ମହାମାରୀ ଆଶଙ୍କା : ୫ ଜିଲ୍ଲାରେ ହାଇ ଆଲର୍ଟ

ଭୁବନେଶ୍ବର : ବାତ୍ୟା ପରବର୍ତୀ ସମୟରେ ଯେପରି କୌଣସି ସ୍ଥାନରେ ମହାମାରୀ ନ ବ୍ୟାପେ ସେଥିପାଇଁ ୫ ଜିଲ୍ଲାକୁ ହାଇ ଆଲର୍ଟରେ ରଖିଛି ସ୍ବାସ୍ଥ୍ୟ ବିଭାଗ। ଏସବୁ ଜିଲ୍ଲାର ଡାକ୍ତରଖାନାକୁ ଆସୁଥିବା ଝାଡ଼ାବାନ୍ତି ଆକ୍ରାନ୍ତ କିମ୍ବା ଜ୍ବର ଆଦିର ପୀଡ଼ିତ ରୋଗୀ ଯଦି ଚିକିତ୍ସା ପାଇଁ ଭର୍ତି ହେଉଛନ୍ତି ତେବେ ତାଙ୍କର ନମୁନା ପରୀକ୍ଷା କରିବାକୁ ନିର୍ଦେଶ ଦିଆଯାଇଛି। ନମୁନାରୁ କୌଣସି ଅଞ୍ଚଳରେ କି ପ୍ରକାର ରୋଗ ଦେଖାଦେଇଛି ତାହା ସହଜରେ ଜଣାପଡ଼ିବା ସହିତ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇ ପାରିବ।

ଏବେସୁଦ୍ଧା କୌଣସି ସ୍ଥାନରେ ମହାମାରୀର ସୂଚନା ନାହିଁ। କାଁ ଭାଁ ଲୋକ ସାଧାରଣ ଝାଡ଼ାବନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଆସୁଛନ୍ତି। ବାତ୍ୟାରେ ପୁରୀ ଜିଲ୍ଲାର ସର୍ବାଧିକ କ୍ଷତିଗ୍ରସ୍ତ ଗୋପ, ପୁରୀ ସଦର, କଣାସ, ସତ୍ୟବାଦୀ, ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ୍‌କୁ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିଟିସ୍କାନ୍, ଆଇସିୟୁ, ଏସ୍‌ଏନ୍‌ଏସିୟୁ ଓ ଡାଏଲିସିସ୍ ବ୍ୟବସ୍ଥା ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି। ଏହାସହ ଯଥେଷ୍ଟ ପରିମାଣର ଆବଶ୍ୟକ ଔଷଧ, ହାଲୋଜେନ୍ ଓ କ୍ଲୋରିନ୍ ବଟିକା, ସାଲାଇନ୍, ସାପ କାମୁଡ଼ା ଇଞ୍ଜେକସନ୍ ଆଦି ମହଜୁଦ ରହିଛି। ୧୨୦ ଭ୍ରାମ୍ୟମାଣ ସ୍ବାସ୍ଥ୍ୟକେନ୍ଦ୍ର ଏହି ବ୍ଲକ୍‌ଗୁଡ଼ିକରେ ଲୋକଙ୍କ ଘର ନିକଟରେ ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି।

୫ ଜିଲ୍ଲାର ୭୪ ଜଣ ଡାକ୍ତର, ୨୩୪ ଜଣ ପାରାମେଡିକ୍ ମୁତୟନ ହୋଇଥିବା ବେଳେ ପୁରୀ ଓ ଖୋର୍ଧା ଜିଲ୍ଲାରେ ସ୍ବତନ୍ତ୍ର ଭାବେ ୨୦ଜଣ ଡାକ୍ତର ଓ ୨ଶହ ପାରାମେଡିକ୍ ନିୟୋଜିତ ହୋଇଛନ୍ତି। ପୁରୀ ଜିଲ୍ଲାର ୧୫ରୁ ୪୫ବର୍ଷ ବୟସର ବାଳିକା ଓ ମହିଳାମାନଙ୍କୁ ମାଗଣାରେ ସାନିଟାରି ନାପକିନ୍ ଯୋଗାଇ ଦିଆଯାଇଛି। ଆସନ୍ତା ୨ମାସ ପର୍ଯ୍ୟନ୍ତ ସେମାନଙ୍କୁ ଏହା ମାଗଣାରେ ଦିଆଯିବ। ପୁରୀ ଜିଲ୍ଲାର ସମସ୍ତ ଗାଁ କଲ୍ୟାଣ ସମିତିଗୁଡ଼ିକୁ ସେମାନଙ୍କ ଅଞ୍ଚଳକୁ ସଫାସୁତରା ରଖିବା ପାଇଁ ଅଧିକ ୧୦ ହଜାର ଟଙ୍କା ଯୋଗାଇ ଦିଆଯାଇଛି। ବାତ୍ୟାଞ୍ଚଳରେ ଜଳ ଓ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ଲାଗି ଗାଁ କଲ୍ୟାଣ ସମିତି ଜରିଆରେ ଏବେ ସୁଦ୍ଧା ୧୮ହଜାର ୫୩୬ ସଫେଇ କାର୍ଯ୍ୟ ହୋଇଛି। ୬୯ହଜାର ୬୭୨ ମୁକ୍ତ ପାନୀୟଜଳ ଉତ୍ସଗୁଡ଼ିକୁ ବିଶୋଧନ କରାଯାଇଛି। ବି‌ଶୋଧନ ସମୟରେ ପ୍ରାୟ ୧୫ଟି ଜଳଉତ୍ସରେ ମୃତ ପଶୁପକ୍ଷୀ ଭାସୁଥିବା ଦେଖିବାକୁ ମିଳିଥିବା ବେଳେ ଏସବୁବୁକ ବ୍ୟବହାର ନ କରିବା ପାଇଁ ଲୋକଙ୍କୁ କୁହାଯାଇଛି। କୌଣସି ରୋଗର ପୂର୍ବ ସୂଚନା ଜାଣିବା ପାଇଁ କେନ୍ଦ୍ରରୁ ଆସିଥିବା ୧୨ଜଣିଆ ବିଶେଷଜ୍ଞ ଦଳ ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ୧୦ଜଣିଆ ଦଳ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ସର୍ବେକ୍ଷଣ ଜାରି ରଖିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର