ହାଇଟେକ୍ ମେଡିକାଲ କଲେଜକୁ ସରକାରଙ୍କ ଚେତାବନୀ : ଛାତ୍ରଛାତ୍ରୀଙ୍କୁ ନାମ ଲେଖାରୁ ବାରଣ କଲେ ଏନ୍‌ଓସି ପ୍ରତ୍ୟାହାର

ଭୁବନେଶ୍ବର : ଓ-ଜେଇଇ କାଉନସେଲିଂ ମାଧ୍ୟମରେ ଭୁବନେଶ୍ବର ହାଇଟେକ୍ ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଆଶ୍ବସ୍ତି ମିଳିଛି। ହାଇଟେକ୍ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ମନମାନି ଉପରେ ରୋକ୍ ଲଗାଇବା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି। ଯଦି ଚଳିତବର୍ଷ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବାରୁ/ ରିପୋର୍ଟିଂ କରିବାରୁ କଲେଜ କର୍ତ୍ତୃପକ୍ଷ ବାରଣ କରନ୍ତି ତେବେ କଲେଜର ଏନ୍‌ଓସି ପ୍ରତ୍ୟାହାର କରାଯିବ ବୋଲି ଚେତାବନୀ ଦିଆଯାଇଛି। ଆଜି ଏନେଇ ସ୍ବାସ୍ଥ୍ୟ ବିଭାଗର ଅନୁସଚିବ ରାଜେଶ କୁମାର ଅଗ୍ରୱାଲ ହାଇଟେକ୍ ମେଡିକାଲ କଲେଜ ପ୍ରିନସିପା‌ଲ୍‌ଙ୍କୁ ଚିଠି ଲେଖିଛନ୍ତି।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଲେଜ କର୍ତ୍ତୃପକ୍ଷଙ୍କ ପାଇଁ ତିିନିଟି ସର୍ତ୍ତ ରଖାଯାଇଛି। ପ୍ରଥମ ସର୍ତ୍ତ ହେଉଛି ଓ-ଜେଇଇ ଗାଇଡଲାଇନ୍ ଅନୁଯାୟୀ କଲେଜରେ ୨୦୧୯-୨୦ ଶିକ୍ଷା ବର୍ଷ ପାଇଁ ଛାତ୍ରଛାତ୍ରୀଙ୍କ ନାମ ଲେଖା/ରିପୋର୍ଟିଂ ହେବ। ଦ୍ବିତୀୟ ସର୍ତ୍ତ, ନାମ ଲେଖା/ରିପୋର୍ଟିଂ ସମୟରେ କଲେଜ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀ କିମ୍ବା ଅଭିଭାବକଙ୍କ ଠାରୁ ପରବର୍ତ୍ତୀ ସମୟରେ ବର୍ଧିତ ଫି’ ଆଦାୟ ନେଇ କୌଣସି ଅଣ୍ଡରଟେକିଂ ନେଇପାରିବେ ନାହିଁ। ତୃତୀୟ ସର୍ତ୍ତ, କଲେଜ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ହୋଇଥିବା ଫି’ ଷ୍ଟ୍ରକଚର୍‌କୁ ମାନିବେ।

ଏସବୁ ସର୍ତ୍ତ ଖିଲାପ କଲେ ସରକାରୀ ନିର୍ଦ୍ଦେଶ ଅବମାନନା ହେଲା ବୋଲି ଧରାଯିବ। ଏହାପରେ କଲେଜର ଏନ୍‌ଓସି ପ୍ରତ୍ୟାହାର ହେବ ‌େବାଲି କୁହାଯାଇଛି।

ସୂଚନାଯୋଗ୍ୟ ଯେ, ମେଡିକାଲ କାଉନସେଲିଂ ବେଳେ ହାଇଟେକ୍ ମେଡିକାଲ କଲେଜ, ଭୁବନେଶ୍ବରରେ ନାମ ଲେଖାଇବା ପାଇଁ ଯେଉଁ ଛାତ୍ରଛାତ୍ରୀମାନେ ଯୋଗ୍ୟ ବିବେଚିତ ହୋଇଥିଲେ ସେମାନେ ଓ-ଜେଇଇରେ ସମସ୍ତ ଡକୁମେଣ୍ଟ ଦାଖଲ କରିବା ପରେ ହାଇଟେକ୍ କଲେଜରେ ନାମ ଲେଖାଇବାକୁ/ରିପୋର୍ଟିଂ କରିବାକୁ ଯାଇଥିଲେ। କିନ୍ତୁ କଲେଜ କର୍ତ୍ତୃପକ୍ଷ ଧାର୍ଯ୍ୟ ଫି’ ଠାରୁ ଅଧିକ ଫି’ ଦାବି କରିଥିଲେ। ଏହାପରେ ଅଭିଭାବକମାନେ ବିରୋଧ କରିବାରୁ ସେମାନଙ୍କ ଠାରୁ ପରବର୍ତ୍ତୀ ସମୟରେ ବର୍ଦ୍ଧିତ ଫି’ ଦେବା ନେଇ ଅଣ୍ଡରଟେକିଂ ଦେବାକୁ କୁହାଯାଇଥିଲା। ଯାହାକୁ ବିରୋଧ କରି ଅଭିଭାବକ, ଛାତ୍ରଛାତ୍ରୀ, ଓଡ଼ିଶା ଅଭିଭାବକ ମହାସଂଘ ସ୍ବାସ୍ଥ୍ୟ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ହାଇଟେକ୍ କଲେଜ କର୍ତ୍ତୃପକ୍ଷଙ୍କୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର