ଶ୍ରୀମନ୍ଦିରରେ ହାଇକୋର୍ଟ ଆମିକସ୍‌କ୍ୟୁରି: ନାଟମଣ୍ଡପ ମରାମତି ବିଳମ୍ବକୁ ନେଇ ବିଗିଡ଼ିଲେ

ପୁରୀ : ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆମିକସ୍‌କ୍ୟୁରି ଏନ୍‌ ସି ମହାନ୍ତି ଶନିବାର ଦିନ ଶ୍ରୀମନ୍ଦିର ମରାମତିର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି। ଶ୍ରୀମନ୍ଦିର ନାଟମଣ୍ଡପ, ଜଗମୋହନ, ରୋଷଘର ଆଦି ବୁଲି ସ୍ଥିତି ପରଖିଛନ୍ତି। କେତେ କାମ ସରିଛି ଓ କେତେ ବାକି ଅଛି, ସେ ସମ୍ପର୍କରେ ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ୬ ବର୍ଷ ପରେ ବି ନାଟମଣ୍ଡପ ମରାମତି ଆରମ୍ଭ ହୋଇନଥିବାରୁ ଆମିକସକ୍ୟୁରି ବିରକ୍ତ ହୋଇଛନ୍ତି। ମାର୍ଚ୍ଚ ଭିତରେ ଏହି ମରାମତି କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଆସନ୍ତା ୨୭ ତାରିଖରେ ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ସମ୍ପର୍କରେ ଆଲୋଚନା ପରେ ଏହା ଉପରେ ନିଷ୍ପତ୍ତି ନିଆଯିବ ବୋଲି ଆମିକସ୍‌କ୍ୟୁରି ଶ୍ରୀ ମହାନ୍ତି କହିଛନ୍ତି।

ଆମିକସ୍‌କ୍ୟୁରି ଶ୍ରୀ ମହାନ୍ତି ଆଜି ପୂର୍ବାହ୍ଣରେ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଅଧୀକ୍ଷକ ଅରୁଣ ମଲ୍ଲିକ, ‌ବୈଷୟିକ କୋର୍‌ କମିଟି ସଦସ୍ୟ ଡ. ଏନ୍‌ସି ପାଲ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ଓ ଅନ୍ୟ ଅଧିକାରୀଙ୍କ ସହ ମରାମତିର ଅନୁଧ୍ୟାନ କରିଥିଲେ। ଅପରାହ୍ଣରେ ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀ, ଇଂଜିନିୟର, କୋର୍‌ କମିଟି ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ସହ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ମରାମତି ଅଗ୍ରଗତିର ସମୀକ୍ଷା କରିଥିଲେ। ୨୦୧୬ ମସିହାରୁ ନାଟମଣ୍ଡପ ଫାଟ ଓ ଏହାର ତ୍ବରିତ ମରାମତି ପାଇଁ କୁହାଯାଇଥିଲେ ବି ଅଦ୍ୟାବଧି ଏହାର ମରାମତି ଆରମ୍ଭ ହୋଇନି। ଏଣୁ ଆମିକସ୍‌କ୍ୟୁରି ଶ୍ରୀ ମହାନ୍ତି ଏ ନେଇ ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀଙ୍କୁ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରିଛନ୍ତି। କିନ୍ତୁ କୋଭିଡ୍‌ ଆଳ ଦେଖାଇ ପ୍ରତ୍ନତତ୍ତ୍ବ ବିଭାଗ ମରାମତି ବିଳମ୍ବ ହୋଇଥିବା ଦର୍ଶାଇବା ପରେ ୨୦୨୩ ମାର୍ଚ୍ଚ ଭିତରେ ନାଟମଣ୍ଡପ ମରାମତି ସାରିବାକୁ ଆମିକସ୍‌କ୍ୟୁରି ନିର୍ଦ୍ଦେଶ ଦେଇଛନ୍ତି।

ମରାମତି ଅଗ୍ରଗତିର ଅନୁଧ୍ୟାନ କଲେ
ମାର୍ଚ୍ଚ ଭିତରେ କାମ ସାରିବାକୁ ଦେଲେ ନିର୍ଦ୍ଦେଶ
୨୭ ତାରିଖ ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ପ୍ରସଙ୍ଗ

ସମୀକ୍ଷା ବୈଠକ ପରେ ଶ୍ରୀ ମହାନ୍ତି କହିଛନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀମନ୍ଦିର ମରାମତି ପାଇଁ ଯେଉଁ ଆଦେଶ ଥିଲା, ତାହା କେତେ ଆଗେଇଛି, ତାର ଅନୁଧ୍ୟାନ କରାଯାଇଛି। ଯେଉଁ କାମ ବାକି ରହିଛି, ତୁରନ୍ତ ସାରିବାକୁ କୁହାଯାଇଛି। ମରାମତି ଓ ରକ୍ଷଣାବେକ୍ଷଣ କାମ ନିୟମିତ ଜାରି ରହୁଥିବାବେଳେ ଏଥିପାଇଁ ୫ ବର୍ଷିୟା ଆକ୍ସନ୍‌ ପ୍ଲାନ ପ୍ରସ୍ତୁତ ହେଉଛି ବୋଲି ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀମାନେ ଦର୍ଶାଇଛନ୍ତି। ବିଶେଷ କରି ନାଟମଣ୍ଡପ ମରାମତି କାମ ଆଗେଇ ନଥିବାରୁ ଆସନ୍ତା ମାର୍ଚ୍ଚ ଭିତରେ ଏହି କାମ ସାରିବାକୁ କୁହାଯାଇଛି। ରତ୍ନଭଣ୍ଡାର ସମ୍ପର୍କରେ ଆଜିର ବୈଠକରେ କିଛି ଆଲୋଚନା ହୋଇନି। ଆସନ୍ତା ୨୭ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅଛି। ଏହି ବୈଠକରେ ରତ୍ନଭଣ୍ଡାର ସଂପର୍କିତ ଆଲୋଚନା ହୋଇ ଯାହା ନିଷ୍ପତ୍ତି ନିଆଯିବ, ସେହି ଅନୁସାରେ କାମ ଆଗେଇବ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଚଳିତ ମାସରେ ଶ୍ରୀମନ୍ଦିର ମରାମତି ସମ୍ପର୍କିତ ପରବର୍ତ୍ତୀ ଶୁଣାଣି ଥିବାବେଳେ ଶୁଣାଣିର ୮ ଦିନ ଆଗରୁ ଏହାର ଅଗ୍ରଗତି ସମ୍ପର୍କରେ ଜଣାଇବାକୁ ପ୍ରତ୍ନତତ୍ତ୍ବ ବିଭାଗକୁ କୁହାଯାଇଛି।

କୋର୍‌ କମିଟି ସଦସ୍ୟ ଡ. ପାଲ କହିଛନ୍ତି, ଆଜିର ବୈଠକରେ ନାଟମଣ୍ଡପରେ ଥିବା ଫାଟ ମରାମତି କଥା ଆଲୋଚନା ହୋଇଛି। ସେହିଭଳି ଜଗ ମୋହନ ବାହାର, କୁରୁମ ବେଢ଼ା ଓ ଅନ୍ୟାନ୍ୟ ପାର୍ଶ୍ବ ଦେବବେଦୀ ମନ୍ଦିର ମରାମତି ସମ୍ପର୍କରେ ଆଲୋଚନା ହୋଇଛି। ରଥଯାତ୍ରା ସମୟରେ ରୋଷଘର ଅଗଣାର କିଛି କାମ ବାକି ରହିଯାଇଥିଲା। ଏହି କାମ ତୁରନ୍ତ ସାରିବାକୁ କୁହାଯାଇଛି। ଝୁଲଣ ମଣ୍ଡପ ମରାମତି ସମ୍ପର୍କରେ ବି ଆଲୋଚନା ହୋଇଛି ବୋଲଇ ଡ. ପାଲ୍‌ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର