ରାୟଗଡା: ରାୟଗଡ଼ା ଜିଲ୍ଲାରେ ପଶିଥିବା ମହାବଳ ବାଘ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଛି। ଗତ କିଛି ଦିନ ମଧ୍ୟରେ ବାଘର ଗତିବିଧି ତଥା ହାବଭାବରେ ଅନେକ ପରିବର୍ତ୍ତନ ହୋଇଛି। ଦିନରେ ଆଦୌ ଚଳପ୍ରଚଳ କରୁନାହିଁ। ରାତି ହେଲେ ମାଇଲ ମାଇଲ ବାଟ ଅତିକ୍ରମ କରୁଛି। ବିଶେଷ କରି ନଦୀକୂଳ କିମ୍ବା ଜଳ ଉତ୍ସ ରହିଥିବା ସ୍ଥାନରେ ହିଁ ବାଘ ସୁରାକ ଛାଡ଼ୁଛି। ସେହିପରି ଶିକାର ଶୈଳୀରେ ବି ପରିବର୍ତ୍ତନ ଚିନ୍ତାକୁ ବଢ଼ାଇଛି।

Advertisment

ଦୁଇ ସପ୍ତାହ ହେଲା ଗୁଡ଼ାରି, ପଦ୍ମପୁର ଏବଂ ଗୁଣପୁର ଜଙ୍ଗଲରେ ବାଘ ବୁଲୁଛି। ପାଦଚିହ୍ନକୁ ବନ ବିଭାଗ କର୍ମଚାରୀ ପିଛା କରୁଥିଲେ ବି ବାଘ ନିକଟରେ ପହଞ୍ଚି ପାରୁନାହାନ୍ତି। ତେଣୁ ଗତିବିଧିକୁ ଅନୁଧ୍ୟାନ କରିବାରୁ ଦିନରେ ସୁରକ୍ଷିତ ସ୍ଥାନ ଦେଖି ବାଘ ଲୁଚି ରହିବା ସହ ବିଶ୍ରାମ ନେଉଛି। ରାତି ଅନ୍ଧାରରେ ଶିକାର ଖୋଜୁଛି। ଦୁଇ ଦିନ ତଳେ ପଦ୍ମପୁର ଅଞ୍ଚଳର ରାଉତରଙ୍ଗା ଏବଂ ଆଣ୍ଡରୁଗୁଡ଼ା ଗ୍ରାମ ନିକଟରୁ ବାଘର ପାଦଚିହ୍ନ ମିଳିଥିଲା। ଏହାପରେ ଗତକାଲି ରାତିରେ ଗୁଡ଼ାରୀ ବ୍ଲକ ତେମ୍ବାଗୁଡ଼ା ଗାଁର ଗୋଟିଏ ବାଛୁରି ଶିକାର କରିଥିଲା। ଆଜି ସକାଳେ ବାଛୁରି ଶରୀରର କିଛି ଅଂଶ ଗାଁ ପାଖ ଜଙ୍ଗଲରେ ମିଳିବା ପରେ ଗୋପାଳକ ରାଜେଶ ରାଓ ବନ ବିଭାଗକୁ ଖବର ଦେଇଥିଲେ। ବନ କର୍ମଚାରୀ ପହଞ୍ଚି ବଂଶଧାରା କୂଳରେ ପାଦଚିହ୍ନ ଠାବ କରିଥିଲେ। ଏଥରୁ ଜଣାପଡ଼ୁଛି, ବାଘ ଭୋକିଲା ହୋଇ ନଳକୂଳରେ ଶିକାର ପାଇଁ ଅପେକ୍ଷା କରିଥିଲା। କିନ୍ତୁ ଶିକାର ନ ମିଳିବାରୁ ଜନବସତିରୁ ବାଛୁରି ଉଠାଇ ନେଇଥିଲା। ସେହିପରି ଜଙ୍ଗଲରେ ବାଘ ପାଇଁ ଖାଦ୍ୟ ଅଭାବ ରହିଥିବାରୁ ଜନବସତିକୁ ଆସିବା ପାଇଁ ବାଧ୍ୟ ହୋଇଛି।

ଯଦି ଜନବସତିରେ ମଧ୍ୟ ଶିକାର ମିଳିବ ନାହିଁ ତେବେ ଆଗକୁ ମଣିଷକୁ ଆକ୍ରମଣ କରିବାର ସମ୍ଭାବନା ବଢ଼ିଛି। ତେମ୍ବାଗୁଡ଼ା, ପେଣ୍ଡଲି ଓ ଢେପଗୁଡ଼ା ଅଞ୍ଚଳରୁ ସର୍ବାଧିକ ସୁରାକ ମିଳିଥିବା ବନ ବିଭାଗ କହିଛି। ଆଜି ରାତିରେ ମଧ୍ୟ ବାଘ ଗାଁକୁ ଆସିବା ସମ୍ଭାବନା ରହିଛି। ତେଣୁ ବନ ବିଭାଗ ଅଧିକାରୀ ଦିଲୀପ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ଦୁଇଟି ଟିମ୍‌ ଜଙ୍ଗଲରେ ଏବଂ ବଂଶଧାରା ନଦୀ କୂଳରେ ଡେରା ପକାଇଛନ୍ତି। ତୁରନ୍ତ ବାଘକୁ ଧରିବା ପାଇଁ ବନ ବିଭାଗ ଟିମ୍‌କୁ ନିକଟସ୍ଥ ଗ୍ରାମବାସୀ ମଧ୍ୟ ସହାୟତା କରୁଛନ୍ତି।