ସଂକ୍ରମଣ ଲୁଚାଇବା ବେଶି ମାରାତ୍ମକ, ଘାତକ ହୋଇପାରେ ‌କରୋନା ପରବର୍ତ୍ତୀ ଜଟିଳତା

ଦେବେନ୍ଦ୍ର ସାମନ୍ତରାୟ

କୋଭିଡ୍‌-୧୯ ବା କରୋନା ବିପଦ ମାନବଜାତି ସହ ଆହୁରି ଦୀର୍ଘ ସମୟ, ଏମିତିକି ଦୀର୍ଘ ବର୍ଷ ପର୍ଯ୍ୟନ୍ତ ରହିବ ବୋଲି ବୈଜ୍ଞାନିକ ଓ ବିଶେଷଜ୍ଞମାନେ ସ୍ପଷ୍ଟ ଭାବେ କହି ସାରିଲେଣି। ସେପଟେ ଏହାର ଟିକା ଓ ଔଷଧ ଆଉ ମାସ କେଇଟା ମଧ୍ୟରେ ବଜାରରେ ଉପଲବ୍ଧ ହେବ ବୋଲି କିଛି ବଡ଼ ଫାର୍ମା କଂପାନି ଓ ଗବେଷଣା ସଂସ୍ଥା ଆଶ୍ବାସନା ଦେଉଛନ୍ତି। କେତେକ ଦେଶର ଜନକଲ୍ୟାଣକାରୀ ସରକାର ସେମାନଙ୍କ ନାଗରିକଙ୍କୁ ମାଗଣା ଟିକା ପ୍ରଦାନ ପାଇଁ ମଧ୍ୟ ଯୋଜନା କରିଛନ୍ତି। କିନ୍ତୁ ଏ ସବୁ ଟିକା ଓ ଔଷଧ ଯେ ଶହେ ପ୍ରତିଶତ ସଫଳ ହେବେ ତାହା କେହି ଗ୍ୟାରେଣ୍ଟି ସହ କହି ପାରୁନାହାନ୍ତି। କାରଣ, ଯେକୌଣସି ଟିକା ବା ଔଷଧ ସୁରକ୍ଷିତ ପ୍ରୟୋଗ ପୂର୍ବରୁ ତାର କାର୍ଯ୍ୟଦକ୍ଷତା, ପ୍ରଭାବ ଓ ପାର୍ଶ୍ବ ପ୍ରତିକ୍ରିୟା ଆଦି ଉପରେ ଯେଭଳି ସଘନ ପରୀକ୍ଷଣ ହେବା କଥା କରୋନା ଟିକା/ଔଷଧ କ୍ଷେତ୍ରରେ ତାହା ହୋଇନାହିଁ। ତରବରିଆ ଭାବେ ଆସୁଥିବା ଔଷଧ ଲୋକଙ୍କ ପାଇଁ ଅଧିକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାର ବିପଦ ମଧ୍ୟ ରହିଛି। ଏଭଳି ପରିସ୍ଥିତିରେ ସରକାର ଓ କିଛି ଲୋକଙ୍କ କାର୍ଯ୍ୟ ଓ ଆଚରଣ ଚିନ୍ତା ବଢ଼ାଇ ଦେଉଛି।

ଆମ ଓଡ଼ିଶା କଥା ନିଆଯାଉ। ଓଡ଼ିଶାରେ ଦୈନିକ ସଂକ୍ରମଣ ଏବେ ଖସି ଆସିଥିବା ନେଇ ଆଶ୍ବସ୍ତି ପ୍ରକାଶ ପାଉଛି। ଯୁଆଡ଼େ ଦେଖିଲେ ଲୋକେ ଫୁଲାଫାଙ୍କିଆ ବୁଲୁଛନ୍ତି। ସେପଟେ କିନ୍ତୁ ସରକାରୀ ଭ‌ାବେ ଦିଆଯାଉଥିବା କୋଭିଡ୍‌ ପରିସଂଖ୍ୟାନକୁ ନେଇ ସନ୍ଦେହ ପ୍ରକାଶ ପାଉଛି। ସରକାର ସତ୍ୟ ଓ ତଥ୍ୟ ଲୁଚାଉଛନ୍ତି ବୋଲି ବିଭିନ୍ନ ମହଲରୁ ଅଭିଯୋଗ ଉଠୁଛି। ପରୀକ୍ଷଣ ସଂଖ୍ୟା କମାଇ ଦିଆଯାଇଥିବାରୁ ପଜିଟିଭ୍‌ ସଂଖ୍ୟା କମ୍‌ ରହୁଥିବା କୁହାଯାଉଛି।

ଏହି ଅଭିଯୋଗ ଯଦି ସତ୍ୟ ହୋଇଥାଏ, ତେବେ ସରକାରଙ୍କ ଆଭିମୁଖ୍ୟ ଭବିଷ୍ୟତ ପାଇଁ ଅତି ମାରାତ୍ମକ ପରିସ୍ଥିତି ସୃଷ୍ଟି କରିବ। ସଂକ୍ରମଣ ଶୃଙ୍ଖଳ ଭଙ୍ଗ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଗତ ମାର୍ଚ୍ଚ ମାସରୁ ସାମାଜିକ ଦୂରତ୍ବ, ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ଆଦି ସହ ଜନସାଧାରଣଙ୍କ ଗମନାଗମନ, ସାମାଜିକ ଓ ଧାର୍ମିକ ଉତ୍ସବାନୁଷ୍ଠାନ ଆଦି ଉପରେ କଟକଣା ଲଗାଇଥିଲେ। ଏସବୁ କଟକଣାର ସୁଫଳ ତ ମିଳିପାରିବ ନାହିଁ; ବରଂ ଭିତରେ ଭିତରେ ସଂକ୍ରମଣ ବଢ଼ି ଅଧିକ ଲୋକଙ୍କୁ ସଂକ୍ରମିତ ନଚେତ ଭୂତାଣୁ ବାହକ କରିଦେବ। ‘ଭୂତାଣୁ ବାହକ ଅଧିକ ବିପଦର କାରଣ। ଜଣେ ସଂକ୍ରମିତ ବ୍ୟକ୍ତିଙ୍କଠାରେ ଲକ୍ଷଣ ଦେଖାଦେଲେ ସେ ଉପଯୁକ୍ତ ଚିକିତ୍ସା ପରେ ସୁସ୍ଥ ହୁଅନ୍ତି। ଏହାପରେ ତାଙ୍କଠାରୁ ସଂକ୍ରମଣ ବ୍ୟାପିବା ଆଶଙ୍କା କମ୍‌ ଥାଏ। ଅପରପକ୍ଷେ ଜଣେ ‘ଭୂତାଣୁ ବାହକ ଠାରେ କିଛି ଲକ୍ଷଣ ଦେଖାଯାଉନଥିବାରୁ ସେ ନିଜକୁ ସଂକ୍ରମିତ ବୋଲି ଭାବନ୍ତି ନାହିଁ। କିନ୍ତୁ ତାଙ୍କ ଶରୀରରେ ପ୍ରବେଶ କରିଥିବା ଭୂତାଣୁ ଅନ୍ୟ ବ୍ୟକ୍ତିଙ୍କ ଶରୀରକୁ ମଧ୍ୟ ଯାଇପାରେ। ଏଭଳି ବ୍ୟକ୍ତି ସୁପର ସ୍ପ୍ରେଡର ବି ସାଜି ପାରନ୍ତି।

ଏହି ଦୁଇ ପ୍ରକାରର ବ୍ୟକ୍ତିଙ୍କ ଅପେକ୍ଷା ଅଧିକ ମାରାତ୍ମକ ହେଉଛନ୍ତି ରୋଗକୁ ଲୁଚାଉଥିବା ବ୍ୟକ୍ତି। ଏବେ ଏହି ତୃତୀୟ ପ୍ରକାର ବ୍ୟକ୍ତିବିଶେଷଙ୍କ ସଂଖ୍ୟା ଢେର୍‌ ଅଧିକ ଥିବା ଦେଖିବାକୁ ମିଳୁଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଉଚ୍ଚଶିକ୍ଷିତ। ଏମାନଙ୍କ ଦେହରେ କରୋନା ସଂକ୍ରମଣର ଆଦ୍ୟ ଲକ୍ଷଣ ପ୍ରକାଶ ପାଇଲେ ସୁଦ୍ଧା ଏମାନେ ପରୀକ୍ଷା କରୁନାହାନ୍ତି, ସିଧା ସିଧା କୋଭିଡ୍‌ ଔଷଧ ସଂଗ୍ରହ କରି ଲୁଚି ଲୁଚି ଖାଇ ଦେଉଛନ୍ତି। ପରିବାର ଲୋକଙ୍କୁ ବି ଔଷଧ ଖୁଆଉଛନ୍ତି। କିନ୍ତୁ ପଡ଼ିଶା ଘର ଲୋକେ କାଳେ ଜାଣିଦେବେ ବୋଲି ଏମାନେ କିଛି ନ ହୋଇଥିଲା ଭଳି ବାହାରେ ବୁଲୁଛନ୍ତି। ସାମାଜିକ ଦୂରତ୍ବ ପାଳନ କରୁନାହାନ୍ତି। ହାଟବଜାରରେ ବୁଲୁଛନ୍ତି।

ଆହୁରି ଦୁର୍ଭାଗ୍ୟର କଥା ହେଉଛି, ନିଜର ଆଚରଣ ଓ କାର୍ଯ୍ୟକୁ ଯଥାର୍ଥ ସାବ୍ୟସ୍ତ କରିବା ଲାଗି ଏମାନେ ଖୁବ୍‌ ଭଲ ଯୁକ୍ତି ବି କରିପାରନ୍ତି। ଯେମିତି, ସରକାରୀ କୋଭିଡ୍‌ ଡାକ୍ତରଖାନାରେ ପ୍ରବଳ ଅବ୍ୟବସ୍ଥା; ସେଠାକୁ ଗଲେ ଭଲ ଥିବା ଲୋକ ବି ଅକାରଣରେ ମରିଯିବ, ଘରେ ରହି ଚିକିତ୍ସିତ ହେବାକୁ ଖୋଦ୍‌ ସରକାର ତ କହୁଛନ୍ତି, ଡାକ୍ତରଖାନା ଗଲେ ଅଧିକ କଣ ହେବ(?), ବେସରକାରୀ ଡାକ୍ତରଖାନାମାନେ ଲୁଟୁଛନ୍ତି ଇତ୍ୟାଦି ଇତ୍ୟାଦି। ମଝିରେ ମଝିରେ ସରକାରଙ୍କ କିଛି ପଦକ୍ଷେପ ଓ ଘୋଷଣା ବି ଏମାନଙ୍କୁ ବହୁତ ସୁହାଉଛି। ସଂକ୍ରମଣ ହାର ସର୍ବୋଚ୍ଚ ସ୍ତରରେ ଥିବା ବେଳେ ସରକାର ପରୀକ୍ଷଣ ସଂଖ୍ୟା କମାଇଦେବା ଓ ଅନ୍‌ଲକ୍‌ ଘୋଷଣା କରିବା ଏଭଳି ବ୍ୟକ୍ତିବିଶେଷଙ୍କ ଯୁକ୍ତିକୁ ଟାଣ କରୁଛି। କିନ୍ତୁ ଏଭଳି ଅବ୍ୟବସ୍ଥା ଭବିଷ୍ୟତ ଲାଗି ବଡ଼ ବିପଦର କାରଣ ହୋଇପାରେ ବୋଲି ଏବେ ବିଶେଷଜ୍ଞ କହୁଛନ୍ତି। କାରଣ ଶୀତଦିନ ଆସୁଛି ଓ ଅନେକ ଦେଶରେ କରୋନାର ଦ୍ବିତୀୟ ଲହର ଆରମ୍ଭ ହୋଇ ସାରିଲାଣି। ଆମ ଦେଶରେ ମଧ୍ୟ ଏଭଳି ଲହର ଆସିବା କିଛି ଅସମ୍ଭବ ନୁହେଁ। ଏହାର ଝଲକ ମଧ୍ୟ କିଛି ସ୍ଥାନରେ ଦେଖିବାକୁ ମିଳିଲାଣି।

କରୋନାରୁ ମୁକ୍ତ ହେଉଥିବା ରୋଗୀଙ୍କ ଶରୀରରେ ମଧ୍ୟ ଦୀର୍ଘ ଦିନ ଯାଏ କରୋନା ଭୂତାଣୁ ରହନ୍ତି ଓ ଭିତରେ ଭିତରେ ବିଭିନ୍ନ ସମସ୍ୟା ବଢ଼ାଇଥାନ୍ତି ବୋଲି ଏ‌ବେ ଗବେଷକମାନେ ନୂଆ ତଥ୍ୟ ଦେଲେଣି। ଆମ ଦେଶର ମହାରାଷ୍ଟ ଓ ତାମିଲନାଡୁ ଭଳି କିଛି ରାଜ୍ୟରେ ଏଭଳି କିଛି ରୋଗୀ ଚିହ୍ନଟ ହୋଇଛନ୍ତି ଯେଉଁମାନେ କରୋନାରୁ ମୁକ୍ତ ହୋଇସାରିବାର ଦୀର୍ଘ ଦିନ ପରେ ବିଭିନ୍ନ କରୋନାଜନିତ ସମସ୍ୟାରେ ପଡ଼ି ପୁଣି ଡାକ୍ତରଖାନାରେ ଭର୍ତ୍ତି ହେବାକୁ ବାଧ୍ୟ ହୋଇଛନ୍ତି।

ଅନ୍ତରାଷ୍ଟ୍ରୀୟ ଖ୍ୟାତିସଂପନ୍ନ ଚିକିତ୍ସାସେବା ସଂସ୍ଥା ମାୟୋ କ୍ଲିନିକ୍‌ର ନିର୍ଦେଶକ ଗ୍ରେଗୋରି ପୋଲାଣ୍ଡଙ୍କ ମତରେ ଜଣେ କରୋନା ଆକ୍ରାନ୍ତ ସ୍ଥଳବିଶେଷରେ ଗୋଟିଏ ସପ୍ତାହ କିମ୍ବା ଅତିବେଶିରେ ଚାରିପାଞ୍ଚ ସପ୍ତାହ ମଧ୍ୟରେ ସୁସ୍ଥ ହୋଇଯାଆନ୍ତି। କିନ୍ତୁ ପରବର୍ତ୍ତୀ ୬ ମାସରୁ ବର୍ଷେ ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏହି ସମୟ ମଧ୍ୟରେ ସେମାନଙ୍କ ଶରୀରରେ ଲକ୍ଷଣ ନ ଥିଲେ ମଧ୍ୟ ସେମାନଙ୍କ ଫୁସ୍‌ଫୁସ୍‌, ହୃତପିଣ୍ଡ, କିଡ୍‌ନି, ଲିଭର ଓ ମସ୍ତିଷ୍କ ଭଳି ଅତି ଗୁରୁତ୍ବପୂର୍ଣ୍ଣ ଅଙ୍ଗ ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ରହୁଛି। ତେଣୁ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଓ ସାବଧାନତା ମଧ୍ୟରେ ରହିବାକୁ ପଡ଼ିବ। ଏସବୁ ଅଙ୍ଗର ନିୟମିତ ଯାଞ୍ଚ ମଧ୍ୟ ଜରୁରୀ। କେବଳ ଏତିକି ନୁହେଁ, ଶରୀରର ବିଭିନ୍ନ ଧମନୀ, ସ୍ନାୟୁ କୋଷିକା ମଧ୍ୟ କ୍ଷତିଗ୍ରସ୍ତ ହୋଇପାରନ୍ତି। ଦୁର୍ବଳ ଲାଗିବା, ମାନସିକ ବିଷାଦଗ୍ରସ୍ତ ହେବା, ଅକାରଣରେ ରକ୍ତ ଜମାଟ ବାନ୍ଧିବା, ଆଂଶିକ ପକ୍ଷାଘାତ ହେବା, ଶ୍ବାସକ୍ରିୟାରେ ସମସ୍ୟା ଓ ପାର୍କିନସନ୍‌ ଭଳି ରୋଗର ଶିକାର ହେବା ଆଶଙ୍କା ମଧ୍ୟ ରହିଛି। ସେ ଦୃଷ୍ଟିରୁ ଯେଉଁମାନେ କୋଭିଡ୍‌ର ପ୍ରାରମ୍ଭିକ ବା ଆଂଶିକ ଲକ୍ଷଣ ସତ୍ତ୍ବେ ପରୀକ୍ଷା କରୁନାହାନ୍ତି ଓ ଲୁଚା‌େଚାର‌ାରେ ଚିକିତ୍ସା କରି ରହି ଯାଉଛନ୍ତି; ସେମାନେ ଭବିଷ୍ୟତରେ ନିଜ ପାଇଁ ଓ ପରୋକ୍ଷରେ ଅନ୍ୟମାନଙ୍କ ପାଇଁ ବିପଦର କାରଣ ହେବା ସମ୍ଭାବନା ଅଧିକ। ପୂର୍ବରୁ ମଧ୍ୟ ଏକ ଲେଖାରେ ଏହି ଲେଖକ କରୋନାକୁ ଡରି ଲୁଚିବା ଅପେକ୍ଷା ନିୟମିତ ଯୋଗ, ପ୍ରାଣାୟାମ, ବ୍ୟାୟାମ ଓ ଆଦର୍ଶ ଭାରତୀୟ ଜୀବନଶୈଳୀର ଆହାର ବିହାର ଦ୍ବାରା ନିଜ ବ୍ୟକ୍ତିଗତ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଆହ୍ବାନ ଦେଇଥିଲା। ଏହା ନ କରି ନିଜେ ଲୁଚିଲେ କି ରୋଗକୁ ଲୁଚାଇଲେ ଏହା କରୋନାକୁ ସହାୟକ ହେବ ଏବଂ ନିଜ ତଥା ସମାଜ ପାଇଁ ଆତ୍ମଘାତୀ ହେବ ହିଁ ହେବ।

ସମ୍ବନ୍ଧିତ ଖବର