ଆସନ୍ତାକାଲି ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡକୁ ୧୦ ବର୍ଷ : କନ୍ଧମାଳରେ ହାଇଆଲର୍ଟ ଜାରି

ଫୁଲବାଣୀ : ଆଉ ଗୋଟିଏ ଦିନ ପରେ ଜନ୍ମାଷ୍ଟମୀ। ଜନ୍ମାଷ୍ଟମୀ ଦିନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ଏବଂ ପରବର୍ତ୍ତୀ ସମୟରେ ସାମ୍ପ୍ରଦାୟିକ ଦଙ୍ଗାକୁ ଦୃଷ୍ଟିରେ ରଖି କନ୍ଧମାଳରେ ହାଇଆଲର୍ଟ ଜାରି କରାଯାଇଛି। ଗାଡ଼ିମୋଟର ଯାଞ୍ଚ କରାଯିବା ସହିତ ପ୍ରବେଶପଥ ଉପରେ ତୀକ୍ଷ୍ମଣ ନଜର ରଖାଯାଇଛି।

ଆସନ୍ତା ରବିବାର ଦିନ ଏହି ଘଟଣାକୁ ୧୦ ଦିନ ପୂରୁଛି। ୨୦୦୮ ମସିହା ଅଗଷ୍ଟ ୨୩ ତାରିଖ ଜନ୍ମାଷ୍ଟମୀ ରାତିରେ ଦୁବୃର୍ତ୍ତମାନେ ଜଲେଶପଟା ଆଶ୍ରମରେ ପଶି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଓ ତାଙ୍କର ୪ ଜଣ ଅନୁଗାମୀଙ୍କୁ ନିର୍ମମ ଭାବେ ଗୁଳି କରି ହତ୍ୟା କରିଥିଲେ। ପରେ ଏହି ଘଟଣାକୁ ନେଇ କନ୍ଧମାଳରେ ହିଂସା ସୃଷ୍ଟି ହୋଇ ଦଙ୍ଗାର ରୂପ ନେଇଥିଲା। ଏଥିରେ ବହୁ ଲୋକଙ୍କ ଜୀବନ ଯିବା ସହ ବ୍ୟାପକ ଧନ ସମ୍ପତ୍ତି ନଷ୍ଟ ହୋଇଥିଲା।

କନ୍ଧମାଳ ଦଙ୍ଗାରେ ସମୁଦାୟ ୩୯ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ଏହାଛଡ଼ା ୧୪୪୫ ଘର ସଂପୂର୍ଣ ଧ୍ୱସ୍ତ ହୋଇଥିଲା। ୧୩୫୭ ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଥିଲା। କ୍ଷତିଭରଣା ବାବଦରେ ସଂପୂର୍ଣ ବାସହୀନ ପରିବାରଙ୍କୁ ୫୦ ହଜାର ଓ ଆଂଶିକ ଘର ଭାଙ୍ଗିଥିବା ପରିବାରଙ୍କୁ ୨୦ ହଜାର ଟଙ୍କା ପ୍ର୍ରଦାନ କରା ଯାଇଥିଲା। ଦଙ୍ଗାରେ ମୃତକଙ୍କ ପରିବାର ପିଛା ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରା ଯାଇଥିଲା। ଏଥିରେ କେନ୍ଦ୍ରର ସହାୟତା ୨ ଲକ୍ଷ ଓ ରାଜ୍ୟ ସରାକରଙ୍କ ପକ୍ଷରୁ ୩ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଯୋଗାଇ ଦିଆ ଯାଇଥିଲା। କିନ୍ତୁ ଏକ ପିଟିସନ୍‌ର ବିଚାର କରି ୨୦୧୭ ମସିହାରେ ସୁପ୍ରିମକୋର୍ଟ କ୍ଷତିପୂରଣ ଯଥେଷ୍ଟ ନୁହେଁ, ଠିକ୍‌ ଆକଳନ କରି ଉପଯୁକ୍ତ କ୍ଷତିପୂରଣ ଦେବାକୁ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଏହା ପରେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ରାଜ୍ୟ ସରକାର ଅତିରିକ୍ତ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରିଥିଲେ।
ଏହି ସମ୍ବେଦନଶୀଳ ଘଟଣା କେବଳ ରାଜ୍ୟ କାହିଁକି ଜାତୀୟ ସ୍ତରରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏହି ଘଟଣାରେ ସମସ୍ତ ଅଭିଯୁକ୍ତ ଅଦ୍ୟାବଧି ଗିରଫ ହୋଇ ନଥିବାବେଳେ ଦତନ୍ତ କମିସନଙ୍କ ରିପୋର୍ଟକୁ ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ସାର୍ବଜନୀନ କରି ନାହାନ୍ତି।

ତେବେ, ଏହି ଅବସରରେ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଜନ୍ମାଷ୍ଟମୀ ପାଳନ ସହ ସ୍ୱାମୀଜୀଙ୍କ ୧୦ମ ଶ୍ରାଦ୍ଧ ବାର୍ଷିକୀ ପାଳନ ନିମନ୍ତେ ପ୍ରସ୍ତୁତି ଚାଲିଛି। ବିଶେଷତଃ ଜଲେଶପଟା ଓ ଚକାପାଦ ଆଶ୍ରମରେ ବ୍ୟାପକ ପ୍ରସ୍ତୁତି ହୋଇଛି। ସ୍ୱାମୀଜୀଙ୍କ ଅନୁଗାମୀ ଓ ଭକ୍ତମାନେ ଏହି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଥିବା ବେଳେ ପୁଲିସ ପ୍ରଶାସନ ପକ୍ଷରୁ ସମଗ୍ର ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଆଜି ଠାରୁ ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଥିବା ବେଳେ ଗାଡ଼ି ମୋଟର ଯାଞ୍ଚକୁ ତ୍ୱରାନ୍ଵିତ କରାଯାଇଛି। ଜିଲ୍ଲାର ସମସ୍ତ ପ୍ରବେଶ ପଥ ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି। ଏଥିସହ ମାଓବାଦୀଙ୍କ ଗତିବିଧି ଉପରେ ସତର୍କ ନଜର ରଖାଯାଇଛି ବୋଲି ଏସପି ପ୍ରତୀକ ସିଂ କହିଛନ୍ତି। ହେଡ୍‌କ୍ୱାର୍ଟରରେ ୩ ପ୍ଲାଟୁନ ପୁଲିସ ଫୋର୍ସ ରହିଛନ୍ତି। ବାହାରୁ ଆଉ ୬ ପ୍ଲାଟୁନ ପୁଲିସ ଫୋର୍ସ ଆସି ପହଞ୍ଚିଛନ୍ତି। ସମୁଦାୟ ୯ ପ୍ଲାଟୁନ ଫୋର୍ସ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି ବୋଲି ଏସପି କହିଛନ୍ତି। ପ୍ରତି ଥାନାକୁ ଆଲର୍ଟ କରାଯାଇଛି। ବରିଷ୍ଠ ପୁଲିସ ଅଧିକାରୀ କାର୍ଯ୍ୟକ୍ରମ ତଦାରଖ ଦାୟିତ୍ୱରେ ଅଛନ୍ତି। ଜଲେଶପଟା ଓ ଚକାପାଦ ଆଶ୍ରମର ସୁରକ୍ଷା ବ୍ୟବସ୍ଥା ଅଧିକ ବଢ଼ାଇ ଦିଆଯାଇଛି ବୋଲି ଏସ୍‌ପି ଶ୍ରୀ ସିଂ କହିଛନ୍ତି।

ସମ୍ବନ୍ଧିତ ଖବର