ହାଇକୋର୍ଟ ବାର୍ ନିର୍ବାଚନ: ଧରଣୀଧର ସଭାପତି, ଚିତ୍ତରଂଜନ ସଂପାଦକ

କଟକ : ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ ସଭାପତି ଭାବେ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ନିର୍ବାଚିତ ହୋଇଛି। ଶ୍ରୀ ନାୟକ ୧୨୦୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ସଭାପତି ପଦ ପାଇଁ ଅନୁଷ୍ଠିତ ନିର୍ବାଚନରେ ଆଇନଜୀବୀ ବିଜୟ କୁମାର ଦାଶ ଦ୍ବିତୀୟ, ବରିଷ୍ଠ ଆଇନଜୀବୀ ପ୍ରଦୀପ୍ତ କୁମାର ମହାନ୍ତି ତୃତୀୟ ଓ ଆଇନଜୀବୀ ଡକ୍ଟର ସୁଜାତା ଦାଶ ଚତୁର୍ଥ ସ୍ଥାନରେ ରହିଛନ୍ତି।

ସେହିଭଳି ୧୫୧୯ ଖଣ୍ଡ ଭୋଟ ପାଇ ବିଦ୍ୟାଧର ପ୍ରଧାନ ଉପସଭାପତି ଭାବେ ବିଜୟୀ ହୋଇଥିବା ବେଳେ କରୁଣାକର ରଥ ଦ୍ବିତୀୟ ଓ ପ୍ରଦୀପ କୁମାର ମିଶ୍ର ତୃତୀୟ ସ୍ଥାନରେ ରହିଛନ୍ତି। ସଂପାଦକ ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥିବା ଚିତ୍ତରଂଜନ ସ୍ବାଇଁ ୧୦୨୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ରଂଜନ କୁମାର ନାୟକ ଦ୍ବିତୀୟ ଓ ହୃଦାନନ୍ଦ ମହାପାତ୍ର ତୃତୀୟ ସ୍ଥାନରେ ରହିଛନ୍ତି। ସଂପାଦକ ପଦ ପାଇଁ ୭ଜଣ ପ୍ରାର୍ଥୀ ରହିଥିଲେ।

ଅନ୍ୟପଟେ ଯୁଗ୍ମ ସଂପାଦକ ଭାବେ ଦେବାଶିଷ ନନ୍ଦ, ସହକାରୀ ସଂପାଦକ ଭାବେ ଦେବାଶିଷ ସ୍ବାଇଁ, ପାଠାଗାର ସଂପାଦକ ଭାବେ ଜାନକୀକାନ୍ତ ମହାପାତ୍ର ନିର୍ବାଚିତ ହୋଇଛନ୍ତି। ଆଜି ଅନୁଷ୍ଠିତ ନିର୍ବାଚନରେ ବୟସ୍କ ଭୋଟର ଘରେ ରହି ନିଜ ମତ ଅଧିକାର ସାବ୍ୟସ୍ତ କରିଥିଲେ। ଶତାୟୁ ଭୋଟର ବ୍ରଜବନ୍ଧୁ ବିଶ୍ବାଳଙ୍କ ଭୋଟ ତାଙ୍କ ଘରୁ ଗ୍ରହଣ କରାଯାଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଏପରି ବ୍ୟବସ୍ଥା ପ୍ରଥମ ଥର କରାଯାଇଥିବା କୁହାଯାଉଛି। ପ୍ରଶାନ୍ତ କୁମାର ଜେନା ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ।

ସମ୍ବନ୍ଧିତ ଖବର