ତିଆରି ହେଉଛି ହାଇବଜେଟ୍ ଫିଲ୍ମ ମା’ ସମଲେଶ୍ବରୀ

ସମ୍ବଲପୁର : ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀଙ୍କ ଉପରେ ଆଧାରିତ ଏକ ଅଧ୍ୟାତ୍ମିକ ଭକ୍ତିଭାବର ଚଳଚ୍ଚିତ୍ର ନିର୍ମାଣ କରୁଛି ଅକ୍ଷୟ ପରିଜା ପ୍ରଡକ୍ସନ୍ ହାଉସ୍‌ ଯାହାର ନାମ ରଖିଛି ‘ମା’ ସମଲେଶ୍ବରୀ’। ଓଡ଼ିଶାର ସମସ୍ତ ସିନେପ୍ରେମୀ, ବିଶେଷ କରି ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଏହା ଏକ ବଡ଼ ଖବର। ଶ୍ରୀଜଗନ୍ନାଥ ଫେମ୍ ଶଂକର ତ୍ରିପାଠୀଙ୍କ ଦ୍ବାରା ଫିଲ୍ମର କାହାଣୀ ଓ ଚିତ୍ରନାଟ୍ୟ ପ୍ରସ୍ତୁତ ହୋଇଥିଲା ବେଳେ ଏହାର ନିର୍ଦ୍ଦେଶନା ଦେଉଛନ୍ତି ଜଣାଶୁଣା ନିର୍ଦ୍ଦେଶକ ବସନ୍ତ ସାହୁ। ଏହା ପୂର୍ବରୁ ସେ ‘ମା ଗୋଜବାୟାଣୀ’ ଭଳି ହିଟ୍‌ ସ‌ିନେମା ନିର୍ମାଣ କରିଥିଲେ।

currentaffairs.adda247.com

୧୬ଶ ଶତାବ୍ଦୀର ଇତିହାସକୁ ଅଣ୍ଡାଳି ବିସ୍ତୃତ ଅନୁସଂଧାନ ଓ ଗବେଷଣା ପରେ ‘ମା ସମଲେଶ୍ବରୀ’ ସିନେମାର କାହାଣୀ ପ୍ରସ୍ତୁତ କରାଯାଇଥିବା ନିର୍ମାତାଙ୍କ ପକ୍ଷରୁ କହାଯାଇଛି। ଏଥିରେ ମାଁ ସମଲେଶ୍ବରୀଙ୍କ ମହାତ୍ମ୍ୟକୁ ଗୁରୁତ୍ବ ଦିଆଯାଇଛି। କଳାପାହାଡ଼ର ଓଡ଼ିଶା ଆଗମନ ଓ ସମ୍ବଲପୁରରେ ତା’ର ପତନ କେମିତି ଆରମ୍ଭ ହେଲା ସେ ସଂପର୍କରେ ତଥ୍ୟ ଭିତ୍ତିକ ଉପସ୍ଥାପନା ବି ସିନେମାରେ ସ୍ଥାନ ପାଇବ। ଏହି ଫିଲ୍ମରେ ଉଚ୍ଚମାନର ଗ୍ରାଫିକ୍ ରହିବ। ତେଣୁ ଏହା ଏକ ହାଇବଜେଟ୍‌ ଫିଲ୍ମ ହେବ ବୋଲି ନିର୍ମାତା ଅକ୍ଷୟ ପରିଜା କହିଛନ୍ତି। ଖୁବ୍ ଶୀଘ୍ର ଲୋକେସନ୍ ସର୍ଭେ କରାଯାଇ ଫିଲ୍ମର ସୁଟିଂ ଆରମ୍ଭ କରାଯିବ। ଆସନ୍ତା ନୂଆଖାଇରେ ଫିଲ୍ମଟିକୁ ରିଲିଜ୍ କରିବା ଯୋଜନା ରଖାଯାଇଛି ବୋଲି ଶ୍ରୀ ପରିଜା ସୂଚନା ଦେଇଛନ୍ତି। ସେଥି ପାଇଁ ପୂରା ଟିମ୍ ମାଁ’ ସମଲେଶ୍ବରୀଙ୍କ ଆଶୀର୍ବାଦ ନେଇ ଫିଲ୍ମ ନିର୍ମାଣ କାମରେ ଲାଗି ପଡ଼ିଛି।

ସବୁବେଳେ ନୂଆ କିଛି କରିବାକୁ ଚେଷ୍ଟା କରିଥିବା ଅକ୍ଷୟ ପରିଜା ପ୍ରଡକ୍ସନ୍ ହାଉସ୍‌ ଏଥିରେ ବି ଅନେକ କିଛି ନୂଆ କରିବାକୁ ଯାଉଛି ବୋଲି ଜଣା ପଡ଼ିଛି। ମା’ଙ୍କ ଉପରେ ଚଳଚ୍ଚିତ୍ର ନିର୍ମାଣକୁ ମାଁ ସମଲେଶ୍ବରୀ ମହିମା ପ୍ରଚାର ସମିତି ସ୍ବାଗତ ଜଣାଇଛି। ଏହାର ନିର୍ମାଣ ବେଳେ ସମିତି ପକ୍ଷରୁ ଯଥାସମ୍ଭବ ସହଯୋଗ ଯୋଗାଇ ଦିଆଯିବ ବୋଲି ମହିମା ପ୍ରଚାର ସମିତି ପକ୍ଷରୁ ତ୍ରିବିକ୍ରମ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର