କଟକ: ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନର ସଭାପତି ଭାବେ ଆଇନଜୀବୀ ବିଜୟ କୁମାର ଦାଶ ଓ ସଂପାଦକ ଭାବେ ଆଇନଜୀବୀ ରଂଜନ କୁମାର ନାୟକ ନିର୍ବାଚିତ ହୋଇଛନ୍ତି। ସଭାପତି ପଦ ପାଇଁ ଚାରି ଜଣ ପ୍ରାର୍ଥୀ ଥିବା ବେଳେ ବାର୍‌ର ବରିଷ୍ଠ ସଦସ୍ୟ ଶ୍ରୀ ଦାଶ ସର୍ବାଧିକ ୧୪୬୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ୧୨୧୩ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ବରିଷ୍ଠ ଆଇନଜୀବୀ ସୌର୍ଯ୍ୟକାନ୍ତ ପାଢୀ ରହିଛନ୍ତି। ଉପସଭାପତି ଭାବେ କରୁଣାକର ରଥ ନିର୍ବାଚିତ ହୋଇଛନ୍ତି। ସଂପାଦକ ପଦ ପାଇଁ ରଂଜନ କୁମାର ନାୟକ ଓ ଅଭିଜିତ ପଟ୍ଟନାୟକଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ୫୮ରୁ କମ୍ ଭୋଟ ବ୍ୟବଧାନରେ ଶ୍ରୀ ନାୟକ ବିଜୟ ଲାଭ କରିଛନ୍ତି। ଯୁଗ୍ମସଂପାଦକ ଭାବେ ଅଶୋକ କୁମାର ଆପଟ, ସହସଂପାଦକ ଭାବେ ସାରଦା ପ୍ରସାଦ ତ୍ରିପାଠୀ, ପାଠାଗାର ସହସଂପାଦକ ଭାବେ ଭବାନୀଶଙ୍କର ପାଣିଗ୍ରାହୀ ନିର୍ବାଚିତ ହୋଇଛନ୍ତି। ୯ଟି କାର୍ଯ୍ୟନିର୍ବାହୀ ସଦସ୍ୟ ପଦ ପାଇଁ ଭୋଟ ଗଣତି ରବିବାର ଅନୁଷ୍ଠିତ ହେବ। ଆଜି ଅନୁଷ୍ଠିତ ହାଇକୋର୍ଟ ବାର୍ ଆସୋସିଏସନ ନିର୍ବାଚନରେ ୪ ହଜାର ୪୪୧ ଭୋଟରଙ୍କ ମଧ୍ୟରୁ ୩ ହଜାର ୧୨୮ଜଣ ମତ ଅଧିକାର ସାବ୍ୟସ୍ତ କରିଥିଲେ। ବାର୍‌ର ବରିଷ୍ଠ ସଦସ୍ୟ ପ୍ରଶାନ୍ତ କୁମାର ଜେନା ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ବ ସଂପାଦନ କରିଥିଲେ। ୱାନ ବାର୍ ୱାନ୍ ଭୋଟ୍ ନିୟମ ଲାଗୁ ହେବା ପରଠାରୁ ଆଇନଜୀବୀମାନେ ଯେ କୌଣସି ଗୋଟିଏ ବାର୍‌ରେ ଭୋଟ୍ ଦେବାର ସୁଯୋଗ ରହିଛି। ଏହି ପ୍ରକ୍ରିୟାରେ ଆଜି ରାଜ୍ୟର ପ୍ରାୟ ୧୫୩ଟି ବାର୍‌ ଆସୋସିଏସନ୍ କର୍ମକର୍ତ୍ତା ନିର୍ବାଚନ ଅନୁ‌ଷ୍ଠିତ ହୋଇଛି।