ହାଇଟେକ୍ ହାତକୁ ଯିବ ଟାଟା କୋଭିଡ଼୍-୧୯ ହସ୍ପିଟାଲ ପରିଚାଳନା ଭାର

ଆସନ୍ତା ୨୪ତାରିଖରୁ ପରିଚାଳନା କରିବ ହାଇଟେକ୍, ୨୩ ଡାକ୍ତରଙ୍କ ସହ ୧୩୦ କର୍ମଚାରୀ ରହିବେ

ବ୍ରହ୍ମପୁର : ଶୀତଳାପଲ୍ଳୀ ସ୍ଥିତ ଟାଟା କୋଭିଡ଼୍ ହସ୍ପିଟାଲର ପରିଚାଳନା ଭାର ହାଇଟେକ୍ ଗ୍ରୁଫ ହାତକୁ ଯିବ । ଏଥିଲାଗି ହାଇଟେକ୍ ଗ୍ରୁଫ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣା ସରିଛି । ଆସନ୍ତା ବୁଧବାର ହାଇଟେକ୍ ଗ୍ରୁଫ ପରିଚାଳନା ଭାର ନେବ । ଶୁକ୍ରବାର(ଆସନ୍ତା ୨୪ତାରିଖ) ଠାରୁ କାର୍ଯ୍ୟ ଆରମ୍ଭ କରିବ ବୋଲି ହାଇଟେକ୍ ଗ୍ରୁପ୍‌ର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

କରୋନା ରୋଗୀଙ୍କ ଚିକିତ୍ସା ଲାଗି ବ୍ରହ୍ମପୁର ସହର ଉପକଣ୍ଠ ଶୀତଳାପଲ୍ଳୀ ଠାରେ ପ୍ରତିଷ୍ଠା ହୋଇଛି ୨ଶହ ଶଯ୍ୟା ବିଶିଷ୍ଟ ଟାଟା କୋଭିଡ଼୍-୧୯ ହସ୍ପିଟାଲ । ଏହି ଅତ୍ୟାଧୁନିକ ହସ୍ପିଟାଲରେ ୪୦ଟି ଆଇସିୟୁ ରହିଛି । ଏପ୍ରିଲ ୧୦ତାରିଖରୁ ଏହି ହସ୍ପିଟାଲ କାର୍ଯ୍ୟକ୍ରମ ହୋଇଛି । ବ୍ରହ୍ମପୁର ବଡଡାକ୍ତରଖାନା ଡାକ୍ତର ଓ ପାରାମେଡିକାଲ ଷ୍ଟାଫଙ୍କ ଦ୍ୱାରା ଏହି ହସ୍ପିଟାଲ ପରିଚାଳିତ ହେଉଛି । ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି । କରୋନା ଜନିତ ମୃତ୍ୟୁ ଓ ସଂକ୍ରମଣ ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି। କୋଭିଡ଼୍-୧୯ ହସ୍ପିଟାଲରେ ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁ ନ ଥିବା ବାରମ୍ବାର ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ଏହି ହସ୍ପିଟାଲର ପରିଚାଳନାକୁ ଆହୁରି ଅଧିକ ସଶକ୍ତ କରିବା ଲାଗି ଘରୋଇ ସଂସ୍ଥାକୁ ପରିଚାଳନା ଭାର ଦେବା ଲାଗି ମନସ୍ଥ କରିଥିବା ଜଣାପଡିଛି ।

Twitter

ହାଇଟେକ୍ ଗ୍ରୁଫର ଅଧ୍ୟକ୍ଷ ଶ୍ରୀ ପାଣିଗ୍ରାହୀ “ ସମ୍ବାଦ’କୁ ସୂଚନା ଦେଇ କହିଛନ୍ତି ଯେ, ବ୍ରହ୍ମପୁର କୋଭିଡ଼୍ -୧୯ ହସ୍ପିଟାଲ ପରିଚାଳନା ଲାଗି ରାଜ୍ୟ ସରକାର ହାଇଟେକ୍ ସହିତ ଚୁକ୍ତି କରିଛନ୍ତି । ବୁଧବାର ଆମର ଟିମ୍ କୋଭିଡ଼୍-୧୯ ହସ୍ପିଟାଲରେ ପହଞ୍ଚି ଶୁକ୍ରବାର ଠାରୁ କାମ ଆରମ୍ଭ କରିବେ । ବର୍ତ୍ତମାନ କୋଭିଡ୍-୧୯ ହସ୍ପିଟାଲରେ ଯାହା ଡାକ୍ତର ଓ ପାରାମେଡିକାଲ କର୍ମଚାରୀ କାର୍ଯ୍ୟ କରୁଛନ୍ତି ସେମାନେ କାର୍ଯ୍ୟ କରିବେ । ଯେଉଁମାନେ କାର୍ଯ୍ୟ କରିବାକୁ ଅନିଚ୍ଛା ପ୍ରକାଶ କରିବେ ସେଭଳି କ୍ଷେତ୍ରରେ ଆମ ଡାକ୍ତର କାମ କରିବେ। ଏଥିଲାଗି ଆଉ ୨୩ଜଣ ଅଭିଜ୍ଞ ଡାକ୍ତରଙ୍କୁ ଆମେ ନିଯୁକ୍ତ କରିବୁ । ହାଉସ୍‌କିପିଙ୍ଗ ଓ ସିକ୍ୟୁରିଟି ବଦଳାଯିବ । ଫୁଡ୍ ଓ ବିଭରେଜ୍ ଯାହା ରହିଛି ତାହା ରହିବ କି ବଦଳାଯିବ ଏଯାବତ୍ ସ୍ଥିର ହୋଇନାହିଁ । ଆଇସିୟୁ ପରିଚାଳନାକୁ ସଶକ୍ତ କରାଯିବ । ଆସିୟୁକୁ ଟେକନିକ୍ ଓ ଟେକ୍ନୋଲୋଜି ଦ୍ୱାରା ପରିଚାଳନା କରାଯିବ । ଏଥିଲାଗି ଆବଶ୍ୟକ ନର୍ସ, ଟେକ୍ନିସିଆନ୍ ଓ ବିଶେଷଜ୍ଞ ଆମେ ଯୋଗାଇବୁ । ଆଇସିୟୁ ପରିଚାଳନାକୁ ପ୍ରାଥମିକତା ଦିଆଯିବ । ଏଥିସହ ଜେନେରାଲ ମେଡିକାଲର ବି ପରିଚାଳନା କରାଯିବ । ବର୍ତମାନ କାମ କରୁଥିବା ଡାକ୍ତର, ପାରା ମେଡ଼ିକାଲ ଷ୍ଟାଫ ଓ ଜିଲ୍ଲା ପ୍ରଶାସନର ସହଯୋଗରେ ଆମେ ପରିଚାଳନା କରିବୁ ।

ହାଇଟେକ୍ ଗ୍ରୁପ୍ ପକ୍ଷରୁ ସମୁଦାୟ ୧୩୦ଜଣ କର୍ମଚାରୀ କାମ କରିବେ । ହାଇଟେକ୍ ପକ୍ଷରୁ କୋଭିଡ ହସ୍ପିଟାଲର ମୁଖ୍ୟ କାର୍ଯ୍ୟନିର୍ବାହୀ ସଂଗ୍ରାମ ପାତ୍ର, ମେଡିକାଲ ସୁପରିଟେଣ୍ଡ ପି.କେ.ସେଠୀ, ଆସିୟୁ ଲାଗି ଚିଫ୍ କନ୍ସଲଟାଂନଟ୍ ଭାବେ ଡଃ.ଶରତ ବେହେରା କାର୍ଯ୍ୟ କରିବେ । ରାଉରକେଲା, ଝାରସୁଗୁଡ଼ା, ଗଜପତି, ଭୁବନେଶ୍ୱର ଠାରେ କୋଭିଡ଼୍-୧୯ ହସ୍ପିଟାଲ ହାଇଟେକ୍ ଗ୍ରୁପ୍ ଦ୍ୱାରା ପରିଚାଳିତ ହେଉଥିବା ହାଇଟେକ୍ ଗ୍ରୁଫ ଅଧ୍ୟକ୍ଷ ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର