କ ସଂଖ୍ୟା ଯଦି ଆଗକୁ ବଢ଼ିବ ତାହା ହେଲେ ଯାଇ ହସ୍ପିଟାଲରେ ସ୍ବତନ୍ତ୍ର ୱାର୍ଡ ଖୋଲାଯିବ। ଏବେ ଦିନକୁ ୧୦-୧୨ଜଣ ସନ୍ଦିଗ୍ଧ ଏଚ୍ଏଫ୍ଏମ୍ଡି ଆସୁଥିବା ବେଳେ ତହିଁରୁ ୪/୫ଜଣ ଏହି ରୋଗରେ ଆକ୍ରାନ୍ତ ବୋଲି ଡା.ସାହୁ କହିଛନ୍ତି।
ଉଲ୍ଲେଖ ଯେ ରାଜ୍ୟରେ ଏଚ୍ଏଫ୍ଏମ୍ଡି ଆକ୍ରାନ୍ତ ଚିହ୍ନଟ ହେବା ପରେ ସେମାନଙ୍କ ନମୁନାର ସେରୋ ଟାଇପିଂ ପାଇଁ ପୁନେସ୍ଥିତ ଏନ୍ଆଇଭିକୁ ପଠାଯାଇଛି। ସେଠାରୁ ରିପୋର୍ଟ ଆସିବା ପରେ ରାଜ୍ୟରେ ଏଚ୍ଏଫ୍ଏମ୍ଡିର କେଉଁ ଗ୍ରୁପ୍ ସକ୍ରିୟ ରହିଛି ତାହା ସ୍ପଷ୍ଟ ହୋଇପାରିବ। ଏହାସହ ଯେଉଁ ଆକ୍ରାନ୍ତ ଶିଶୁ ଚିହ୍ନଟ ହୋଇଛନ୍ତି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ସୂଚନା ଦେବା ଲାଗି ଜିଲ୍ଲାମାନଙ୍କ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି।