ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରସଙ୍ଗ ନାଲିଫିତା ତଳେ ଚାପି ହୋଇଯାଇଛି। ରାଜ୍ୟ ସରକାର ‘ବିଚାରାଧୀନ’ ଥିବା କହି ନିରବତା ଅବଳମ୍ବନ କରୁଥିବା ବେଳେ ବିରୋଧୀ ଦଳ ନେତାମାନଙ୍କ ସ୍ବର ମଧ୍ୟ ଏହି ପ୍ରସଙ୍ଗରେ ନିରବି ଯାଇଛି। ପଶ୍ଚିମ ଓଡ଼ିଶାବାସୀ କିନ୍ତୁ ନ୍ୟାୟ ପାଇଁ ଏବେ ମଧ୍ୟ ହଇରାଣ ହରକତ ହେଉଛନ୍ତି। ରାଜ୍ୟରେ ଦୀର୍ଘ ୨୪ ବର୍ଷ ଧରି ଶାସନ କଲା ପରେ ବି ପଶ୍ଚିମଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ବିଜେଡି ସରକାର କିଛି ‌ଠୋସ୍‌ ପଦକ୍ଷେପ ନେଇ ନ ଥିଲା। ପ୍ରଥମେ ପାଲ୍ କମିସନ୍ ଓ ପରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଦେଇ ସମୟ ଗଡ଼େଇ ଚାଲିଥିଲା। ଉଚ୍ଚସ୍ତରୀୟ କମିଟି ବୈଠକ ଥରେ ମଧ୍ୟ ବସିଲା ନାହିଁ କି ରି ପୋର୍ଟ ଦେଲା ନାହିଁ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଦୁଇ ଥର କେନ୍ଦ୍ର ସରକାରଙ୍କୁ ଏହି ପ୍ରସଙ୍ଗରେ ଚିଠି ଲେଖିଥିଲେ। କିନ୍ତୁ, ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଦେବା ପାଇଁ କେନ୍ଦ୍ର ସରକାର ବାରମ୍ବାର ଚିଠି ଦେବା ପରେ ବି ଏଡ଼ାଇ ଚାଲିଥିଲେ।
Advertisment
ପାଞ୍ଚ ଦଶନ୍ଧି ପରେ ଯେତେବେଳେ ଏହି ଐତିହାସିକ ଆନ୍ଦୋଳନ ଚରମ ସୀମାରେ ପହଞ୍ଚିଥିଲା, ସେତେବେଳେ ୨୦୨୨ ଡିସେମ୍ବର ୧୨ ତାରିଖରେ ଷଡ୍‌ଯନ୍ତ୍ର କରି ଏହି ଆନ୍ଦୋଳନକୁ ଭଣ୍ଡୁର କରିବାର ଅପଚେଷ୍ଟା କରାଯାଇଥିଲା। ଏପଟେ ବିଜେଡି ସରକାରରେ ଥିବାବେଳେ ବିଜେପି ବାରମ୍ବାର ସରକାରଙ୍କ ଅପାରଗତା ଯୋଗୁଁ ହାଇକୋର୍ଟ ବେଞ୍ଚ ସ୍ଥାପନ ହୋଇପାରୁ ନାହିଁ ବୋଲି ଅଭିଯୋଗ କରିଆସୁଥିଲା। ଗତ ନିର୍ବାଚନ ସମୟରେ ବିଜେପି ରାଜ୍ୟରେ କ୍ଷମତାକୁ ଆସିଲେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦିଗରେ ପଦକ୍ଷେପ ନିଆଯିବ ବୋଲି କୁହାଯାଇଥିଲା। ୨୦୨୦ ମସିହାରେ ତତ୍କାଳୀନ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପଶ୍ଚିମଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ଏକ ପ୍ରାଇଭେଟ୍‌ ବିଲ୍‌ ଆଣିଥିଲେ। ପରବର୍ତ୍ତୀ ସମୟରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଆଇନ ମନ୍ତ୍ରୀ ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ସ୍ଥାପନ ପ୍ରସଙ୍ଗ ସରକାରଙ୍କ ବିଚାରାଧୀନ ରହିଛି, ରାଜ୍ୟ ସରକାରଙ୍କଠାରୁ ଠୋସ୍ ପ୍ରସ୍ତାବକୁ ଅପେକ୍ଷା କରାଯାଇଥିବା କହିଥିଲେ। କେନ୍ଦ୍ର ସରକାର ଏ ଦିଗରେ ଏକ ଆଇନ ଆଣିଲେ ହାଇକୋର୍ଟ ବେଞ୍ଚ ହୋଇପାରିବ। ଉଭୟ କେନ୍ଦ୍ର ଓ ରାଜ୍ୟରେ ଏବେ ବିଜେପି ସରକାର ରହିଛି। ତେଣୁ ରାଜ୍ୟ ସରକାର ଶୀଘ୍ର ହାଇକୋର୍ଟ ବେଞ୍ଚ ସ୍ଥାପନ ସଂପର୍କରେ ପ୍ରସ୍ତାବ ଦେବା ସହ  କେନ୍ଦ୍ର ସରକାର ଆଇନ ଆଣିଲେ ପଶ୍ଚିମ ଓଡ଼ିଶାବାସୀଙ୍କୁ ଦ୍ବାରଦେଶରେ ନ୍ୟାୟ ମିଳିପାରିବ ବୋଲି ଅଞ୍ଚଳର ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।
ଗତବର୍ଷ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ସଂପର୍କିତ ଏକ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ବିଧାନସଭାକୁ ହୁଲସ୍ତୁଲ କରିଥିଲା। ପଶ୍ଚିମ ଓଡ଼ିଶାରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ଏହି ବିଷୟ ସରକାରଙ୍କ ବିଚାରାଧୀନ ଥିବା କୁହାଯାଇଥିଲା। ଇତିମଧ୍ୟରେ ସରକାରୀ ସ୍ତରରେ କୌଣସି ପ୍ରୟାସ ହୋଇନାହିଁ। ଅପରପକ୍ଷରେ ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ଏହାକୁ ବଡ଼ ପ୍ରସଙ୍ଗ କରିନଥିବା‌ବେଳେ ସାମାଜିକ ସଙ୍ଗଠନଗୁଡ଼ିକ ମଧ୍ୟ ଆଶ୍ଚର୍ଯ୍ୟଜନକ ନିରବତା ଅବଲମ୍ବନ କରିଛନ୍ତି।