ବେଞ୍ଚ ପ୍ରସଂଗ: ୪ ବର୍ଷ ପରେ ବି ରିପୋର୍ଟ ଦାଖଲ କଲେନି ହାଇକୋର୍ଟ

ପୁଣି ୩ ଦିନ ପାଇଁ ଅଫିସ, ଅଦାଲତ ବନ୍ଦ

ସମ୍ବଲପୁର : ୩ ମାସ ମଧ୍ୟରେ ହାଇକୋର୍ଟ ବେଞ୍ଚ ସଂକ୍ରାନ୍ତରେ ରିପୋର୍ଟ ପ୍ରଦାନ ପାଇଁ କହି ୪ ବର୍ଷ ପରେ ମଧ୍ୟ ରିପୋର୍ଟ ଦାଖଲ କରିପାରିଲେ ନାହିଁ ହାଇକୋର୍ଟ ମୁଖ୍ୟ ବିଚାରପତି। ହାଇକୋର୍ଟ ବାର ଆସୋସିଏସନର ଚାପ ଏଥିରେ ବାଧକ ହୋଇଛି। ଏଭଳି ସ୍ଥିତିରେ ହାଇକୋର୍ଟ ବେଞ୍ଚ ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ଛଡ଼ା ବିକଳ୍ପ ପଦକ୍ଷେପ କଣ ବୋଲି ପ୍ରଶ୍ନ କରିଛି ସିଏସି। ସିଏସି ସମ୍ପାଦକ କହିଛନ୍ତି, ବର୍ଷେରୁ ଊର୍ଧ୍ବ ସମୟ ହେଲା, ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଦାଲତ ବନ୍ଦ ରହିଛି। କିଛି ମାସ ହେଲା ସମ୍ବଲପୁର ଅଦାଲତ କାର୍ଯ୍ୟ କେବଳ ଜାମିନ ମଞ୍ଜୁର ମଧ୍ୟରେ ସୀମିତ ରହିଛି। ଏଥିରେ ଆଇନଜୀବୀଙ୍କ ଜୀବିକା ସର୍ବାଧିକ ପ୍ରଭାବିତ ହୋଇଛି। ଏହି ଆନ୍ଦୋଳନ କେବଳ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିରୋଧରେ ନୁହେଁ। ବରଂ ବିଚାର ବିଭାଗ ବିରୋଧରେ ମଧ୍ୟ ଅଟେ। ହାଇକୋର୍ଟ ବେଞ୍ଚ ଭଳି ଜନସାଧାରଣଙ୍କ ଦାବି ପୂରଣ ସଂକ୍ରାନ୍ତରେ କାର୍ଯ୍ୟବନ୍ଦ ହିଁ ସେମାନଙ୍କ ଏକମାତ୍ର ବିକଳ୍ପ ରହିଯାଇଛି।

କାର୍ଯ୍ୟରେ ଯୋଗଦେବା ନେଇ ବାର କାଉନସିଲ ଅଫ ଇଣ୍ଡିଆର ନିର୍ଦେଶ ପରେ ମଧ୍ୟ ଆଜିବି ସମ୍ବଲପୁରରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛି ସିଏସି। ପୂର୍ବ ଘୋଷଣା ଅନୁସାରେ, ଅଦାଲତ ସମେତ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ବନ୍ଦ କରି ଦେଇଛନ୍ତି ଆନ୍ଦୋଳନକାରୀ। ଏଥିଯୋଗୁଁ ବ୍ୟାଙ୍କ, ଡାକଘର, ଆରଡିସି, ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲ ସମେତ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିଥିଲା। ଆଗାମୀ ୨ ଦିନ ମଧ୍ୟ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ। ସୂଚନା ଅନୁଯାୟୀ, ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପାଇଁ ୨୦୧୩ ମସିହାରେ ସୁପାରିସ କରିଥିଲେ ମୁଖ୍ୟମନ୍ତ୍ରୀ। ୨୦୧୫ ମସିହାରେ ତତକାଳୀନ କେନ୍ଦ୍ର ଆଇନ ମନ୍ତ୍ରୀ ସଦାନନ୍ଦ ଗୌଡ଼ ଏ ନେଇ ହାଇକୋର୍ଟକୁ ରିପୋର୍ଟ ପ୍ରଦାନ ପାଇଁ କହିଥିଲେ। ୩ ମାସ ମଧ୍ୟରେ ରିପୋର୍ଟ ଦିଆଯିବ ବୋଲି ହାଇକୋର୍ଟ ବିଚାରପତିଙ୍କ ପକ୍ଷରୁ ତତକାଳୀନ କେନ୍ଦ୍ର ଆଇନମନ୍ତ୍ରୀଙ୍କୁ କୁହାଯାଇ ଥିଲା। ୪ ବର୍ଷ ପରେ ମଧ୍ୟ ଏହି ରିପୋର୍ଟ ଦିଆଯାଇ ପାରିଲା ନାହିଁ। ଏପରିକି ଗତବର୍ଷ ଅକ୍ଟୋବର ୩୦ ତାରିଖରେ ୭୨ ଘଣ୍ଟା ମଧ୍ୟରେ ହାଇକୋର୍ଟ ପକ୍ଷରୁ ହାଇକୋର୍ଟ ବେଞ୍ଚ ସଂକ୍ରାନ୍ତରେ ରିପୋର୍ଟ ପ୍ରଦାନ ପାଇଁ ସମ୍ବଲପୁର ଆଇନଜୀବୀ ସଂଘ ପକ୍ଷରୁ କୁହାଯାଇଛି। ଏହା ପରେ ମଧ୍ୟ ହାଇକୋର୍ଟ କୌଣସି ରିପୋର୍ଟ ଦେଇନଥିବା ସଂଘ କହିଛି।

ସମ୍ବନ୍ଧିତ ଖବର