ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଂଗରେ ସାଂସଦ ମାନଙ୍କ ବଳିଷ୍ଠ ଯୁକ୍ତିର ସକରାତ୍ମକ ଉତ୍ତର ରଖିଛନ୍ତି ଆଇନ୍‌ ଓ ନ୍ୟାୟ ମନ୍ତ୍ରୀ କିରଣ ରିଜ୍‌ଜୁ। ଗୁରୁବାର ଲୋକସଭାରେ ଉତ୍ତର ରଖି ମନ୍ତ୍ରୀ ଶ୍ରୀ ରିଜ୍‌ଜୁ କହିଲେ, ହାଇକୋର୍ଟ ବେଞ୍ଚ ପ୍ରସଂଗକୁ ମାନ୍ୟବର ସଦସ୍ୟ ମାନେ ଗୃହରେ ଗୁରୁତ୍ବର ସହ ଉପସ୍ଥାପନ କରିଛନ୍ତି। ଓଡ଼ିଶା କ୍ଷେତ୍ରରେ ମାନ୍ୟବର ଅଧ୍ୟକ୍ଷଙ୍କଠାରୁ ଆରମ୍ଭ କରି ଦଳମତ ନିର୍ବିଶେଷରେ ରାଜ୍ୟର ସମସ୍ତ ସାଂସଦ ଏକ ସ୍ବରରେ ହାଇକୋର୍ଟ ବେଞ୍ଚ ସ୍ଥାପନର ଦୃଢ଼ ସମର୍ଥନ କରିଛନ୍ତି। ମୁଁ ଏହାକୁ ନୋଟ୍‌ କରି ରଖିଛି ଓ ଆଗକୁ ବ୍ୟକ୍ତିଗତ ଭାବେ ଦୃଷ୍ଟି ଦେବି। ଏହା ନୁହେଁ ଯେ ନୋଟ୍‌ କରି ଭୁଲିଯିବି, ମୁଁ ନିଶ୍ଚୟ ଏହି ବିଷୟର ଯାଞ୍ଚ କରିବି ବୋଲି ରିଜ୍‌ଜୁ ପ୍ରତିଶ୍ରୁତି ଦେଇଥିଲେ।

Advertisment

ଏହା ପୂର୍ବରୁ ବରଗଡ଼ ସାଂସଦ ସୁରେଶ ପୂଜାରୀ ଲୋକସଭାରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ। ସେହି ସମୟରେ ଗୃହରେ ଅଧ୍ୟକ୍ଷତା କରୁଥିବା କଟକ ସାଂସଦ ଭର୍ତ୍ତୃହରି ମହତାବ ଏହି ପ୍ରସଂଗକୁ ଅଧିକ ବୁଝାଇ କହିଥିଲେ ଯେ ଏହା ଅପୂରଣୀୟ ହୋଇ ରହିଥିବା ଦୀର୍ଘ ଦିନର ଏକ ଏଭଳି ‌ଦାବି ଯେଉଁ ଥିରେ ରାଜ୍ୟର ସବୁ ଦଳ ଏକମତ, ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବି ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି, କିନ୍ତୁ ତାହା ପୂରଣ ହୋଇ ପାରୁ ନାହିଁ। ପୁରୀ ସାଂସଦ ତଥା ଲୋକସଭାରେ ବିଜୁ ଜନତା ଦଳର ନେତା ପିନାକୀ ମିଶ୍ର ଏହାପରେ ସଦନରେ ଛିଡ଼ା ହୋଇ ରାଜ୍ୟ ସରକାର ହାଇକୋର୍ଟ ବେଞ୍ଚ ପାଇଁ ଆବଶ୍ୟକ ସବୁ ପ୍ରକାର ଭିତ୍ତିଭୂମି ଓ ଅର୍ଥ ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଶ୍ରୀ ପୂଜାରୀ ଏଥି ପାଇଁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ।

ସଂଦରେ ଉଭୟ ଉପକୂଳ ଓ ପଶ୍ଚିମ ଓଡ଼ିଶାର ବିଜେଡି ଓ ବିଜେପି ସାଂସଦ ଏକମତ ହୋଇ କରିଥିବା ସ୍ବର ଉତ୍ତୋଳନ ଆଇନ୍‌ମନ୍ତ୍ରୀଙ୍କୁ ପ୍ରଭାବିତ କରି ପାରିଥିବା ରିଜ୍‌ଜୁଙ୍କ ଉତ୍ତରରୁ ସ୍ପଷ୍ଟ ହୋଇଛି। ରାଜ୍ୟସଭାରେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ହାଇକୋର୍ଟ ବେଞ୍ଚ ପ୍ରସଂଗରେ ପ୍ରାଇଭେଟ୍ ମେମ୍ବର ବିଲ୍ ଆଗତ କରିଛନ୍ତି।