ଝାରସୁଗୁଡା: ଲୋକଙ୍କ ନାମରେ ପ୍ରକଳ୍ପ ନିର୍ମାଣ କରିବା ପାଇଁ ସରକାରୀ ତହବିଲରୁ ଲକ୍ଷ ଲକ୍ଷ ଟଙ୍କା ଉଠାଇ କିଭଳି ତାକୁ ପାଣିରେ ପକାଇ ଦିଆଯାଏ ତାର ଜ୍ବଳନ୍ତ ଉଦାହାରଣ ହେଉଛି ଝାରସୁଗୁଡ଼ା ସହରାଞ୍ଚଳରେ ନିର୍ମାଣ କରାଯାଇଥିବା ହାଇବ୍ରିଡ୍ ପାଇଖାନା ପ୍ରକଳ୍ପ। ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ସହର ସାରା ନିର୍ମାଣ କରି ଏହା ୨ ବର୍ଷ ହେଲା ବ୍ୟବହାର ହୋଇପାରିନାହିଁ। ଜିଲ୍ଲାପାଳଙ୍କ ଠାରୁ ମନ୍ତ୍ରୀ ପର୍ଯ୍ୟନ୍ତ ଏହି ପ୍ରକଳ୍ପ ଦେଖୁଛନ୍ତି ମାତ୍ର ସରାକରଙ୍କ ତହବିଲରୁ ଖର୍ଚ୍ଚ ହୋଇଥିବା ଏହି ଲକ୍ଷାଧିକ ଟଙ୍କା କିଭଳି ଲୋକଙ୍କ କାମରେ ଆସିବ ତାର ବ୍ୟବସ୍ଥା କେହି କରୁନାହାନ୍ତି।
ସତେ ଯେମିତି ଖର୍ଚ୍ଚ ହୋଇଥିବା ଟଙ୍କ ଗୋଡ଼ିମାଟି ସହିତ ସମାନ ଅଟେ। ଗତ ୨୦୧୮ ମସିହାରେ ଯେଉଁ ସ୍ଥାନରେ ଲୋକଙ୍କ ପାଇଖାନା କମ୍ ଅଛି ବା ନାହିଁ ସେ ସ୍ଥାନ ଗୁଡ଼ିକରେ ଏହି ହାଇବ୍ରିଡ଼୍ ପାଇଖାନା ଗୁଡ଼ିକ ସ୍ଥାପନ କରାଯାଇଥିଲା। ତେବେ ପାଇଖାନା ସିନା ନିର୍ମାଣ କରାଗଲା ପାଇଖାନା ପାଇଁ ପାଣି କିଭଳି ଆସିବ ତାର ଚିନ୍ତା କୌଣସି ସରକାରୀ ଅଧିକାରୀ କିମ୍ବା ଯନ୍ତ୍ରୀଙ୍କ ମୁଣ୍ଡରେ ଆସିନଥିଲା। ସେମାନେ ଠିକାଦାର ଲଗାଇ କେବଳ ରାସ୍ତା କଡ଼ରେ ଏହି ପାଇଖାନା ନିର୍ମାଣ କରିଦେଲେ। ତେବେ ପାଇଖାନାକୁ ପାଣି ସଂଯୋଗ କରାଯାଇ ପାରୁନଥିବାରୁ ୪୬ ଲକ୍ଷ ଟଙ୍କାର ହାଇବ୍ରିଡ଼୍ ପାଇଖାନା ବ୍ୟବହାର ହୋଇନପାରି ଖତ ହୋଇଗଲା। ପାଣି ସଂଯୋଗ ସିନା ନଥିଲା କିନ୍ତୁ ପାଇଖାନା ଉପରେ ଓଭରହେଡ୍ ଟ୍ୟାଙ୍କ ବସାଯାଇଥିଲା। ନିର୍ମାଣ ହୋଇଥିବା ପାଇଖାନା ଗୁଡ଼ିକରେ ଏବେ ଆଉ କିଛି ନାହିଁ। ଏଥିରେ ଲାଗିଥିବା ଟେପ୍, ଫ୍ଲସ୍ ସବୁ ଚୋରି ହୋଇଗଲାଣି। ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମରେ ସହର ତଳି ଅଞ୍ଚଳରେ ଲୋକଙ୍କୁ କମ୍ୟୁନିଟି ପାଇଖାନା ଯୋଗାଇ ଦେବା ପାଇଁ ପୌରସଂସ୍ଥା ପକ୍ଷରୁ ହାଇବ୍ରିଡ଼୍ ପାଇଖାନା ନିର୍ମାଣ କରାଯାଇଥିଲା। ଏଥିପାଇଁ ଏହି ପ୍ରକ୍ରିୟା ଗତ ୨୦୧୮ ମସିହା ଅଗଷ୍ଟ ମାସରେ ଆରମ୍ଭ କରାଯାଇଥିଲା ମାତ୍ର ଇତି ମଧ୍ୟରେ ୨ ବର୍ଷ ବିତି ଯାଇଥିଲେ ସୁଦ୍ଧା ଏହି ପାଇଖାନା ଲୋକଙ୍କ କାମରେ ଆସିନାହିଁ। ପାଇଖାନା ନିର୍ମାଣ ହୋଇ ପ୍ୟାନ୍ ବସିଛି, ସେନିଟାରୀ ଫିଟିଙ୍ଗସ୍ ମଧ୍ୟ ହୋଇଛି। ପାଣି ପାଇପ, ଫ୍ଲସ୍ ଓ ଓଭର ହେଡ଼୍ ଟାଙ୍କି ସବୁ ଲାଗିଛି ମାତ୍ର ପାଣି ସଂଯୋଗ ବ୍ୟବସ୍ଥା ହୋଇ ପାରି ନାହିଁ।
ଫଳରେ ଏହା ବ୍ୟବହାରରେ ଆସିନାହିଁ ବୋଲି ବିଭାଗୀୟ ଅଧିକାରୀ ମାନେ କହିଥିଲେ। ବ୍ୟବହାର ନହୋଇ ପଡ଼ି ରହିଥିବା ଯୋଗୁଁ ବହୁ ପାଇଖାନାରୁ ସାନିଟାରୀ ସାମଗ୍ରୀ ଚୋରି ହୋଇ ଯାଇଥିବା ବେଳେ ଅନେକ ସ୍ଥାନରେ ଦୁର୍ବୃତ୍ତ ମାନେ ବହୁ ପାଇଖାନା ଭାଙ୍ଗି ଦେଇଥିବା ଜଣାଯାଇଛି। ପ୍ରଥମ ପର୍ଯ୍ୟାୟରେ ସହରର ୫ ନମର ୱାର୍ଡ଼ର ମସଜିଦ୍ ପାଖରେ ୪ ଗୋଟି ପାଇଖାନା ସିଟ୍, ପାଣିଟାଙ୍କି ପାଖରେ ୬ ଗୋଟି ପାଇଖାନା ସିଟ୍, ୯ ନମ୍ବର ୱାର୍ଡ଼ର ଖଲିଆଢ଼ିପା ଠାରେ ୪ ଗୋଟି ପାଇଖାନା ସିଟ୍, ୱାର୍ଡ଼ ନମ୍ବର ୧୦ର ଓସିପି ଲାଇନ୍ରେ ୪ ଗୋଟି ପାଇଖାନା ସିଟ୍, ୱାର୍ଡ଼ ନମ୍ବର ୧ର ସତନାମିପଡ଼ା ଠାରେ ୬ ଗୋଟି ପାଇଖାନା ସିଟ୍, ୱାର୍ଡ଼ ନମ୍ବର ୨ର ଢ଼ିପାପଡ଼ା-ସାରସମାଲରେ ୪ ଗୋଟି ପାଇଖାନା ସିଟ୍, ୱାର୍ଡ଼ ନମ୍ବର ୪ର ଦିପୁପଡ଼ା ଠାରେ ୪ ଗୋଟି ପାଇଖାନା ସିଟ୍, ୱାର୍ଡ଼ ନମ୍ବର ୭ ସରବେର୍ଣ୍ଣା ପିଏଚ୍ଡ଼ି ଅଫିସ ପଛପଟେ ୪ ଗୋଟି ପାଇଖାନା ସିଟ୍, ୱାର୍ଡ଼ ନମ୍ବର ୮ର ଛୁରିଆପଡ଼ା ଠାରେ ୪ ଗୋଟି ପାଇଖାନା ସିଟ୍, ଝରିଆନାର କ୍ଲବ ନିକଟରେ ୪ ଗୋଟି ପାଇଖାନା ସିଟ୍, ପଞ୍ଚପଡ଼ା ହରିଜନପଡ଼ା ଠାରେ ୪ ଗୋଟି ପାଇଖାନା ସିଟ୍ ସର୍ବମୋଟ ୪୮ ଗୋଟି ପାଇଖାନା ନିର୍ମାଣ କରାଯାଇଛି।
ଏକ ସିମେଣ୍ଟ୍ ଫାଉଣ୍ଡେସନ ନିର୍ମାଣ କରାଯାଇ ତା’ ଉପରେ ଟାଟା ଷ୍ଟିଲର ରେଡ଼ିମେଡ଼୍ ପାଇଖାନା ବସାଯାଇ ଏକ ସେଫ୍ଟି ଟାଙ୍କି ନିର୍ମାଣ କରାଯାଇ ଓଭରହେଡ଼୍ ଟ୍ୟାଙ୍କ ତଥା ଆବଶ୍ୟକୀୟ ସାନିଟାରୀ ସାମଗ୍ରୀ ଲଗାଯାଇଥିଲା। ଏଥିପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ୨୦ ଲକ୍ଷ ୪୬ ହଜାର ୬୫୦ ଟଙ୍କା, ସ୍ବଚ୍ଛ ଭାରତ ମିଶନରୁ ୨୦ ଲକ୍ଷ ୬୪ ହଜାର ୩୪୨ ଟଙ୍କା ଓ ପୌରସଂସ୍ଥା ନିଜସ୍ବ ପାଣ୍ଠିରୁ ୫ ଲକ୍ଷ ୩ ହଜାର ୪୦୮ ଟଙ୍କା ଖର୍ଚ୍ଚ କରାଯାଇଛି। ତେବେ କୌଣସି ପାଇଖାନାରେ ପାଣି ପାଇପ ସଂଯୋଗ କରାଯାଇ ନାହିଁ। ଫଳରେ ଏହି ପାଇଖାନା ଗୁଡ଼ିକ ବ୍ୟବହାର ଉପଯୋଗୀ ହୋଇ ପାରୁନାହିଁ। ପାଇଖାନା ଗୁଡ଼ିକ ଆବଦ୍ଧ ସ୍ଥାନରେ ନକରି ରାସ୍ତା ଆଡ଼କୁ ମୁହଁ କରି ବସାଯାଇଛି। ଏ ସଂପର୍କରେ ପୌରସଂସ୍ଥା ପକ୍ଷରୁ ଅନେକ ଥର କୁହାଯାଇଛି ଯେ, ସମସ୍ତ ପାଇଖାନା ନଳକୂଅ ନିକଟରେ କରାଯାଇଛି। ନଳକୂଅରୁ ପମ୍ପ ଯୋଗେ ଓଭର ହେଡ଼୍ ଟାଙ୍କିକୁ ପାଣି ସଂଯୋଗ କରାଯିବ। ଏଥିପାଇଁ ଆବଶ୍ୟକୀୟ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇ ସାରିଛି। ମାତ୍ର ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ପାଇଖାନା ବ୍ୟବହାର ଉପଯୋଗୀ ହୋଇ ପାରିଲା ନାହିଁ। ଫଳରେ ଲକ୍ଷଲକ୍ଷ ଟଙ୍କା ପାଣିରେ ପଡ଼ି ନଷ୍ଟ ହୋଇଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/Jsg_HB_paikhana.jpeg)