ବାଲେଶ୍ବରରୁ କେନ୍ଦ୍ରାପଡ଼ା, ହାଇଦର ହଟଚମଟ

କଡ଼ା ସୁରକ୍ଷାରେ ହାଇଦରର ଶେଷକୃତ୍ୟ ସମ୍ପନ୍ନ

୩ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଅଢ଼େଇ ଘଣ୍ଟା ଧରି ବ୍ୟବଚ୍ଛେଦ
ଦେହରୁ ବାହାରିଲା ୩ ଗୁଳି
କେନ୍ଦ୍ରାପଡ଼ାରେ ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ

ବାଲେଶ୍ବର/କେନ୍ଦ୍ରାପଡ଼ା : ପୁଲିସ୍‌ ଏନ୍‌କାଉଣ୍ଟରେ ନିହତ କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟାର୍‌ ହାଇଦର୍‌ର ମୃତଦେହ ରବିବାର ରାତି ସାଢ଼େ ଆଠଟା ସମୟରେ କେନ୍ଦ୍ରାପଡ଼ାରେ ପହଞ୍ଚିବା ପରେ ରଣପଡ଼ା କବରସ୍ତାନ୍‌ରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ବାଲେଶ୍ବରରୁ ଶବକୁ କେନ୍ଦ୍ରାପଡ଼ାସ୍ଥିତ ଘରକୁ ନିଆ ନଯାଇ ସିଧା କବରସ୍ତାନକୁ ନିଆଯାଇଥିଲା। ସେଠାରେ ମାତ୍ର ୫ ଜଣ ଲୋକଙ୍କ ଉପସ୍ଥିତିରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଉଭୟ ବାଲେଶ୍ବର ଓ କେନ୍ଦ୍ରାପଡ଼ାଠାରେ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଥିଲା।

ବାଲେଶ୍ବରରୁ କେନ୍ଦ୍ରାପଡ଼ାକୁ ଆଣିବା ପୂର୍ବରୁ ରବିବାର ଦିନ ପ୍ରାୟ ୧୨ଟା ବେଳକୁ ବାଲେଶ୍ବର ବଡ଼ ଡାକ୍ତରଖାନାରେ ହାଇଦରର ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବ୍ୟବଚ୍ଛେଦ ପୂର୍ବରୁ କେନ୍ଦ୍ରାପଡ଼ାରୁ ଆସିଥିବା ହାଇଦରର ପତ୍ନୀ ହସିନା ବିବି, ଶାଳୀ, ଦୁଇ ବୋହୂ ରେଶମା ବିବି ଓ ଶାଲିମା ବିବି ଏବଂ ଜଣେ ଝିଅ ପୋଷ୍ଟମର୍ଟମ୍ ଗୃହକୁ ଯାଇ ହାଇଦରର ମୃତଦେହ ଦେଖିଥିଲେ। ପରେ ଜେଏମ୍‌ଏଫ୍‌ସି ଇତିଶ୍ରୀ, ବାଲେଶ୍ବର ତହସିଲଦାର ଅନାମିକା ସିଂହ, ଡେପୁଟି କଲେକ୍ଟର ଆନନ୍ଦ ସେଠୀଙ୍କ ଉପସ୍ଥିତିରେ ଡାକ୍ତର ଦିଲ୍ଲୀପ ମଲ୍ଲିକ, ଡାକ୍ତର ଜୟସେନ ପରିଡ଼ା, ଡାକ୍ତର ରାଜେଶ କୁମାର ଅଢ଼କ ଶବ ବ୍ୟବଚ୍ଛେଦ କରିଥିଲେ। ଦୀର୍ଘ ଅଢ଼େଇ ଘଣ୍ଟା ଧରି ବ୍ୟବଚ୍ଛେଦ ଚାଲିଥିବା ବେଳେ ପୂରା ବ୍ୟବଚ୍ଛେଦ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଥିଲା। ହାଇଦର ଶରୀରରୁ ୩ଟି ଗୁଳି ବାହାରିଥିବାବେଳେ ସାର୍ଟ ପକେଟରୁ ମିଳିଥିବା ପକେଟ୍‌ ଡାଏରିରୁ କେତେଗୁଡ଼ିଏ ମୋବାଇଲ୍‌ ନମ୍ବର ଲେଖାଯାଇଥିବା ଦେଖିବାକୁ ମିଳିଛି। ଶବ ବ୍ୟବଚ୍ଛେଦ ଚାଲିଥିବାବେଳେ ଡାକ୍ତରଖାନାରେ ବାଲେଶ୍ବର ଡିଏସ୍‌ପି ଅମୂଲ୍ୟ ଧର, ସଦର ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ର, କଟକ ଏସିପି ପ୍ରମୋଦ ରଥଙ୍କ ସମେତ ୪ ପ୍ଲାଟୁନ୍ ଫୋର୍ସ ଉପସ୍ଥିତ ଥିଲେ। ଏହାପରେ ଅପରାହ୍ନ ୫ଟା ୧୫ ମିନିଟ୍‌ ସମୟରେ ବାଲେଶ୍ବରରୁ କଡ଼ା ସୁରକ୍ଷାବଳୟ ମଧ୍ୟରେ ହାଇରରର ମୃତଦେହକୁ କେନ୍ଦ୍ରାପଡ଼ା ନିଆଯାଇଥିଲା। ଜଣେ ଇନ୍‌ସପେକ୍ଟରଙ୍କ ନେତୃତ୍ବରେ ୧ ପ୍ଲାଟୁନ୍ ବନ୍ଧୁକଧାରୀ ପୁଲିସ ଶବବାହକ ଆମ୍ବୁଲାନ୍ସ ଗାଡ଼ି ସହ ସେଠାକୁ ଯାଇଥିଲେ।

ଘଟଣାସ୍ଥଳରୁ ୨ ଖୋକା ଜବତ
ରବିବାର ସକାଳ ପ୍ରାୟ ସାଢ଼େ ୮ଟା ବେଳକୁ ଏନ୍‌କାଉଣ୍ଟର ସ୍ଥଳରେ କଟକ କମିସନରେଟ୍‌ ପୁଲିସର ଏସିପି ପ୍ରମୋଦ କୁମାର ରଥ, ବାଲେଶ୍ୱର ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ର, ସିମୁଳିଆ ଥାନା ଆଇଆଇସି ଜୟନ୍ତ କୁମାର ବେହେରା ଓ ବାଲେଶ୍ବର ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଯାଞ୍ଚ କରିଥିଲେ। ଘଟଣାସ୍ଥଳରୁ ପୁଲିସ ୨ଟି ଖୋକା ଜବତ କରିଛି। ଗତକାଲିର ଘଟଣାକୁ ନେଇ ଏସ୍‌କର୍ଟ ଟିମ୍‌ରେ ଥିବା ଇନ୍‌ସପେକ୍ଟର ଗଙ୍ଗାଧର ଶାସେନୀ ସିମୁଳିଆ ଥାନାରେ ଏତଲା ଦେଇଛନ୍ତି। ଏ ସଂକ୍ରାନ୍ତରେ କେସ୍‌ ନଂ ୧୬୮/୨୧, ଆଇପିସି ୩୯୨, ୩୦୭, ୩୫୩, ୨୯୪, ୫୦୬, ୨୨୪, ୨୭ ଆର୍ମ ଆକ୍ଟରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ବାଲେଶ୍ୱର ଏସ୍‌ପି ସୁଧାଂଶୁ ଶେଖର ମିଶ୍ର ଶନିବାର ରାତିରେ ସିମୁଳିଆ ଥାନାକୁ ଆସି ଘଟଣା ସଂପର୍କରେ ପଚାରି ବୁଝିବା ସହ ଏନ୍‌କାଉଣ୍ଟର ସ୍ଥଳ ପରିଦର୍ଶନ କରିଥିଲେ। ସିମୁଳିଆ ଥାନା ଆଇଆଇସି ଜୟନ୍ତ କୁମାର ବେହେରାଙ୍କୁ ଏହି ମାମଲାର ତଦନ୍ତ ଦାୟିତ୍ବ ଦିଆଯାଇଛି।

