କଟକ: ବ୍ୟାଙ୍କ୍ ଏଟିଏମ୍‌ ଗୁଡିକରେ ଫେସିଆଲ୍ ବାୟୋମେଟ୍ରିକ୍ସ ଆଇଡେଣ୍ଟିଫିକେସନ୍ ପ୍ରୋସେସ (ଚିହ୍ନଟ ପ୍ରକ୍ରିୟା) ପ୍ରଚଳନ ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ବହୁ ସମୟରେ ଏଟିଏମ‌୍‌ ବ୍ୟବହାର କରୁଥିବା ବ୍ୟକ୍ତି ମୁହଁଙ୍କୁ ଢାଙ୍କି ବା ଅନ୍ୟ ବାଟରେ ନିଜ ପରିଚୟ ଗୋପନ ରଖୁଥିବା ଦେଖିବାକୁ ମିଳୁଛି। ତେଣୁ ବ୍ୟାଙ୍କ କର୍ତ୍ତୃପକ୍ଷ ଏଟିଏମ୍‌ ଗୁଡ଼ିକରେ ଫେସିଆଲ ବାୟୋମେଟ୍ରିକ୍ସ ଚିହ୍ନଟ କାର୍ଯ୍ୟ ପ୍ରଣାଳୀ ବସାଇବା ପାଇଁ ଯଦି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରନ୍ତି ତେବେ ବ୍ୟବହାରକାରୀଙ୍କୁ କ୍ୟାମେରା ସମ୍ମୁଖରେ ମୁହଁ ଦେଖାଇବାକୁ ପଡ଼ିବ। ବ୍ୟବହାରକାରୀଙ୍କୁ ଏଟିଏମ୍‌ କ୍ୟାମେରା ପ୍ରଥମେ ଚିହ୍ନଟ କରିବ। ଏପରି କାରବାରକୁ ଏଟିଏମ୍‌ ସିକ୍ୟୁରିଟି କ୍ୟାମେରା ତଦାରଖ କରିବା ସହିତ ରେକର୍ଡ କରିପାରିବ। ଏଭଳି ସ୍ଥିତିରେ ଏଟିଏମ୍‌ରେ ବେଆଇନ କାରବାରକୁ ଆରମ୍ଭ ହେବା ପୂର୍ବରୁ ରୋକି ଦିଆଯାଇପାରିବ। ଏଟିଏମ୍‌ କାର୍ଡ ଓ ଏହାର ପିନ୍ ନମ୍ବର ଚୋରି କରି ଯଦି କେହି ପ୍ରକୃତ ଆକାଉଣ୍ଟଧାରୀଙ୍କ ଅଜାଣତରେ ଟଙ୍କା ଉଠାଏ ବା କାରବାର କରେ ତେବେ ଏହା ରେକର୍ଡ ହୋଇଯିବ। ଏଟିଏମ୍ କାର୍ଡ ବ୍ୟବହାର କରି ବେଆଇନ ଟଙ୍କା ଉଠାଣ ଘଟଣାରେ ସଂପୃକ୍ତ ବ୍ୟକ୍ତିର ଏହି ବ୍ୟବସ୍ଥା ଚିହ୍ନଟ କରିପାରନ୍ତା ବୋଲି ହାଇକୋର୍ଟ ମତ ଦେଇଛନ୍ତି। ଏହାଦ୍ୱାରା ତଦନ୍ତକାରୀ ସଂସ୍ଥା ପାଇଁ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହଜ ହେବ।

Advertisment

ଅପହୃତା ନାବାଳିକାର ଉଦ୍ଧାର ପାଇଁ ନିବେଦନ କରି ପୀଡ଼ିତ ପରିବାର ପକ୍ଷରୁ ଦାୟର ହେବିୟସ କର୍ପସ ଆବେଦନର ଶୁଣାଣି କରି ଜଷ୍ଟିସ ସଂଗମ କୁମାର ସାହୁ ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଂଗରେ ବ୍ୟାଙ୍କ ବିଶେଷ କରି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କର୍ତ୍ତୃପକ୍ଷଙ୍କ ସହିତ ରାଜ୍ୟ ସରକାର ଆଲୋଚନା କରିବେ ଓ ଏଟିଏମ୍‌ ବ୍ୟବହାରକାରୀଙ୍କ ଚିହ୍ନଟ ପାଇଁ ଆବଶ୍ୟକ ଭିତ୍ତିଭୂମି ବିକାଶ ଓ ନିୟମାବଳୀ ଜାରି ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି ସରକାରୀ ଓକିଲ ଶୁଣାଣି ସମୟରେ ଅବଗତ କରିଥିଲେ। ଆଇନର ପ୍ରକ୍ରିୟା ଅନୁସାରେ ତଦନ୍ତକାରୀ ଏଜେନ୍ସି ଏଟିଏମ୍‌ରେ କାରବାର କରୁଥିବା ବ୍ୟକ୍ତିଙ୍କ ପରିଚୟ ଚିହ୍ନଟ ପ୍ରସଂଗ ସୁନିଶ୍ଚିତ କରିବା ପାଇଁ ସରକାର ଆରବିଆଇ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବେ ବୋଲି ଦର୍ଶାଯାଇଥିଲା। ଅନ୍ୟପଟେ ଉପରୋକ୍ତ ଅପହରଣ ମାମଲାରେ ଅଭିଯୁକ୍ତକୁ ଠାବ ଓ ପୀଡ଼ିତାଙ୍କ ଉଦ୍ଧାର ପାଇଁ ପୁଲିସକୁ ହାଇକୋର୍ଟ ଅତିରିକ୍ତ ସମୟ ପ୍ରଦାନ କରିଛନ୍ତି। ଡିସେମ୍ବର ୪କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।