କଟକ : ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ଉଚ୍ଛେଦ କରାଯାଇ ପାରିବନାହିଁ। ବ୍ୟକ୍ତିଙ୍କ ସଂପତ୍ତି ନିଲାମ ପାଇଁ ବି ବ୍ୟାଙ୍କ ପଦକ୍ଷେପ ନେଇ ପାରିବନାହିଁ। ହାଇକୋର୍ଟ ଆଜି ଏଭଳି ଏକ ନିର୍ଦ୍ଦେଶ ଦେବା ସହିତ ଗଲା ମେ ୫ ତାରିଖରେ ଜାରି କରାଯାଇଥିବା ସମସ୍ତ ଅନ୍ତରୀଣ ନିର୍ଦ୍ଦେଶ/ସୁରକ୍ଷା, ମଧ୍ୟବର୍ତ୍ତୀକାଳୀନ ଜାମିନ, ପାରୋଲର ଅବଧି ବଳବତ୍ତର ରହିବ ବୋଲି ରାୟରେ ଉଲ୍ଲେଖ କରିଛନ୍ତି। ଲକ୍ଡାଉନ୍ ସ୍ଥିତିରେ ଅଦାଲତରେ ପହଞ୍ଚିବାରେ ସୃଷ୍ଟି ହେଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ୍ ଶତ୍ରୁଘନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ବିଜୟ କୁମାର ରଗଡ଼ଙ୍କ ଆବେଦନର ଶୁଣାଣି କରି ମେ ୫ର ନିର୍ଦ୍ଦେଶ ଅଗଷ୍ଟ ୩୧ ପର୍ଯ୍ୟନ୍ତ ସଂପ୍ରସାରିତ କରିଛନ୍ତି।
କରୋନା ସଂକ୍ରମଣ ସ୍ଥିତିରେ ଜାରି କରାଯାଇଥିବା କଟକଣା ଯୋଗୁଁ ଲୋକମାନେ ଅଦାଲତରେ ପହଞ୍ଚିବାରେ ଓ ଆଇନଗତ ପଦକ୍ଷେପ ନେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ମେ ୫ରେ ଏ ସଂପର୍କିତ ଜନସ୍ବାର୍ଥମାମଲାର ଶୁଣାଣି କରି ହାଇକୋର୍ଟ ପ୍ରଥମେ ଜୁନ୍ ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ଉଚ୍ଛେଦ କରାଯାଇ ପାରିବନାହିଁ, ସଂପତ୍ତି ନିଲାମ ପାଇଁ ବ୍ୟାଙ୍କ ପଦକ୍ଷେପ ନେଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ଅନ୍ୟ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଂଗରେ ମଧ୍ୟ ହାଇକୋର୍ଟ ଅଙ୍କୁଶ ଜାରି କରିଥିଲେ। କିନ୍ତୁ କରୋନା ସ୍ଥିତି ସୁଧୁରୁ ନ ଥିବାରୁ ଏହି କଟକଣାକୁ ପୁଣି ଦୁଇଟି ପର୍ଯ୍ୟାୟରେ ବୃଦ୍ଧି କରାଯାଇଛି। ଉଚ୍ଛେଦ, ସ୍ଥାନାନ୍ତରଣ, ଭାଙ୍ଗିବା, ନିଲାମ ଉପରେ କଟକଣା ଜାରି କରାଯାଇଥିଲେ ବି ଜନସାଧରଣଙ୍କ ବୃହତ୍ତର ଜରୁରୀ ସ୍ବାର୍ଥ ଦୃଷ୍ଟିରୁ ଯଦି ଉଚ୍ଛେଦ ବା ନିର୍ମାଣ ଭଙ୍ଗାଯିବା କାର୍ଯ୍ୟ ଆବଶ୍ୟକ ଥାଏ ତେବେ ଏହି ନିର୍ଦ୍ଦେଶ ଲାଗୁ ହେବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।
ଏହାସହିତ ଆଗୁଆ ଜାମିନ ଆବେଦନ ସଂକ୍ରାନ୍ତରେ ଶୁଣାଣି କରି ଅଦାଲତ ପ୍ରଦାନ କରିଥିବା ସମସ୍ତ ଅନ୍ତରୀଣ ସୁରକ୍ଷାର ଅବଧି ବୃଦ୍ଧି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଯଦି କୌଣସି କ୍ଷେତ୍ରରେ ଅନ୍ତରୀଣ ସୁରକ୍ଷା ପାଇଥିବା ଅଭିଯୁକ୍ତର ଆଚରଣ ଦ୍ବାରା ପ୍ରତିପକ୍ଷ ସମସ୍ୟାରେ ପଡୁଥିବା ଅନୁଭବ କରନ୍ତି ତେବେ ମାମଲା ବିଚାରାଧୀନ ଥିବା ଅଦାଲତରେ ସେ ଅନ୍ତରୀଣ ସୁରକ୍ଷା ରଦ୍ଦ ପାଇଁ ଆବେଦନ କରିପାରିବେ। ସେହିଭଳି ଅନ୍ତରୀଣ ଜାମିନ ସମୟସୀମା, ଅଦାଲତଙ୍କ ନିର୍ଦ୍ଦେଶ ପାଳନ ପାଇଁ ଦିଆଯାଇଥିବା ସମୟସୀମା, ଜେଲରୁ ପାରୋଲରେ ଛାଡ ପାଇଥିବା ସମୟସୀମା ଯଦି ଏହା ଭିତରେ ଶେଷ ହେଉଥାଏ ତେବେ ତାହା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ସେହିଭଳି ଯଦି କୌଣସି ମାମଲାରେ ଲାଗିଥିବା ଦଫା କଗ୍ନିଜିବଲ୍ ହୋଇଥାଏ ଓ ସର୍ବାଧିକ ଦଣ୍ଡାଦେଶ ୭ ବର୍ଷ ପର୍ଯ୍ୟନ୍ତ ହୋଇଥାଏ ତେବେ ପୁଲିସ ଅଭିଯୁକ୍ତକୁ ଗିରଫ କରିବା ପାଇଁ ତ୍ବରିତ ପଦକ୍ଷେପ ନେବନାହିଁ। କିନ୍ତୁ ଏହା ପୁଲିସ ପାଇଁ ଏକ ପରାମର୍ଶ ଗିରଫ ଉପରେ କଟକଣା ନୁହେଁ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/high-court.png)