ଏଚ୍‌ଏଫ୍‌ଏମ୍‌ଡି ବ୍ୟାପୁଛି: ଅଗଷ୍ଟରେ ଶୀର୍ଷ ଛୁଇଁବ!

ଶିଶୁଭବନରେ ୧୫୦ ସନ୍ଦିଗ୍ଧଙ୍କ ଚିକିତ୍ସା

କଟକ : ଟମୋଟୋ ଫ୍ଲୁ ଭଳି ଶିଶୁଙ୍କ କ୍ଷେତ୍ରରେ ଦେଖାଦେଇଥିବା ଏଚ୍ଏଫ୍ଏମଡି (ହ୍ୟାଣ୍ଡ, ଫୁଟ, ମାଉଥ୍ ଡିଜିଜ୍) ରୋଗ ଶିଶୁଭବନରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି। ପୂର୍ବରୁ ଦୈନିକ କାଁ ଭାଁ ଜଣେରୁ ଦୁଇ ଜଣ ଲେଖାଏ ସନ୍ଦିଗ୍ଧ ଆକ୍ରାନ୍ତ ପଡ଼ୋଶୀ ଜିଲ୍ଲାରୁ ଶିଶୁଭବନକୁ ଆସୁଥିଲେ। କିନ୍ତୁ ଏ ବର୍ଷ ଏଭଳି ଆକ୍ରାନ୍ତଙ୍କ ସଂଖ୍ୟା ତିନି ଗୁଣରୁ ଅଧିକ ବୃଦ୍ଧି ପାଇଛି। ଦୈନିକ ହାରାହାରି ୫ରୁ ୬ ଆକ୍ରାନ୍ତ ଶିଶୁ ଚିକତ୍ସା ପାଇଁ ଆସୁଛନ୍ତି। ଗଲା ଏପ୍ରିଲରୁ ଆଜି ସୁଦ୍ଧା ପାଖାପାଖି ୧୫୦ ଆକ୍ରାନ୍ତ ଶିଶୁଭବନରେ ଚିକିତ୍ସିତ ହେଲେଣି। ଆସନ୍ତା ଜୁଲାଇରୁ ଅଗଷ୍ଟ ଭିତରେ ଏହି ରୋଗ ଶୀର୍ଷ ଛୁଇଁବା ନେଇ ଶିଶୁରୋଗ ବିଶେଷଜ୍ଞ ଆଶଙ୍କା କରୁଛନ୍ତି।

ତାମିଲନାଡ଼ୁରେ ଦେଖା ଦେଇଥିବା ଟମାଟୋ ଫ୍ଲୁ ଭଳି ସମାନ ଲକ୍ଷଣ ଥିବା ଏଚ୍ଏଫ୍ଏମଡି ରୋଗ ଓଡ଼ିଶାରେ ଶିଶୁରୁ ଶିଶୁଙ୍କ ନିକଟକୁ ଡେଇଁବାରେ ଲାଗିଲାଣି। ଶିଶୁଭବନକୁ ଏବେ କଟକ ସମେତ ଖୋର୍ଧା, ଢେଙ୍କାନାଳ, ଅନୁଗୁଳ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଭଳି ପଡ଼ୋଶୀ ଜିଲ୍ଲାରୁ ମୁଖ୍ୟତଃ ଏହି ରୋଗୀ ଆସୁଛନ୍ତି। ଗଲା ଏପ୍ରିଲରୁ ଆକ୍ରାନ୍ତ ଶିଶୁଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଯଦିଓ ପୂର୍ବରୁ ଏ ପ୍ରକାର ରୋଗ ଦେଖାଯାଉଥିଲା, ଏବର୍ଷ ସ୍ଥିତି ଅଣାୟତ୍ତ କାହିଁକି ହେଉଛି ଏହାର ଅନୁଧ୍ୟାନ କରିବା ପାଇଁ ଭୁବନେଶ୍ବରର ଆରଏମଆରସିରେ ଆକ୍ରାନ୍ତଙ୍କ ନମୁନା ସଂଗ୍ରହ କରି ଅନୁଧ୍ୟାନ କରାଯାଉଛି।

ସାଧାରଣ ଭାବେ ୫ ବର୍ଷରୁ ୮ ବର୍ଷର ଶିଶୁଙ୍କ ନିକଟରେ ଦେଖାଯାଉଛି। ଶିଶୁ ଭବନକୁ ୧୦ ବର୍ଷରୁ ଉର୍ଦ୍ଧ୍ବ ଶିଶୁ ରୋଗୀ କେହି ବର୍ତ୍ତମାନ ସୁଦ୍ଧା ଆସିନାହାନ୍ତି। ପ୍ରଥମେ ଶିଶୁ ଆକ୍ରାନ୍ତ ହେବା ପରେ ଜ୍ବର ହେଉଛି। ଜ୍ବର ହେବା ପରେ ହାତ, ପାଦ, ପାଟି ଭିତରେ ନାଲି ରଙ୍ଗର ଫୋଟକା ହେଉଛି। ଏଗୁଡ଼ିକ କୁଣ୍ଡାଇ ହେବା ସହିତ ଶରୀରରେ ଘୋଳା ବିନ୍ଧା ବି ହେଉଛି। ସିଟି ହସପିଟାଲରୁ ଦୁଇଟି ସନ୍ଦିଗ୍ଧ ଶିଶୁଙ୍କ ନମୁନା ଆରଏମଆରସି ପରୀକ୍ଷା ପାଇଁ ଯାଇଥିଲା। ସେଥିରୁ ଜଣେ ରୋଗୀ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଶିଶୁଭବନର ଶିଶୁରୋଗ ବିଭାଗର ସହକାରୀ ପ୍ରଫେସର ଡାକ୍ତର ଅବିନାଶୀ ସବ୍ୟସାଚୀ ସେଠୀ କହିଛନ୍ତି ଯେ ଏଚ୍ଏଫ୍ଏମଡି ରୋଗରେ ଆକ୍ରାନ୍ତ ଶିଶୁଙ୍କୁ ପ୍ରଥମେ ଘର ଭିତରେ ସଂଗରୋଧ କରିବା ଉଚିତ। ଅନ୍ୟ ଶିଶୁଙ୍କ ସଂସ୍ପର୍ଶରେ ଯେଭଳି ଶିଶୁ ନଆସିବେ ସେଥିପ୍ରତି ସତର୍କ ରହିବା ଉଚିତ। ପାଟି ଭିତରେ ଫୋଟକା ହେଉଥିବାରୁ ଶିଶୁଟି ଖାଇବାରେ ବି ସମସ୍ୟା ଦେଖାଯାଉଛି।

ଏବେ ଠିକ୍ ଭାବେ ନଖାଇବାରୁ ତରଳ ଝାଡ଼ା ଲକ୍ଷଣ ଶିଶୁଙ୍କ ନିକଟରେ ଦେଖାଦେଉଛି। ଏହି ସମୟରେ ଶିଶୁ ଅଧିକ ମାତ୍ରାରେ ପାଣି ପିଇବା ଉଚିତ। ପାଟିରେ ଫୋଟକା ହେଉଥିବାରୁ ସୁଜି, ସିମେଇ, କ୍ଷୀରି ତିଆରି କରି ଶିଶୁଙ୍କୁ ମାମାନେ ଖୁଆଇ ପାରିବେ। ଶିଶୁଙ୍କ ଦେହରେ ଦେଖାଯାଉଥିବା ଫୋଟକାଗୁଡ଼ିକ ଫାଟି ଏଥିରୁ ନିର୍ଗତ ଲସି, ଆକ୍ରାନ୍ତ ଶିଶୁଙ୍କ ଲାଳ, ମଳରୁ ଭୂତାଣୁ ଡେଉଁଛୁ। କିନ୍ତୁ ଏଥିପାଇଁ ଭୟ ନକରିବା ଉଚିତ। ଜ୍ବର ଓ ଘୋଳାବିନ୍ଧା ହେଲେ ପାରାସିଟାମଲ୍ ଏବଂ ଦେହ କୁଣ୍ଡେଇ ହେବା ପାଇଁ କାଲାମିନ୍ ଲୋସନ୍ ପାଟିକୁ ଛାଡ଼ି ଦେହର ଅନ୍ୟ ଅଙ୍ଗରେ ଲଗାଯାଇପାରିବ। ଘୋଳାବିନ୍ଧା ପାଇଁ ଶିଶୁଙ୍କୁ କୌଣସି ପେନ୍‌କିଲର୍ ଦେବା ଅନୁଚିତ। ଜ୍ବର ଆସିଲେ ପାରାସିଟାମଲ୍ ଦିନକୁ ୩ରୁ ୪ ଥର ଶିଶୁକୁ ଦିଆଯାଇପାରିବ। ଟମାଟୋ ଫ୍ଲୁ ଭଳି ଯଦିଓ ଏଚ୍ଏଫ୍ଏମ୍‌ଡିରେ ଗଣ୍ଠି ଯନ୍ତ୍ରଣା ହେଉନାହିଁ, କିନ୍ତୁ ଫୋଟକା ଗୁଡ଼ିକ ଫାଟି କୁଣ୍ଡାଇ ହେଉଛି। ରୋଗ ଶିଶୁରୁ ଶିଶୁ ନିକଟକୁ ଡେଉଁଥିବାରୁ ଏଥିପ୍ରତି ସତର୍କ ରହିବା ଜରୁରୀ ବୋଲି ଡାକ୍ତର ସେଠୀ କହିଛନ୍ତି।

ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡାକ୍ତର ଜ୍ଞାନେନ୍ଦ୍ରନାଥ ବେହେରା କହିଛନ୍ତି ଯେ ଏହି ରୋଗ ମୁଖ୍ୟତଃ ଖାଦ୍ୟ ଓ ବାୟୁ ମାଧ୍ୟମରେ ଶିଶୁଙ୍କୁ ସଂକ୍ରମିତ କରୁଥିବା ଅନୁଧ୍ୟାନରୁ ଜଣାପଡ଼ିଛି। କକ୍ସସାକି-ଏ ଓ ଏଣ୍ଟେରୋ ଭାଇରସ୍ ଦ୍ବାର ଏହି ରୋଗ ସୃଷ୍ଟି ହୋଇଥାଏ। ଯଦିଓ ଏବେ ଶିଶୁଙ୍କ ନିକଟରେ ଚିହ୍ନଟ ହେଉଛି କିନ୍ତୁ ୧୮ ବର୍ଷ ଯାଏ ପିଲାଙ୍କ ନିକଟରେ ବି ଏହି ରୋଗ ଦେଖାଦେବାର ଆଶଙ୍କା ରହିଛି। କିନ୍ତୁ ସେମାନଙ୍କ ଦେହରେ ଶିଶୁଙ୍କ ଭଳି ଅଧିକ ଲକ୍ଷଣ ଦେଖାଦେଉ ନାହିଁ। ଜୁଲାଇ ଓ ଅଗଷ୍ଟ ବେଳକୁ ଏହି ରୋଗ ଶୀର୍ଷରେ ଛୁଇଁବାର ଆଶଙ୍କା କରାଯାଉଛି। ୭ରୁ ୧୦ ଦିନ ଯାଏ ଭୂତାଣୁ ସକ୍ରିୟ ରହୁଥିବା ବେଳେ ପରେ ଶିଶୁ ସୁସ୍ଥ ହୋଇଯାଉଥିବା ଡାକ୍ତର ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର