ମୁଖ୍ୟମନ୍ତ୍ରୀ ମେଧା ବୃତ୍ତିକୁ ନେଇ ବିବାଦ: ସରକାରୀ ଓ ଘରୋଇ ଶିକ୍ଷା ଅନୁଷ୍ଠାନ ପାଇଁ ପୃଥକ ନିୟମକୁ ଚାଲେଞ୍ଜ

ହାଇକୋର୍ଟଙ୍କ ଜବାବ ତଲବ

କଟକ: ‘ମୁଖ୍ୟମନ୍ତ୍ରୀ ମେଧା ବୃତ୍ତି’କୁ ନେଇ ବିବାଦ ଦେଖା ଦେଇଥିବା ବେଳେ ଏ ସଂପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି। ମୁଖ୍ୟମନ୍ତ୍ରୀ ମେଧା ବୃତ୍ତି ପାଇଁ ସରକାର ଜାରି କରିଥିବା ମାର୍ଗ ଦର୍ଶିକାରେ ଅଣଅନୁଦାନପ୍ରାପ୍ତ ଓ ସ୍ୱୀକୃତିପ୍ରାପ୍ତ ଶିକ୍ଷା ଅନୁଷ୍ଠାନ ପାଇଁ ରହିଥିବା ଏକ ନିର୍ଦ୍ଦିଷ୍ଟ ନିୟମକୁ ଚାଲେଞ୍ଜ କରି ବାଣପୁରର ଭଗବତୀବିହାରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଓ ଅରବିନ୍ଦ ସ୍କୁଲ ଅଫ୍‌ ଇଣ୍ଟିଗ୍ରାଲ ଏଜୁକେସନ୍‌ର ୧୭ ଜଣ ଛାତ୍ରଛାତ୍ରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଡକ୍ଟର ଜଷ୍ଟିସ୍‌ ଏ.କେ.ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ଖୋର୍ଦ୍ଧା ଜିଲ୍ଲାପାଳ ଓ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପୁରୁଷୋତ୍ତମ ଚୁଳି ମାମଲା ପରିଚାଳନା କରୁଥିବା ବେଳେ ପ୍ରିୟମ୍ବଦା ନାଥ ତାଙ୍କୁ ସହାୟତା କରୁଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷା ବୃତ୍ତି ପ୍ରଦାନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ‘ମୁଖ୍ୟମନ୍ତ୍ରୀ ମେଧା ବୃତ୍ତି’ ନାମକ ଏହି ସ୍ୱତନ୍ତ୍ର ବୃତ୍ତି ପ୍ରଦାନ ନେଇ ସରକାର ଘୋଷଣା କରିବା ସହିତ ଏ ନେଇ ମାର୍ଗ ଦର୍ଶିକା ଜାରି କରିଥିଲେ। ମାଗ ଦର୍ଶିକାର ୨(ଘ)ରେ ଉଲ୍ଲେଖ କରାଯାଇଥିଲା ଯେ ‘ପ୍ରତି ବ୍ଲକରୁ ୧୦୦ ଜଣ, ପ୍ରତି ନିଗମ ଅଞ୍ଚଳରୁ ୧୦୦ ଜଣ, ପ୍ରତି ମ୍ୟୁନିସିପାଲିଟିରୁ ୫୦ ଜଣ ଓ ପ୍ରତି ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି)ରୁ ୨୦ ଜଣ ଯୋଗ୍ୟ ଛାତ୍ରଛାତ୍ରୀ ଏହି ବୃତ୍ତି ପାଇବେ। ଅଣ-ଅନୁଦାନପ୍ରାପ୍ତ ଓ ସ୍ୱକୃତୀପ୍ରାପ୍ତ ଶିକ୍ଷା ଅନୁଷ୍ଠାନ ଗୁଡିକ ମୋଟ ବୃତ୍ତି ସଂଖ୍ୟାର ସର୍ବାଧିକ ୨୦ ଭାଗ ସଂଖ୍ୟକ ବୃତ୍ତି ପାଇ ପାରିବେ।’ ଏପରି ନିୟମ ଅଧାରରେ ବାଣପୁର ଏନଏସି ଅଞ୍ଚଳରୁ ମୁଖ୍ୟମନ୍ତ୍ରୀ ମେଧା ବୃତ୍ତି ପାଇବା ପାଇଁ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା। ନିୟମ ଅନୁସାରେ ଅଣ-ଅନୁଦାନପ୍ରାପ୍ତ ଓ ସ୍ୱକୃତିପ୍ରାପ୍ତ ଶିକ୍ଷା ଅନୁଷ୍ଠାନର ମାତ୍ର ୨୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଏହି ତାଲିକାରେ ସ୍ଥାନ ମିଳିଥିଲା। ୨୦ ଜଣିଆ ତାଲିକାରେ ଘରୋଇ ଶିକ୍ଷା ଅନୁଷ୍ଠାନର ମାତ୍ର ୪ ଜଣ ଛାତ୍ରଛାତ୍ରୀ ସ୍ଥାନ ପାଇିଥିଲେ। ଅନ୍ୟପକ୍ଷରେ ସରକାରୀ ଓ ଅନୁଦାନପ୍ରାପ୍ତ ଶିକ୍ଷା ଅନୁଷ୍ଠାନର ୧୬ ଛାତ୍ରଛାତ୍ରୀଙ୍କ ଠାରୁ ଅଧିକ ମାର୍କ ରଖିଥିବା ଘରୋଇ ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ କିନ୍ତୁ ତାଲିକାରେ ସ୍ଥାନ ମିଳି ପାରି ନଥିଲା। ଘରୋଇ ଶିକ୍ଷା ଅନୁଷ୍ଠାନରୁ ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କ ସାମ୍ବିଧାନିକ ଅଧିକାର ଏହା ଦ୍ୱାରା କ୍ଷୁଣ୍ଣ ହୋଇଛି। ମେଧାବୀଙ୍କୁ ମୁଖ୍ୟମନ୍ତ୍ରୀ ମେଧା ବୃତ୍ତି ପାଇବାରୁ ବଞ୍ଚିତ କରାଯାଉଛି ଦର୍ଶାଇ ହାଇକୋର୍ଟରେ ଏହି ମାମଲା ରୁଜୁ କରାଯାଇଛି। ଏପରି ନିୟମକୁ ତୁରନ୍ତ ରଦ୍ଦ କରାଯାଉ ଓ ସରକାରୀ ଓ ଘରୋଇ ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପାଇଁ ମେଧାବୃତ୍ତି ପାଇବା ନିୟମ ସମାନ କରାଯାଉ ବୋଲି ଆବେଦନରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର