ନିଦ ହଜାଇଲାଣି ‘ଷ୍ଟୋନ୍‌ମ୍ୟାନ୍‌’ : ୧୯ ରେଳ ଷ୍ଟେସନ୍‌ରେ ହାଇଆଲର୍ଟ

କଟକ : କେବଳ କଟକ ସହର ନୁହେଁ, ପଡେ଼ାଶୀ ଜଗତସି˚ହପୁର ଜିଲ୍ଲାରେ ବି କାଣ୍ଡ କରିଛି ‘ଷ୍ଟୋନ୍‌ମ୍ୟାନ’। ଗଲା ଜୁନ୍‌ ୨୮ ତାରିଖ ରାତିରେ ପାରାଦୀପ ନେହେରୁ ବଙ୍ଗଳା ନିକଟରେ ଶୋଇଥିବା ଦୁଇ ଶ୍ରମିକଙ୍କୁ ବି ପଥରରେ ଛେଚି ବୀଭତ୍ସ ଭାବେ ହତ୍ୟା କରିଛି ଷ୍ଟୋନ୍‌ମ୍ୟାନ। ମୃତ ଶ୍ରମିକଙ୍କ ଏଯାଏ ପରିଚୟ ମିଳିପାରି ନାହିଁ।

କଟକରେ ୨୪ ଘଣ୍ଟାରେ ୩ ଜଣଙ୍କୁ ଛେଚି ହତ୍ୟା କଲା ପରେ ଅନ୍ୟ ଜିଲ୍ଲାରେ ‘ଷ୍ଟୋନ୍‌ମ୍ୟାନ’ର କାରନାମା ସାମନାକୁ ଆସିବାରେ ଲାଗିଛି। ଏହି ଘଟଣାକୁ ନେଇ ଆଜି ରାଜ୍ୟ ରେଳବାଇ ପୁଲିସ ଜିଆର‌୍‌ପି ଥାନାକୁ ହାଇଆଲର୍ଟ ଜାରି କରିଛି। ଥାନା ଅଧୀନରେ ଥିବା ସମସ୍ତ ଷ୍ଟେସନ୍‌ ପ୍ଲାଟଫର୍ମ ଭିତରକୁ କୌଣସି ସନ୍ଦିଗ୍ଧଙ୍କୁ ସନ୍ଧ୍ୟା ପରଠାରୁ ଛଡ଼ାଯିବ ନାହିଁ। ଦୂର ସ୍ଥାନକୁ ଯିବାକୁ ରାତିରେ ଟ୍ରେନ୍‌କୁ ଅପେକ୍ଷା କରିଥିବା ଯାତ୍ରୀ ଷ୍ଟେସନ ବାହାରେ ନଶୋଇ ପ୍ଲାଟଫର୍ମ ଭିତରେ ଶୋଇବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଅନ୍ୟପଟେ କଟକ କମିସନରେଟ୍‌ ପୁଲିସ ପକ୍ଷରୁ ଜଣେ ଆଡିସ୍‌ନାଲ ଏସ୍‌ପିଙ୍କ ନେତୃତ୍ବରେ ସ୍ବତନ୍ତ୍ର ଟିମ୍‌ ୩ଟି ହତ୍ୟାକାଣ୍ତର ତଦନ୍ତ ପାଇଁ ଗଠନ କରାଯାଇଛି। ଏହି ଟିମ୍‌ ହତ୍ୟାକାଣ୍ତ ଘଟିଥିବା ଆଖପାଖ ଅଞ୍ଚଳର ସିସି କ୍ୟାମେରା ଫୁଟେଜ ଜବତ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

୯୦ ଦଶକରେ ମୁମ୍ବାଇ ଓ କଲିକତାରେ ଆତଙ୍କ ଖେଳାଇଥିବା ‘ଷ୍ଟୋନ୍‌ମ୍ୟାନ’ ପ୍ରଥମ ଥର ୧୯୯୮ ରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଟାଉନ୍‌ରେ ୯ ଜଣଙ୍କୁ ପଥରରେ ଛେଚି ହତ୍ୟା କରିଥିଲା। ସେବେଠୁ ଗାଏବ ଥିବା ‘ଷ୍ଟୋନ୍‌ମ୍ୟାନ’ ଗଲା ୨୨ ତାରିଖ ବିଳମ୍ବିତ ରାତିରେ କଟକ ମଙ୍ଗଳାବାଗ ଥାନା ରାଣୀହାଟ କେନାଲ ରୋଡରେ ପ୍ରଥମ ଶିକାର କରିଥିଲା। ଶ୍ରମିକ ଗୋଧି କାଳିଆ ଓରଫ କୋଦଣ୍ତ ରାଉତଙ୍କୁ ପଥରରେ ଛେଚି ହତ୍ୟା କରିଥିଲା। ୨୩ ତାରିଖ ବିଳମ୍ବିତ ରାତିରେ ବଡ଼ ମେଡିକାଲ୍‌ କାର୍ଡିଓଲୋଜି ବିଭାଗ ସାମ୍‌ନା ଏବ˚ ପାରଳା ମହାରାଜ ଶିଶୁ ଉଦ୍ୟାନ ସାମ୍‌ନା ଫୁଟ୍‌ପାଥରେ ଦୁଇ ଜଣଙ୍କୁ ହତ୍ୟା କରିବା ପରେ ଓଡ଼ିଶା ପୁଲିସ ଆଜି ସମସ୍ତ ଜିଲ୍ଲାର ଏସ୍‌ପି/ଡିସିପିଙ୍କୁ ସତର୍କ କରିଛି। ଫୁଟପାଥରେ ଶୋଉଥିବା ଅସହାୟ ଲୋକଙ୍କୁ ସୁରକ୍ଷା ଦେବା ସହିତ ସନ୍ଦିଗ୍ଧଙ୍କୁ ପଚରାଉଚରା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉପରୋକ୍ତ ତିନିଟି ହତ୍ୟାକାଣ୍ତର ତଦନ୍ତ ଦାୟିତ୍ବ ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କୁ ହସ୍ତାନ୍ତର କରାଯାଇଛି। ତାଙ୍କ ଅଧୀନରେ ଏସିପି ପ୍ରମୋଦ ରଥ, ଜଣେ ଇନ୍‌ସ୍ପେକ୍ଟର, ଦୁଇ ଏସ୍‌ଆଇ, ସ୍ପେଶାଲ ସ୍କ୍ବାଡ୍‌ର ୧୧ ଜଣ କନ୍‌ଷ୍ଟେବଳ ସାମିଲ ହୋଇଛନ୍ତି। ଏହି ସ୍ବତନ୍ତ୍ର ଟିମ୍‌କୁ ମଙ୍ଗଳାବାଗ ଥାନା ଆଇଆଇସି ଅମିତାଭ ମହାପାତ୍ର ଏବ˚ ଚାଉଳିଆଗଞ୍ଜ ଥାନା ଆଇଆଇସି ଦୀପକ କୁମାର ମିଶ୍ର ସହଯୋଗ କରିବେ। ଟିମ୍‌ ଆଜି କଟକ ବଡ଼ ମେଡିକାଲ୍‌, ରାଣୀହାଟ ଏବ˚ ଓଏମ୍‌ପି ପାରଳା ଉଦ୍ୟାନ ଆଖପାଖରେ ଥିବା ସିସି କ୍ୟାମେରା ଫୁଟେଜ ଜବତ କରିଥିବା ଡିସିପି ଅଖିଳେଶ୍ବର ସି˚ହ ସୂଚନା ଦେଇଛନ୍ତି।

ଗଲା ଜୁନ ୨୮ ତାରିଖରେ ପାରାଦୀପ ଟାଉନ ଥାନା ଅଧୀନ ନେହେରୁ ବଙ୍ଗଳା ଆଖପାଖରେ ରହୁଥିବା ମାଛ ମରାଳୀ ବସ୍ତି ନିକଟରେ ଦୁଇ ବୟସ୍କ ଶ୍ରମିକଙ୍କ ମୁଣ୍ତ ଛେଚି ହତ୍ୟା ଘଟଣାରେ ଟାଉନ ଥାନା ଏକ ହତ୍ୟା ମାମଲା ରୁଜୁ କରିଛି। ମୃତକଙ୍କ ଆନୁମାନିକ ବୟସ ୫୦ ବର୍ଷ। ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରୁ ନାହିଁ। ଅନ୍ୟପଟେ କଟକ ଓ ପାରାଦୀପରେ ଘଟିଥିବା ଦୁଇଟି ଘଟଣାରେ ୫ ଜଣଙ୍କ ମୃତ୍ୟୁ ଖବର ମିଳିବା ପରେ ରେଳବାଇ ପୁଲିସ ପକ୍ଷରୁ ୧୫ ଜିଆର‌୍‌ପି ଥାନାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ପ୍ରମୁଖ ୧୯ଟି ରେଳ ଷ୍ଟେସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଥାନାର ସମସ୍ତ ଅଫିସର ଏବ˚ କର୍ମଚାରୀ ପ୍ଲାଟଫର୍ମରେ ପାଟ୍ରୋଲି˚ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବାକୁ କୁହାଯାଇଛି। ରାତି ୧୦ଟାରୁ ସକାଳ ୬ଯାଏ ପାଟ୍ରୋଲି˚ ଜାରି ରହିବା ନେଇ ରେଳବାଇ ପୁଲିସ ପକ୍ଷରୁ ସୂଚନା ମିଳିଛି। ଗଲାକାଲି ରାତିରେ କୌଣସି ହତ୍ୟା କାଣ୍ତ ଘଟିନଥିବା ବେଳେ ଆଜି ବି ପୁଲିସ ସମାନ ଢ˚ଗରେ ପାଟ୍ରୋଲି˚ ଜାରି ରଖିବ।

ବଡ଼ ପରଦାରେ ବି ‘ଷ୍ଟୋନ୍‌ ମ୍ୟାନ’

‘ଷ୍ଟୋନ୍‌ ମ୍ୟାନ’ର କାର୍ଯ୍ୟକଳାପ ଯେତିକି ଆତଙ୍କ ସୃଷ୍ଟି କରୁଛି, ତାକୁ ନେଇ ଅନେକ ରୋଚକ ତଥ୍ୟ ଏବେ ସାମ୍‌ନାକୁ ଆସିବାରେ ଲାଗିଛି। ୧୯୮୯ ଜୁନ ମାସରେ କଲିକତାର ହାଓଡା ରେଳ ଷ୍ଟେସନ୍‌ ଆଖପାଖରେ ୧୩ ଜଣଙ୍କୁ ପଥରରେ ଛେଚି ସିରିଜ୍‌ ହତ୍ୟା ଘଟଣା ସ˚କ୍ରାନ୍ତ ଏକ ଇ˚ରାଜୀ ସମ୍ବାଦପତ୍ରରେ ପ୍ରକାଶ ପାଇଥିଲା। ଉକ୍ତ ସମ୍ବାଦପତ୍ର ତାକୁ ‘ଷ୍ଟୋନ୍‌ ମ୍ୟାନ’ ନାଁ ଦେଇଥିଲା। ଏଭଳି ସିରିଜ ହତ୍ୟାକୁ ନେଇ ବବି ବେଦିଙ୍କ ପ୍ରଯୋଜିତ ‘ଦି ଷ୍ଟୋନମ୍ୟାନ ମଡର୍ସ’ ନାମରେ ଏକ ସିନେମା ୨୦୦୯ ଫେବ୍ରୁଆରି ୧୩ ତାରିଖରେ ମୁକ୍ତିଲାଭ କରିଥିଲା। ପରେ ୨୦୧୧ରେ ଶ୍ରୀଜିତ ମୁଖାର୍ଜିଙ୍କ ନିର୍ଦ୍ଦେଶିତ ‘ବୈଶେ ସ୍ରାବୋନ୍‌’ ନାମରେ ଏକ ବଙ୍ଗାଳୀ ସିନେମା ମୁକ୍ତିଲାଭ କରିଥିଲା। ବାସ୍ତବ ଘଟଣାକୁ ଆଧାର କରି ନିର୍ମିତ ଦୁଇଟି ସିନେମା ଗୋଟିଏ ସମୟରେ ଦେଶରେ ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା।

ସମ୍ବନ୍ଧିତ ଖବର