କଟକ: ହାଇକୋର୍ଟ ଏଏସ୍ଓ ପରୀକ୍ଷା ପ୍ରଶ୍ନପତ୍ରର ମଡେଲ୍ ଉତ୍ତର ୭୦ ଜଣ ଆଶାୟୀଙ୍କୁ ବିକ୍ରି କରାଯାଇଥିଲା। ଏହି ପରୀକ୍ଷା କେଳେଙ୍କାରୀର ପର୍ଦ୍ଦାଫାସ କରିବା ସହିତ କଟକ କମିସନରେଟ୍ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ଏହି କେଳେଙ୍କାରୀର ମାଷ୍ଟରମାଇଣ୍ଡ ପଞ୍ଚସଫ୍ଟ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍ର ମାଲିକ ଗଞ୍ଜାମ ଜିଲ୍ଲାର ଶଙ୍କର ପୃଷ୍ଟି ଓ ଶଙ୍କରର ଖାସ୍ ସହଯୋଗୀ ନୟାଗଡ଼ର ମୁନା ମହାନ୍ତି ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଉଭୟ ଶଙ୍କର ଓ ମୁନାଙ୍କ ସମେତ ୫ ଜଣଙ୍କୁ ପୁଲିସ ରିମାଣ୍ଡରେ ନେବାକୁ ଯାଉଛି। ଶଙ୍କର ଓ ମୁନା ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ(ଓପିଆର୍ବି) ଏସ୍ଆଇ ପରୀକ୍ଷା କେଳେଙ୍କାରୀର ମାଷ୍ଟରମାଇଣ୍ଡ ହୋଇଥିବା ବେଳେ ଓଟିଇଟି କେଳେଙ୍କାରୀରେ ସାମିଲ ରାମଜୀ ପ୍ରସାଦ ଗୁପ୍ତା ବି ଏଥିରେ ସାମିଲ ଅଛି। ପୁଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀର ତଦନ୍ତ ଏବେ ସିବିଆଇ କରୁଛି।
ସୂଚନା ଅନୁଯାୟୀ, ହାଇକୋର୍ଟର ଏଏସ୍ଓ-୨୦୨୪ ମୁଖ୍ୟ ଲିଖିତ ପରୀକ୍ଷା ୨୦୨୫ ଜୁଲାଇରେ ଅନୁଷ୍ଠିତ ହୋଇଥିଲା। ଏହି ପରୀକ୍ଷାର ପ୍ରଶ୍ନପତ୍ର ପ୍ରସ୍ତୁତି ଦାୟିତ୍ବ ନେଇଥିଲା ଭୁବନେଶ୍ବରର ଘରୋଇ ସଂସ୍ଥା ସିଲିକନ୍ ଟେକ୍ ପ୍ରାଇଭେଟ୍ ଲିମିଟେଡ୍। କିନ୍ତୁ ଏହି ପ୍ରଶ୍ନପତ୍ରର ମଡେଲ୍ ଉତ୍ତର ଶଙ୍କର ପୃଷ୍ଟି ଗ୍ୟାଙ୍ଗ ହାତରେ ଲାଗିଥିଲା। ମଡେଲ୍ ଉତ୍ତରକୁ ବିକ୍ରି ପାଇଁ ପ୍ରତି ପ୍ରାର୍ଥୀ ପିଛା ୨୦ ଲକ୍ଷ ଟଙ୍କା ହିସାବରେ ପାଖାପାଖି ୧୪ କୋଟି ଟଙ୍କାର ଡିଲ୍ ହୋଇଥିଲା। ବାଦାମବାଡ଼ି ଥାନା ଖାନନଗର ଓ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପୋଖରୀପୁଟରେ ଟଙ୍କା ଦେଇଥିବା ପ୍ରାର୍ଥୀଙ୍କୁ ଏକାଠି କରାଯାଇଥିଲା। ୭୦ ଜଣ ପ୍ରାର୍ଥୀଙ୍କୁ ଏହି ଦୁଇଟି ସ୍ଥାନରେ ମଡେଲ୍ ଉତ୍ତର ମାଧ୍ୟମରେ ମୁଖ୍ୟ ଲିଖିତ ପରୀକ୍ଷା ପାଇଁ ପ୍ରସ୍ତୁତ କରାଯାଇଥିଲା। ଖାତାଦେଖା ସମୟରେ କିଛି ପ୍ରାର୍ଥୀଙ୍କ ଉତ୍ତର ସମାନ ଥିବା ଜଣାପଡ଼ିଥିଲା।
ଏଠି ବି ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି, ମୁନା ମହାନ୍ତି
ଓଟିଇଟି ଘୋଟାଲାର ରାମଜୀ ପ୍ରସାଦ ଗୁପ୍ତା ବି ସାମିଲ
ଖାନନଗର, ପୋଖରୀପୁଟରେ ଦିଆଯାଇଥିଲା ୭୦ ଆଶାୟୀଙ୍କୁ ତାଲିମ
ଏହାକୁ ନେଇ ଖୋଳତାଡ଼ ପରେ ଆଉଟସୋର୍ସିଂ ସଂସ୍ଥା ବଡ଼ଧରଣର କେଳେଙ୍କାରୀ କରିଥିବା ଜଣାପଡ଼ିଥିଲା। ଫଳରେ ଏଏସ୍ଓ ପରୀକ୍ଷାକୁ ବାତିଲ କରାଯାଇଥିଲା। ଏ ସମ୍ପର୍କରେ ଲାଲବାଗ ଥାନାରେ ନଭେମ୍ବରରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ପ୍ରାଥମିକ ଭାବେ ୧୧ ଜଣଙ୍କ ସମ୍ପୃକ୍ତି ସାମନାକୁ ଆସିଥିଲା। ଲାଲବାଗ ଥାନା ପୁଲିସ ଭୁବନେଶ୍ବର ମଞ୍ଚେଶ୍ବର ଥାନା ଶକ୍ତିବିହାରର ହିମାଂଶୁ ଶେଖର ଦାସ(୨୯), ଇନ୍ଫୋସିଟି ଥାନା ନନ୍ଦନ ବିହାରର ଶ୍ରୀଧର ମନ୍ତ୍ରୀ(୩୯), ଖଣ୍ଡଗିରି ଥାନା ଡୁମଡୁମାର ଆଲୋକ ସାହୁ(୩୦), ବାଲେଶ୍ବର ଟାଉନ ଥାନା ଅନ୍ତର୍ଗତ ମୋତିଗଞ୍ଜର ନିର୍ମାଲ୍ୟ କୁମାର ଦାସ(୩୧), କଟକ ଜିଲ୍ଲା ବାଙ୍କୀ ଥାନା କଶିପୁରର ଗଙ୍ଗାଧର ଜେନା(୪୦), ଗଞ୍ଜାମ ଜିଲ୍ଲା ହିଞ୍ଜିଳିର ଜ୍ୟୋତିର୍ମୟୀ ସାହୁ(୨୮)ଙ୍କୁ ଗିରଫ କରିଛି। ହିମାଂଶୁ ଓ ଶ୍ରୀଧର ସିଲିକନ୍ର କର୍ମଚାରୀ ଥିବା ବେଳେ ଆଲୋକ ଜଣେ ପ୍ରାର୍ଥୀ ଥିଲା। ନିର୍ମାଲ୍ୟ, ଗଙ୍ଗାଧର ଓ ଜ୍ୟୋତିର୍ମୟୀ ଦଲାଲ ଭାବେ କାମ କରୁଥିଲେ। ସିଲିକନ୍ ଟେକ୍ ପ୍ରାଇଭେଟ୍ ଲିମିଟେଡ୍ର ମାଲିକ ସୁରେଶ ନାୟକ ପୂର୍ବରୁ କ୍ରାଇମବ୍ରାଞ୍ଚ ଦ୍ବାରା ଗିରଫ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/19/high-court22-2025-12-19-02-11-30.jpg)