କଟକ: ପୁରୀ ତାଳବଣିଆରେ ଥିବା ଶ୍ରୀଜଗନ୍ନାଥଙ୍କ ମୂଲ୍ୟବାନ ଜମିର ସୁରକ୍ଷା ସଂକ୍ରାନ୍ତରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଧାର୍ଯ୍ୟ ଅର୍ଥ ପୈଠ ପରେ ଆବେଦନକାରୀଙ୍କ ନାଁରେ ସଂପୃକ୍ତ ଜମିର ବିକ୍ରି କବଲା କରିବାକୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ୨୦୧୬ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଇତିମଧ୍ୟରେ ସଂପୃକ୍ତ ଜମି ଉପରେ ପୁରୀ ଆସୁଥିବା ତୀର୍ଥଯାତ୍ରୀଙ୍କୁ ରହାତି ଦରରେ ରହିବା ସୁବିଧା ପ୍ରଦାନ ପାଇଁ ଅତିଥି ଭବନ ନିର୍ମାଣ ଲାଗି ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇସାରିଛି। ଏଭଳି ଘଟଣାକୁ ବିଚାରକୁ ନେଇ ୨୦୧୬ର ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ଲାଲା ନଳିନୀ କୁମାର ରାୟଙ୍କଉତ୍ତରାଧିକାରୀମାନେ ଦାୟର କରିଥିବା ଅନ୍ତରୀଣ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ ଶ୍ରୀଜଗନ୍ନାଥଙ୍କ ସଂପତ୍ତିକୁ ଦଖଲରେ ରଖିବା ବା କ୍ରୟ କରିବାକୁ କୌଣସି ବ୍ୟକ୍ତିବିଶେଷକୁ ଅଧିକାର ଦିଆଯାଇ ନାହିଁ। ଏହି ପ୍ରସଙ୍ଗ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ବେଳେ ଶ୍ରୀମନ୍ଦିର ପରିଚାଳନା କମିଟି ୨୦୧୭ ଜୁଲାଇ ୧୩ରେ ଜମି ଉପରେ ଅତିଥି ଭବନ ନିର୍ମାଣ ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲା। ଶ୍ରଦ୍ଧାଳୁଙ୍କ ପାଇଁ ଅତିଥି ଭବନ ନିର୍ମାଣ ଶ୍ରୀଜଗନ୍ନାଥଙ୍କ ସ୍ବାର୍ଥରେ ହେଉଛି। ଏହି ଜମିର ବିକ୍ରି କବଲା କାର୍ଯ୍ୟକାରୀ ଓ ହସ୍ତାନ୍ତର ପ୍ରସଙ୍ଗ ନେଇ ଦାୟର ଏହି ଅନ୍ତରୀଣ ଆବେଦନ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ୍ କୃଷ୍ଣ ରାମ ମହାପାତ୍ର ଓ ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଲାଲା ନଳିନୀ କୁମାର ରାୟଙ୍କ ଉତ୍ତରାଧିକାରୀ ସ୍ବର୍ଣ୍ଣଲତା ମହାନ୍ତି ଓ ଦେବଦତ୍ତ ରାୟଙ୍କ ଅନ୍ତରୀଣ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି। ତାଳବଣିଆ ମୌଜାରେ ଶ୍ରୀଜଗନ୍ନାଥଙ୍କ ନାଁରେ ଥିବା ୧୨୦ ଡିସିମିଲ ଜମି ପ୍ରସଙ୍ଗକୁ ନେଇ ଲାଲା ନଳିନୀ କୁମାର ରାୟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
ଏହି ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଭବାନୀ ପଣ୍ଡା ଓରଫ ଦାଶ ଦାୟର କରିଥିବା ଇଣ୍ଟରଭେନସନ୍ ପିଟିସନକୁ ହାଇକୋର୍ଟ ଖାରଜ କରିଥିଲେ। ନୂଆ ଧାର୍ଯ୍ୟ ମୂଲ୍ୟ ଆବେଦନକାରୀ ପଇଠ କରିବା ପରେ ଶ୍ରୀମନ୍ଦିର ପ୍ରଶାସନ ଜମି ବିକ୍ରି କବଲା ସଂପାଦନ କରିବ ବୋଲି ହାଇକୋର୍ଟ ୨୦୧୬, ଜୁନ୍ ୨୮ରେ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେବାରୁ ଏକ ଅନ୍ତରୀଣ ଆବେଦନ ଦାୟର ହୋଇଥିଲା। ଏହାପରେ ଜମି ଅର୍ଥ ବାବଦ ଡିମାଣ୍ଡ ଡ୍ରାଫ୍ଟ ଗ୍ରହଣ କରିବା ସହିତ ପୂର୍ବ ନିର୍ଦ୍ଦେଶ ଅନୁସାରେ ସମସ୍ତ ପ୍ରକ୍ରିୟା ୨୦୧୬ ଅକ୍ଟୋବର ଶେଷ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ଭବାନୀ ପଣ୍ଡା ୨୦୦୮ ଅଗଷ୍ଟ ୬ ଓ ୨୦୧୬ ଜୁନ୍ ୨୮ର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏସ୍ଏଲପି ଦାୟର କରିଥିଲେ। ଏହି ଜମି ପ୍ରସଙ୍ଗରେ ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟ ୨୦୧୬ ଅକ୍ଟୋବର ୨୮ରେ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ଏସ୍ଏଲ୍ପି ବିଚାରାଧୀନ ଥିବା ବେଳେ ‘ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଏବଂ ମୃଣାଳିନୀ ପାଢୀ' ମାମଲାରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟ ଆଧାରରେ ଏହି ଜମି ଉପରେ ତୀର୍ଥଯାତ୍ରୀଙ୍କ ପାଇଁ ଏକ ଅତଥି ଭବନ ନିର୍ମାଣ ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ୨୦୧୭ ଜୁଲାଇ ୧୩ରେ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହି ପ୍ରସ୍ତାବ ପରେ ଏସ୍ଏଲ୍ପିର ଆଗକୁ ଆଉ ଶୁଣାଣିର କୌଣସି ପ୍ରାସଙ୍ଗିକତା ନାହିଁ ବୋଲି ଭବାନୀ ପଣ୍ଡାଙ୍କ ତରଫରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଥିଲା। ୨୦୨୪ ଫେବ୍ରୁଆରି ୧୨ରେ ସୁପ୍ରିମକୋର୍ଟ ଏସ୍ଏଲ୍ପିକୁ ଖାରଜ କରିଥିଲେ। ଏହାପରେ ଗତ ବର୍ଷ ଆବେଦନକାରୀ ଏକ ଅନ୍ତରୀଣ ଆବେଦନ ଦାୟର କରି ବିକ୍ରି କବଲା ସଂପାଦନ ସଂପର୍କିତ ୨୦୧୬ର ଦୁଇ ନିର୍ଦ୍ଦେଶର କାର୍ଯ୍ୟକାରୀ ପାଇଁ ନିବେଦନ କରିଥିଲେ। ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ତରଫରୁ ଆଇନଜୀବୀ ଆନନ୍ଦ ଚନ୍ଦ୍ର ସ୍ବାଇଁ ମାମଲା ପରିଚାଳନା କରୁଥିଲେ।