ଲାଲ ପକେଟ୍‌ ଡାଏରିକୁ ନେଇ ଚର୍ଚ୍ଚା
ହାଇଦରର ଶବ ବ୍ୟବଚ୍ଛେଦ ବେଳେ ସେ ପିନ୍ଧିଥିବା ଧଳା ରଂଗର ପାଇଜାମାରୁ ଏକ ଛୋଟ ଲାଲ୍‌ରଂଗର ପକେଟ୍‌ ଡାଏରି ମିଳିଛି। ଡାଏରିରେ କଣ ଲେଖା ହୋଇଛି ସେ ନେଇ ପୁଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ମାତ୍ର ଏହି ପକେଟ୍‌-ଡାଏରିରେ କିଛି ଟେଲିଫୋନ ନମ୍ବର ଓ କିଛି ଲୋକଙ୍କ ନାଁ ଥିବା କୁହାଯାଉଛି। ସେଥିରେ କେବଳ ତା’ର ଅପରାଧ ସାମ୍ରାଜ୍ୟର ସହଯୋଗୀଙ୍କ ନମ୍ବର ରହିଛି ନାଁ ଆଉ କାହା କାହାର ନାଁ ଓ ଟେଲିଫୋନ ନମ୍ବର ରହିଛି ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଡାଏରିରେ କିଛି ଠିକାଦାର ଓ କିଛି ବ୍ୟବସାୟୀଙ୍କ ନାଁ ଥିବା କୁହାଯାଉଛି। ଏହାକୁ ନେଇ ହାଇଦର ସହ ନିୟମିତ ଯୋଗାଯୋଗରେ ଥିବା କିଛି ଠିକାଦାରଙ୍କ ମଧ୍ୟରେ ଏବେଠୁ ଭାଳେଣି ଖେଳି ଯାଇଛି।

ହତ୍ୟା ଅଭିଯୋଗ ଆଣିଲେ ପରିବାର
ଗଣମାଧ୍ୟମ ଆଗରେ ହାଇଦରର ପତ୍ନୀ ହସିନା ଓ ତାଙ୍କ ଝିଅବୋହୂ ପୁଲିସର ଏହା ଏକ ପୂର୍ବକଳ୍ପିତ ଏନ୍‌କାଉଣ୍ଟର ବୋଲି କହିଛନ୍ତି। ହସିନା କହିଥିଲେ, ପୂର୍ବରୁ ପୁଲିସ ଆମ କେନ୍ଦ୍ରାପଡ଼ା ଘରକୁ ଆସି ହାଇଦରକୁ ସୁଟ୍‌ କରିଦେବୁ ବୋଲି କହିଥିଲେ। ଆଉ ଗତକାଲି କଲେ ମଧ୍ୟ। ସେପଟେ ହସିନାଙ୍କ ଝିଅ କହିଥିଲେ, ଜେଲରୁ ଆଣି ମୋ ବାପାଙ୍କୁ ହତ୍ୟା କରାଯିବା ପରେ ଏନ୍‌କାଉଣ୍ଟର ରୂପ ଦିଆଯାଇଛି। ମୋ ବାପା ଭୟାଳୁ ଲୋକ ନୁହନ୍ତି। ଜଣେ ଯଦି ଖସିଯିବାକୁ ଉଦ୍ୟମ କରିବ, ତେବେ ଗୁଳି ତା ପଛପଟୁ ବାଜିବ। କିନ୍ତୁ ମୋ ବାପାଙ୍କ ଛାତି, ପେଟ, ଅଣ୍ଟା ଗୋଟିଏ ଲାଇନ୍‌ରେ ଗୁଳି ବାଜିଛି। ଏ ସଂକ୍ରାନ୍ତରେ ସେମାନେ ତଦନ୍ତ ଦାବି କରିବା ସହ ସିମୁଳିଆ ଥାନାରେ ଏତଲା ଦେବେ ବୋଲି କହିଥିଲେ।

କେନ୍ଦ୍ରାପଡ଼ାରେ ୧୪୪ ଧାରା ପାଇଁ ସ୍କୁଲ୍‌ ଖୋଲିବନି
କେନ୍ଦ୍ରାପଡ଼ା : ଗତକାଲି ହାଇଦର୍‌ର ମୃତ୍ୟୁ ପରେ କେନ୍ଦ୍ରାପଡ଼ା ସହର ଶୂନ୍‌ଶାନ୍‌ ହୋଇଯାଇଛି। ଶାନ୍ତିଭଙ୍ଗ ଓ ଅଘଟଣ ଆଶଙ୍କାରେ ସହର ସମେତ ବାରିମୂଳ, କପାଳେଶ୍ବର, ଗୁଲନଗର, ଜମଧର ପଞ୍ଚାୟତରେ ୩୦ ତାରିଖ ଦିନ ୧୧ଟା ଯାଏ ୧୪୪ ଧାରା ଜାରି କରାଯାଇଛି। ୫ରୁ ଅଧିକ ଲୋକ ଏକାଠି ହେବାକୁ ବାରଣ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସ୍କୁଲ୍‌ ଖୋଲିବ ନାହିଁ ଏବଂ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର