କରୋନା ଭୂତାଣୁ ଭୟ : ରାଜ୍ୟରେ ହାଇ ଆଲର୍ଟ

ଭୁବନେଶ୍ବର : ଚୀନ୍‌‌ରେ ବ୍ୟାପିଥିବା କରୋନା ଭୂତାଣୁକୁ ନେଇ ବିଶ୍ବବ୍ୟାପୀ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଆଜି ବଜ୍ୟରେ ହାଇ ଆଲର୍ଟ ଜାରି ହୋଇଛି। କେରଳ, ମହାରାଷ୍ଟ୍ର ଓ ତେଲେଙ୍ଗାନା‌ରେ କରୋନା ଭୂତାଣୁ ଦ୍ବାରା କିଛି ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ସତର୍କତାମୂଳକ ଉପଦେଶାବଳୀ ଜାରି କରାଯାଇଛି। ଭୁବନେଶ୍ବର ଓ ଝାରସୁଗୁଡ଼ା ବିମାନବନ୍ଦର କର୍ତୃପକ୍ଷଙ୍କ ସହିତ ପୂର୍ବତଟ ଓ ଦକ୍ଷିଣ ପୂର୍ବ ରେଳବାଇ କର୍ତୃପକ୍ଷଙ୍କୁ ସତର୍କ ରହିବାକୁ କୁହାଯାଇଛି। ଏହାସହିତ ଏସ୍‌ସିବି, ଏମ୍‌କେସିଜି, କ୍ୟାପିଟାଲ ହସ୍ପିଟାଲ ଓ ଝାରସୁଗୁଡ଼ାରେ ଏଥିପାଇଁ ସ୍ବତନ୍ତ୍ର ଭାବେ ଆଇସୋଲେସନ୍‌ ୱାର୍ଡ ପ୍ରସ୍ତୁତ ହୋଇଛି। କୌଣସି ଆକ୍ରାନ୍ତ ଚିହ୍ନଟ ହେଲେ ତୁରନ୍ତ ତାଙ୍କୁ ଆଇସୋଲେସନ୍‌ ୱାର୍ଡରେ ଚିକିତ୍ସା କରିବାର ବନ୍ଦୋବସ୍ତ କରାଯାଇଛି। ପ୍ରତିଦିନ ଏ ସଂପର୍କିତ ରିପୋର୍ଟ ଜନସ୍ବାସ୍ଥ୍ୟ ନିର୍ଦେଶାଳୟକୁ ପଠାଇବା ପାଇଁ କୁହାଯାଇଛି।

ଆଜି ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ବୈଠକ‌ରେ କରୋନା ଭୂତାଣୁକୁ ନେଇ କେଉଁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ତାହା ଉପରେ ଆଲୋଚନା ହୋଇଥିଲା। ଏହି ଭୂତାଣୁ ଚୀନ୍‌ରେ ଆତଙ୍କ ଖେଳାଇଥିବା ବେଳେ ଏହି ଅଞ୍ଚଳରୁ ଓଡ଼ିଶାକୁ ଆସୁଥିବା ଯାତ୍ରୀଙ୍କ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ପାଇଁ ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଓ ଝାରସୁଗୁଡ଼ାସ୍ଥିତ ବିମାନବନ୍ଦର କର୍ତୃପକ୍ଷଙ୍କୁ କୁହାଯାଇଛି। ବିମାନବନ୍ଦର କର୍ତୃପକ୍ଷ ନିଜ ନିଜର ଏକ ସ୍କ୍ରିନିଂ କେନ୍ଦ୍ର ଖୋଲିବା ସହିତ ଯଦି କୌଣସି ବ୍ୟକ୍ତି ସନ୍ଦେହ ଭିତରକୁ ଆସନ୍ତି ତେବେ ତୁରନ୍ତ ସ୍ଥାନୀୟ ନୋଡାଲ କେନ୍ଦ୍ରକୁ ସୂଚନା ଦେବାକୁ ନିର୍ଦେଶ ଦିଆଯାଇଛି।

କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ ସମେତ ଏମ୍‌କେସିଜି ମେଡିକାଲ କଲେଜ, କ୍ୟାପିଟାଲ ହସ୍ପିଟାଲ ଓ ଝାରସୁଗୁଡ଼ାରେ ସ୍ବତନ୍ତ୍ରଭାବେ ଏକ ଆଇସୋଲେସନ୍‌ ୱାର୍ଡ କାର୍ଯ୍ୟ କରିବ। ଏହି ୱାର୍ଡରେ ଅତିକମ୍‌ରେ ୪ଟି ଶଯ୍ୟା ସଂରକ୍ଷିତ ରଖିବା ପାଇଁ କୁହାଯାଇଛି। ସଂପୃକ୍ତ ହସ୍ପିଟାଲର ଛାତିରୋଗ ବିଶେଷଜ୍ଞ ବା ପଲମୋନୋଲୋଜିଷ୍ଟଙ୍କ ଅଧୀନରେ ଏହି ଆଇସୋଲେସନ୍‌ ୱାର୍ଡ କାର୍ଯ୍ୟ କରିବ। ଏହାସହ ନିଶ୍ଚେତକ ବିଭାଗ, ଇଏନ୍‌ଟି, ମାଇକ୍ରୋବାଇଓଲୋଜି, ପାଥୋଲୋଜି ଓ ଅନ୍ୟାନ୍ୟ ବିଭାଗକୁ ସତର୍କ ରହିବା ପାଇଁ ନିର୍ଦେଶ ଦିଆଯାଇଛି। କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଏଥିପାଇଁ ଏକ ଚିକିତ୍ସା କମିଟି ଗଠନ କରିବେ। ଯାହାଫଳରେ ଏହି ସମସ୍ତ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା ହୋଇପାରିବ। ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଔଷଧ ରାଜ୍ୟ ଔଷଧ ନିଗମ ପକ୍ଷରୁ ଯୋଗାଇ ଦିଆଯିବା। ଯଦି ଔଷଧ ଉପଲବ୍ଧ ନ ହୁଏ ତେବେ ସ୍ଥାନୀୟ ଔଷଧ ଦୋକାନରୁ ଏହାକୁ କିଣିବା ଲାଗି ନିର୍ଦେଶ ଦିଆଯାଇଛି। ଅତିରିକ୍ତ ଗ୍ରୁପ୍ ଡି କର୍ମଚାରୀଙ୍କ ନିଯୁକ୍ତି ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯିବ। ପାରାଦୀପ ବନ୍ଦର କର୍ତୃପକ୍ଷଙ୍କ ସମେତ ରେଳବାଇ କର୍ତୃପକ୍ଷ ମଧ୍ୟ ନିଜ ନିଜର ଆଇସୋଲେସନ୍‌ ୱାର୍ଡ ବନ୍ ଦୋବସ୍ତ କରିବା ପାଇଁ ଚିଠି ଜାରି ହୋଇଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସା‌ରେ, ଗତକାଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ଭୂତାଣୁ ପାଇଁ ସତର୍କତା ଜାରି କରାଯାଇଥିଲା। ତେବେ ଏଥିରେ ଝାରସୁଗୁଡ଼ା ବିମାନବନ୍ଦରକୁ ବାଦ୍ ଦିଆଯାଇଥିଲା। ତେବେ ଆଜି ସ୍ବାସ୍ଥ୍ୟ ବିଭାଗର ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଝାରସୁଗୁଡ଼ା ବିମାନବନ୍ଦରକୁ ସାମିଲ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ପରେ ସ୍ବାସ୍ଥ୍ୟସେବା, ଜନସ୍ବାସ୍ଥ୍ୟ ନିର୍ଦେଶକ, ଡିଏମ୍‌ଇଟି କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ଏ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ପରେ କ୍ୟାପିଟାଲ ହସ୍ପିଟାଲର ଆଇସୋଲେସନ୍ ୱାର୍ଡକୁ କାର୍ଯ୍ୟକ୍ଷମ କରାଯାଇଥିଲା।

ଜନସ୍ବାସ୍ଥ୍ୟ ନିର୍ଦେଶକ ଡାକ୍ତର ଅଜିତ କୁମାର ମହାନ୍ତି କହିଛନ୍ତି, ରାଜ୍ୟରେ ଏ ପର୍ଯ୍ୟନ୍ତ କୌଣସି ବ୍ୟକ୍ତି କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ନଜରକୁ ଆସିନାହିଁ। ଦେଶରେ ମଧ୍ୟ ଭୂତାଣୁ ଆକ୍ରାନ୍ତ ସନ୍ଦେହରେ କିଛି ବ୍ୟକ୍ତିଙ୍କୁ ଚିକିତ୍ସା କରାଯାଉଛି। ତଥାପି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ହାଇ ଆଲର୍ଟରେ ରହିଛି। ଯଦି ବିମାନବନ୍ଦର କିମ୍ବା ରେଳ ଷ୍ଟେସନ୍‌ରେ କୌଣସି ବ୍ୟକ୍ତି ଏହି ଭୂତାଣୁରେ ଆକ୍ରାନ୍ତ ସନ୍ଦେହ ପରିସରକୁ ଆସନ୍ତି ତେବେ ତୁରନ୍ତ ସେମାନଙ୍କୁ ଏସ୍‌ସିବି, ଏମ୍‌କେସିଜି, କ୍ୟାପିଟାଲ ହସ୍ପିଟାଲ ଓ ଝାରସୁଗୁଡ଼ା ହସ୍ପିଟାଲର ଆଇସୋଲୋସନ୍‌ ୱାର୍ଡରେ ଚିକିତ୍ସା କରାଯିବ। ଏଥିରେ ୪ଟି ଶଯ୍ୟା ରହିବ, ଯଦି ଆବଶ୍ୟକ ପଡ଼େ ଏହି ଶଯ୍ୟାକୁ ବୃଦ୍ଧି କରାଯିବ। ସଂକ୍ରମିତ ବ୍ୟକ୍ତିଙ୍କ ରକ୍ତ ଓ କଫକୁ ପୁନେସ୍ଥିତ ଜାତୀୟ ଭାଇରୋଲୋଜି ପ୍ରତିଷ୍ଠାନକୁ ପଠାଯିବ। ଓଡ଼ିଶାରୁ ଏବେ କେବଳ ବ୍ୟାଙ୍କକ୍ ଓ ମାଲେସିଆକୁ ସିଧାସଳଖ ବିମାନ ରହିଛି। କରୋନା ଭୂତାଣୁ ପାଇଁ ଏ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟଭାବେ କୌଣସି ଔଷଧ ପ୍ରସ୍ତୁତ ହୋଇନାହିଁ। ତେବେ ହସ୍ପିଟାଲର ଯେଉଁ କର୍ମଚାରୀମାନେ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବେ ସେମାନେ ସ୍ବତନ୍ତ୍ରଭାବେ ତାଲିମ ପାଇଛନ୍ତି। ବ୍ୟକ୍ତିଗତ ସୁରକ୍ଷା ବା ପିପିଇ ଗ୍ରହଣ କରିବା ପାଇଁ ସେମାନଙ୍କୁ ନିର୍ଦେଶ ଦିଆଯାଇଥିବା ଡା.ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର