ଭୁବନେଶ୍ବର : ଛତିଶଗଡ଼ର ସୁକମା-ବିଜାପୁର ସୀମାରେ ଶତାଧିକ ନକ୍ସଲଙ୍କ ଆଖିବୁଜା ଗୁଳିମାଡ଼ରେ ୨୨ ଯବାନ ସହିଦ ହେବା ପରେ ଆରମ୍ଭ ହୋଇଛି ଜୋରଦାର ଅପରେସନ୍। ସିଆରପିଏଫ୍, କୋବ୍ରା ବାଟାଲିଅନ୍, ଡିଆରଜି, ଏସ୍ଟିଏଫ୍ର ମିଳିତ ଅପରେସନ୍ ପରେ ଛତ୍ରଭଙ୍ଗ ଦେଇଛନ୍ତି ଆକ୍ରମଣକାରୀ ନକ୍ସଲ। ଫଳରେ ଓଡ଼ିଶା ସୀମା ପାଇଁ ବିପଦ ବଢ଼ିଛି। ଘଟଣାସ୍ଥଳ ପ୍ରାୟ ଶହେ କିଲୋମିଟର ହୋଇଥିବା ବେଳେ ସୁକମା ଜିଲ୍ଲା ମାଲକାନଗିରିଠାରୁ ମାତ୍ର ୨୦ କିଲୋମିଟର ଦୂର। ନକ୍ସଲ ଓଡ଼ିଶା ସୀମାକୁ ପଶି ଆସିବାର ଯଥେଷ୍ଟ ସମ୍ଭାବନା ରହିଛି। ପୂର୍ବରୁ ମଧ୍ୟ ଛତିଶଗଡ଼ରେ ହିଂସାକାଣ୍ଡ ଘଟାଇବା ପରେ ନକ୍ସଲମାନେ ଓଡ଼ିଶାକୁ ପଶି ଆସିବାର ନଜିର୍ ରହିଛି। ଏହାକୁ ଦୃଷ୍ଟିରେ ରଖି ଆଜି ପୁଲିସ ଡିଜି ଅଭୟ, ଗୁଇନ୍ଦା ନିର୍ଦ୍ଦେଶକ ଆର୍.କେ ଶର୍ମା, ଆଇଜି(ଅପରେସନ୍)
ଅମିତାଭ ଠାକୁର, ଏସ୍ଆଇଡବ୍ଲୁ ଡିଆଇଜି ଅନିରୁଦ୍ଧ ସିଂ, ବିଏସ୍ଏଫ୍ କମାଣ୍ଡାଣ୍ଟ ଓ ମାଲକାନଗିରି ଏସ୍ପିଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଏହି ରୁଦ୍ଧଦ୍ବାର ବୈଠକରେ ନକ୍ସଲ ମୁକାବିଲା ରଣନୀତି ପ୍ରସ୍ତୁତ ହୋଇଛି। ଛତିଶଗଡ଼ରୁ ଛତ୍ରଭଙ୍ଗ ଦେଇଥିବା ନକ୍ସଲ ଓଡ଼ିଶା ସୀମାକୁ ପଶିଲେ କେମିତି ମୁକାବିଲା କରାଯିବ, ସେନେଇ ଆଲୋଚନା ହୋଇଥିବା କୁହାଯାଉଛି।
ମିଳିଥିବା ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲାର ମାଥିଲି, କାଲିମେଳା ଓ ପଡ଼ିଆ ବ୍ଲକ୍ ସୀମା ଦେଇ ନକ୍ସଲ ପଶିବାର ସମ୍ଭାବନା ରହିଛି। ମାଥିଲି ବ୍ଲକର ମହୁପଦର ଅନ୍ତର୍ଗତ ତୁଳସୀ ପାହାଡ଼ ସବୁଠୁ ସମ୍ବେଦନଶୀଳ ଅଞ୍ଚଳ। ଏହି ଅଞ୍ଚଳ ନକ୍ସଲଙ୍କ ଗଡ଼ ଭାବେ ପରିଚିତ। ଯଦି ନକ୍ସଲ ସୀମାକୁ ପଶି ଆସିଲେ, ତାହେଲେ ବିପଦ ସୃଷ୍ଟି ହେବ, ଯାହା ପୁଲିସ ପାଇଁ ମଧ୍ୟ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ତୁଳସୀ ପାହାଡ଼ ସମେତ ସ୍ବାଭିମାନ ଅଞ୍ଚଳରେ ଆରମ୍ଭ ହୋଇଯାଇଛି ଜୋରଦାର ଅପରସେନ୍। ସେହିପରି ଆଜି କୋରାପୁଟରେ ମଧ୍ୟ ପୁଲିସ ଡିଜି ଅଭୟ ସ୍ଥିତି ସମୀକ୍ଷା କରିଛନ୍ତି। ସେଠାରେ ମଧ୍ୟ ଉଚ୍ଚସ୍ତରୀୟ ବୈଠକରେ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଛି। ଡିଜି ଶ୍ରୀ ଅଭୟ ଛତିଶଗଡ଼ ନକ୍ସଲ ଆକ୍ରମଣକୁ ନିନ୍ଦା କରିବା ସହ ସୀମାରେ ମିଳିତ ଅପରେସନ୍ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି। ସେହିପରି ନକ୍ସଲଙ୍କୁ ମୁଖ୍ୟସ୍ରୋତକୁ ଫେରି ଆସିବା ପାଇଁ ପୁଣି ଥରେ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/m2-1.jpg)