ହାଇକୋର୍ଟ ବେଞ୍ଚ ପ୍ରସଂଗ: ରାଜ୍ୟ ସରକାରଙ୍କ ଜବାବ ଦାଖଲ, ଜଷ୍ଟିସ୍ ପାଲ କମିସନ୍‌ଙ୍କ ରିପୋର୍ଟ ଅନୁଧ୍ୟାନ କରାଯାଉଛି

କଟକ : ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ପ୍ରସଂଗରେ ଜଷ୍ଟିସ୍ ସି.ଆର. ପାଲ କମିସନ୍‌ଙ୍କ ରିପୋର୍ଟ ଏବେ ମଧ୍ୟ ସରକାରଙ୍କ ବିଚାରାଧୀନ ରହିଛି। ଜଷ୍ଟିସ ସି.ଆର.ପାଲ କମିସନ୍ ରିପୋର୍ଟକୁ ସରକାର ତର୍ଜମା/ଅନୁଧ୍ୟାନ କରୁଛନ୍ତି। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଂଗ ସଂପର୍କିତ ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗୃହ ବିଭାଗ ଯୁଗ୍ମ ସଚିବ ସମରେନ୍ଦ୍ର ଧଳ ହାଇକୋର୍ଟରେ ଦାଖଲ କରିଥିବା ଜବାବରେ ଏଭଳି ତଥ୍ୟ ଉଲ୍ଲେଖ କରାଯାଇଛି।

ସତ୍ୟପାଠରେ ଦର୍ଶାଯାଇଛି ଯେ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଂଗରେ ବିଭିନ୍ନ ଦିଗ ଅନୁଧ୍ୟାନ କରିବାକୁ କମିଟି ଗଠନ କରି ରାଜ୍ୟ ସରକାର ୨୦୧୯, ମାର୍ଚ୍ଚ ୧୮ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। କମିଟି ଗଠନ ପ୍ରସଂଗରେ ରାଜ୍ୟ ସରକାରଙ୍କ ଭୂମିକାକୁ ଆବେଦନକାରୀ ଭୁଲ ଅର୍ଥ କରୁଛନ୍ତି। ଏପରି କମିଟି ଗଠନ/ପୁନର୍ଗଠନ ରାଜ୍ୟ ସରକାର କରିଛନ୍ତି। କିନ୍ତୁ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଂଗରେ ରାଜ୍ୟ ସରକାରଙ୍କ ଭୂମିକା ନିର୍ଣ୍ଣୟ କର୍ତ୍ତା ନୁହେଁ। ନ୍ୟାୟପାଳିକାର କାର୍ଯ୍ୟ ପରିସର, ଅଧିକାର କେବେ ଦଖଲ କରିବାକୁ ରାଜ୍ୟ ସରକାର ଉଦ୍ୟମ କରିନାହାନ୍ତି। ଭାରତର ସମ୍ବିଧାନ ଓ ହାଇକୋର୍ଟଙ୍କ ପ୍ରତି ସରକାରଙ୍କର ବହୁତ ସମ୍ମାନ ରହିଛି। ସାମ୍ବିଧାନିକ କର୍ତ୍ତୃପକ୍ଷ, ଅନୁଷ୍ଠାନ ଓ ସଂସ୍ଥାର ଭୂମିକା ଓ ଦାୟିତ୍ବ କ୍ଷେତ୍ରକୁ କେବେ ବି ସରକାର ବଳପୂର୍ବକ ଅଧିକାର କରିବାକୁ ଉଦ୍ୟମ କରି ନାହାନ୍ତି। ଗଣତାନ୍ତ୍ରିକ ବ୍ୟବସ୍ଥା ଭିତରେ ରାଜ୍ୟ ସରକାର ସବୁ ବେଳେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଜନସାଧାରଣଙ୍କ ଆଶା ଓ ଅଭିଳାଷ ପୂରଣ ପାଇଁ ମାଧ୍ୟମ ଭାବେ ଭୂମିକା ନିର୍ବାହ କରୁଛନ୍ତି।

ଏହି ପ୍ରସଂଗରେ ସରକାର ଚାପରେ ରହିଛନ୍ତି ବୋଲି ଆବେଦନକାରୀ କରିଥିବା ଅଭିଯୋଗକୁ ସତ୍ୟପାଠରେ ଅସ୍ବୀକାର କରାଯାଇଛି। କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର କୌଣସି ପ୍ରକାର ଚାପ‌ ଅଧିନରେ ସରକାର ନାହାନ୍ତି। ଅନ୍ୟପକ୍ଷରେ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ପ୍ରଶାସନିକ ସ୍ତରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରି ସର୍ବସାଧାରଣ ସେବା ଓ କାର୍ଯ୍ୟାଳୟ ଗୁଡିକରେ ସ୍ବାଭାବିକ କାର୍ଯ୍ୟ ସଂପାଦନ ସୁନିଶ୍ଚିତ କରିଛନ୍ତି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ଆଇନ ଅନୁସାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଂଗକୁ ନେଇ କମିଟି ଗଠନ କରାଯାଇଛି। ‌ଏଭଳି ସ୍ଥିତରେ କମିଟି ଗଠନ ବିଜ୍ଞପ୍ତିକୁ ଚାଲେଞ୍ଜ କରି ଦାୟର ମାମଲା ଗ୍ରହଣୀୟ ନୁହେଁ ବୋଲି ସରକାରଙ୍କ ଜବାବରେ ଦର୍ଶାଯାଇଛି। କିନ୍ତୁ ୨୦୧୯, ମାର୍ଚ୍ଚ ୮ ଓ ୨୦୧୯, ଅଗଷ୍ଟ ୨୮ର ବିଜ୍ଞପ୍ତିରେ ପ୍ରଦାନ କରାଯାଇଥିବା ଦାୟିତ୍ବ ଆଧାରରେ କମିଟିର କଣ କାର୍ଯ୍ୟ କରିବାର ସୁଯୋଗ ରହିଛି ସେ ନେଇ ସତ୍ୟପାଠରୁ କିଛି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଂଗକୁ ନେଇ ରାଜ୍ୟ ସରକାର ଗଠନ କରିଥିବା କମିଟିର ବୈଧତାକୁ ଚାଲେଞ୍ଜ କରି ଆଇନୀଜୀବୀ ଶିବଶଙ୍କର ମହାନ୍ତିଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାରେ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ୨୦୨୧ ମାର୍ଚ୍ଚ ୩୦ରେ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୨୦୧୯ ମାର୍ଚ୍ଚ ୮ ଓ ୨୦୧୯ ଅଗଷ୍ଟ ୨୮ର ବିଜ୍ଞପ୍ତିରେ ପ୍ରଦାନ କରାଯାଇଥିବା ଦାୟିତ୍ବ ଆଧାରରେ କମିଟିର କଣ କାର୍ଯ୍ୟ କରିବାର ସୁଯୋଗ ରହିଛି ସେ ନେଇ ସତ୍ୟପାଠରେ ସ୍ପଷ୍ଟ କରିବାକୁ ହାଇକୋର୍ଟ କହିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୭କୁ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର