ଉଲୁଣ୍ଡା ବ୍ଲକ୍‌ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍‌, ଫଳାଫଳ ଘୋଷଣା ଉପରେ ରୋକ୍‌ ଲଗାଇଲେ ହାଇକୋର୍ଟ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ମିତାଲି ମହାକୁରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା। ସୋମବାର ଏଥିପାଇଁ ଭୋଟ୍‌ଗ୍ରହଣ ଶାନ୍ତିଶୃଙ୍ଖଳାରେ ଶେଷ ହୋଇଛି। ଅଧ୍ୟକ୍ଷାଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ୧୭ଟି ପଞ୍ଚାୟତର ୨୪ଜଣ ପିଆର୍‌ ମେମ୍ବର ବୀରମହାରାଜପୁର ଉପ ଜିଲ୍ଲାପାଳଙ୍କ ଠାରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ଉପ ଜିଲ୍ଲାପାଳ ଅଶୋକ ଭୋଇ ୨୬ ତାରିଖ ଦିନ ମତଦାନ କରିବା ପାଇଁ ଏକ ନୋଟିସ୍‌ ଜାରି କରିଥିଲେ। ଏହାକୁ ବିରୋଧ କରି ଅଧ୍ୟକ୍ଷା ହାଇକୋର୍ଟର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ।

ମାନ୍ୟବର କୋର୍ଟ ଭୋଟ୍‌ ଉପରେ ସ୍ଥଗିତାଦେଶ ରଖିନଥିଲେ ମଧ୍ୟ ଫଳାଫଳ ଘୋଷଣା କରାଯିବ ନାହିଁ ବୋଲି ନିର୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ମେ ୧୦ ତାରିଖକୁ ଧାର୍ଯ୍ୟ କରିଥିଲେ। କୋର୍ଟଙ୍କ ନିର୍ଦେଶ ଅନୁସାରେ ସୋମବାର ମତଦାନ ହୋଇଥିଲା। ପୁଲିସ୍ ଫୋର୍ସଙ୍କ କଡ଼ା ସୁରକ୍ଷା ମଧ୍ୟରେ ସଭ୍ୟ/ସଭ୍ୟା ମାନେ ମତଦାନ କରିଥିଲେ। ଏହି ଭୋଟରେ ନିର୍ବାଚନ ଅଧିକାରୀ ଭାବରେ ବୀରମହାରାଜପୁର ତହସିଲଦାର ରଞ୍ଜନ ପରିଡ଼ା ଦାୟିତ୍ୱ ତୁଲାଇଥିଲେ। ବୀରମହାରାଜପୁର ବିଧାୟକ ତଥା ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସମେତ ୩୧ଜଣ ସରପଞ୍ଚ ଏବଂ ସମିତି ସଭ୍ୟ ଯୋଗ ଦେଇଥିଲେ। ମତଦାନ ପାଇଁ ୨୮ଜଣ ବାଲଟ୍‌ ପେପର ଗ୍ରହଣ କରିଥିଲେ। ଅନ୍ୟପଟେ ୩ଜଣ ମତଦାନରୁ ବିରତ ରହିଥିଲେ। ସାଂସଦଙ୍କ ସମେତ ୨ଜଣ ଅନୁପସ୍ଥିତ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର