ସମ୍ବଲପୁର: ଚାରିଦଶନ୍ଧିର ଲମ୍ବା ଲଢ଼େଇ ପରେ ମହାରାଷ୍ଟ୍ରର କୋହ୍ଲାପୁରରେ ଆସନ୍ତା ୧୮ ତାରିଖରୁ ବମ୍ବେ ହାଇକୋର୍ଟର ସର୍କିଟ ବେଞ୍ଚ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ହେଲେ, ଏହାଠାରୁ ବି ପୁରୁଣା ଅର୍ଥାତ୍ ପାଞ୍ଚ ଦଶନ୍ଧି ଧରି ଦାବି ଆଉ ଆନ୍ଦୋଳନ ଚଳାଇଥିବା ପଶ୍ଚିମ ଓଡ଼ିଶାବାସୀଙ୍କ ପ୍ରତି ଏ କ୍ଷେତ୍ରରେ ଉପେକ୍ଷା କରାଯାଉଛି। ମହାରାଷ୍ଟ୍ରରେ ଡବଲ୍ ଇଂଜିନ୍ ସରକାର ନିଜ ଲୋକଙ୍କ ସ୍ବାର୍ଥ ହାସଲ ଦିଗରେ ସକ୍ଷମ ହୋଇଥିବାବେଳେ ଓଡ଼ିଶାର ଡବଲ୍ ଇଂଜିନ ସରକାର ଫେଲ୍ ମାରିଥିବା ଅଭିଯୋଗ ହେଉଛି। ଗତ ୨ ତାରିଖ ଦିନ ବମ୍ବେ ହାଇକୋର୍ଟ ମୁଖ୍ୟ ବିଚାରପତି ରାଜ୍ୟ ପୁନର୍ଗଠନ ଆଇନ ୧୯୫୬ (କ୍ରମାଙ୍କ ୩୭, ୧୯୫୬)ର ଧାରା ୫୧ର ଉପଧାରା (୩) ଏବଂ ଅନ୍ୟ ପ୍ରଦତ୍ତ କ୍ଷମତା ଅନୁଯାୟୀ ତଥା ମହାରାଷ୍ଟ୍ର ରାଜ୍ୟପାଳଙ୍କ ଅନୁମୋଦନକ୍ରମେ କୋହ୍ଲାପୁରରେ ବମ୍ବେ ହାଇକୋର୍ଟର ସର୍କିଟ ବେଞ୍ଚ ସ୍ଥାପନ ସଂପର୍କରେ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ହେବାପରେ ତାଙ୍କ ଲଗାତାର ପ୍ରୟାସକୁ ସମର୍ଥନ ପାଇଁ ଭାରତର ମୁଖ୍ୟ ବିଚାରପତି ଏବଂ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନଭିସ। ଏହି ବେଞ୍ଚ ଫଳରେ ମହାରାଷ୍ଟ୍ରର କୋହ୍ଲାପୁର, ସତାରା, ସଙ୍ଗଲି, ସୋଲାପୁର, ରତ୍ନଗିରି ଓ ସିନ୍ଧୁଦୁର୍ଗ ଜିଲ୍ଲାର ଲୋକେ ଉପକୃତ ହେବେ ବୋଲି ଶ୍ରୀ ଫଡ୍ନଭିସ କହିଛନ୍ତି। ପୂର୍ବରୁ ବମ୍ବେ ହାଇକୋର୍ଟର ସର୍କିଟ ବେଞ୍ଚ ମହାରାଷ୍ଟ୍ରର ନାଗପୁର ଓ ଔରଙ୍ଗାବାଦ ଏବଂ ଗୋଆର ପାଣାଜୀରେ ରହିଛି। କୋହ୍ଲାପୁର ବମ୍ବେ ହାଇକୋର୍ଟର ଚତୁର୍ଥ ସର୍କିଟ ବେଞ୍ଚ ହେବ।
ଅପରପକ୍ଷରେ ଗତ ୫୦ ବର୍ଷରୁ ଅଧିକ ସମୟ ହେଲା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପାଇଁ ଆନ୍ଦୋଳନ ଚଳାଇଥିବା ପଶ୍ଚିମ ଓଡ଼ିଶାବାସୀଙ୍କ ଭାବନା ସହିତ ରାଜ୍ୟ ଓ କେନ୍ଦ୍ର ସରକାର ଖେଳ ଖେଳୁଛନ୍ତି। ଗତ ନିର୍ବାଚନ ସମୟରେ ବିଜେପି ରାଜ୍ୟରେ କ୍ଷମତାକୁ ଆସିଲେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ପଶ୍ଚିମ ଓଡ଼ିଶାବାସୀ ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି ଉପରେ ଭରସା କରିଥିଲେ। ପଶ୍ଚିମ ଓଡ଼ିଶାର ଦଳର ସମସ୍ତ ସାଂସଦ ଓ ସିଂହଭାଗ ବିଧାୟକ ପ୍ରାର୍ଥୀ ବିଜୟୀ ହୋଇଥିଲେ। ହେଲେ, ଶାସନ କ୍ଷମତାକୁ ଆସିବାର ଏକ ବର୍ଷ ଭିତରେ ନୂଆ ସରକାର ବା ଦଳ ତରଫରୁ ଏଦିଗରେ କୌଣସି ବି ପଦକ୍ଷେପ ନିଆଯାଇ ନାହିଁ। ବିଜେପିର ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା କଳାହାଣ୍ଡି ସାଂସଦ ଥିବା ସମୟରେ ଲୋକସଭାରେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ତତ୍କାଳୀନ କେନ୍ଦ୍ର ଆଇନ ମନ୍ତ୍ରୀ ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ସ୍ଥାପନ ପ୍ରସଙ୍ଗ ସରକାରଙ୍କ ବିଚାରାଧୀନ ରହିଛି, ରାଜ୍ୟ ସରକାରଙ୍କ ଠାରୁ ଠୋସ୍ ପ୍ରସ୍ତାବକୁ ଅପେକ୍ଷା କରାଯାଇଥିବା କହିଥିଲେ। ହେଲେ, ଗତବର୍ଷ ୨ ସେପ୍ଟେମ୍ବରରେ କଳିକେଶ ସିଂଦେଓ ଓ ମନୋହର ରନ୍ଧାରୀଙ୍କ ହାଇକୋର୍ଟ ବେଞ୍ଚ ସ୍ଥାପନ ସଂପର୍କିତ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ବିଧାନସଭାକୁ ହୁଲସ୍ତୁଲ କରିଥିଲା। ଏଭଳି କୌଣସି ପ୍ରସ୍ତାବ ବର୍ତ୍ତମାନ ପାଇଁ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିବାବେଳେ ପରବର୍ତ୍ତୀ ସମୟରେ ଏହି ବିଷୟ ସରକାରଙ୍କ ବିଚାରାଧୀନ ଥିବା ସଫେଇ ଦିଆଯାଇଥିଲା। ଇତିମଧ୍ୟରେ ସରକାରୀ ସ୍ତରରେ କୌଣସି ପ୍ରୟାସ ହୋଇନାହିଁ। ଭାରତର ପ୍ରଧାନ ବିଚାରପତି ବିଆର୍ ଗଭାଇ କୋହ୍ଲାପୁର ସର୍କିଟ ବେଞ୍ଚ ପ୍ରତିଷ୍ଠାକୁ ସମର୍ଥନ କରିବାପରେ ରାଜ୍ୟ ସରକାରଙ୍କ ଅନାଗ୍ରହକୁ ନେଇ ପଶ୍ଚିମ ଓଡ଼ିଶାରେ ପ୍ରତିକ୍ରିୟା ପ୍ରକାଶ ପାଇଛି। କଟକରୁ ହାରାହାରି ୪୦୦ କିଲୋମିଟର ଦୂରରେ ଥିବା ପଶ୍ଚିମ ଓଡ଼ିଶାରେ କାହିଁକି ହାଇକୋର୍ଟର ବେଞ୍ଚ ପ୍ରତିଷ୍ଠା ହୋଇପାରିବ ନାହିଁ ବୋଲି ପ୍ରଶ୍ନ ଉଠିଛି।
ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଇଂ. ରୋହିତ ପୂଜାରୀ କହିଛନ୍ତି ଯେ ଏବେ ଡବଲ୍ ଇଞ୍ଜିନ୍ ସରକାରର ଯୁଗ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ କୌଣସି ରାଜନୈତିକ ଦ୍ୱନ୍ଦ୍ୱ ନଥିବା ସତ୍ତ୍ବେ ଅର୍ଧଶତାବ୍ଦୀ ପୁରୁଣା ଦାବି ପୂରଣ କରିବାରେ ବିଜେପିକୁ କିଏ ବାଧା ଦେଉଛି? ଯଦି ମହାରାଷ୍ଟ୍ରରେ ବିଜେପି ନେତୃତ୍ୱରେ କୋହ୍ଲାପୁରର ଦାବି ପୂରଣ ହୋଇପାରିବ, ତେବେ ପଶ୍ଚିମଓଡ଼ିଶା ପ୍ରତି ଉଦାସୀନତା କାହିଁକି? ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ଯୋଗୁ ପଶ୍ଚିମ ମହାରାଷ୍ଟ୍ରର କୋହ୍ଲାପୁରରେ ହୋଇକୋର୍ଟ ବେଞ୍ଚ ହୋଇପାରିଥିବା ବେଳେ ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି ସତ୍ତ୍ବେ ଓଡ଼ିଶା ସରକାର ପଶ୍ଚିମ ଓଡ଼ିଶାର ଜନସାଧାରଣଙ୍କ ଭାବାବେଗ ପ୍ରତି ଉପେକ୍ଷା କରୁଛନ୍ତି ବୋଲି ଇଂ. ପୂଜାରୀ କହିଛନ୍ତି।