ହାଇକୋର୍ଟ ବେଞ୍ଚ ପ୍ରସଂଗ : ସରକାରଙ୍କ କମିଟି ଗଠନ ବିଜ୍ଞପ୍ତିର ବୈଧତାକୁ ଚାଲେଞ୍ଜ, ହାଇକୋର୍ଟଙ୍କ ନୋଟିସ୍

କଟକ : ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଂଗକୁ ନେଇ ରାଜ୍ୟ ସରକାର ଗଠନ କରିଥିବା କମିଟିର ବୈଧତାକୁ ଚାଲେଞ୍ଜ କରି ଦାୟର ଜନସ୍ବାର୍ଥ ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ.ଜାଭେରୀ ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ପକ୍ଷରୁ ଦାୟର ଏ ସଂପର୍କିତ ମାମଲାର ଶୁଣାଣି କରି ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି। ଏପରି କମିଟି ଗଠନ ନେଇ ୨୦୧୯, ମାର୍ଚ୍ଚ ୮ରେ ସରକାରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଓ ୨୦୧୯, ଅଗଷ୍ଟ ୨୮ରେ କମିଟି ପୁନର୍ଗଠନ ନେଇ ଜାରି ବିଜ୍ଞପ୍ତିକୁ ରଦ୍ଦ କରିବା ପାଇଁ ଏହି ଜନସ୍ବାର୍ଥ ମାମଲା ଦାୟର କରାଯାଇଛି। ମାମଲାରେ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ, ସ୍ବତନ୍ତ୍ର ସଚିବ ଓ ଓଡ଼ିଶା ହାଇକୋର୍ଟଙ୍କୁ ପକ୍ଷଭୁକ୍ତ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଂଗରେ ବିଭିନ୍ନ ଦିଗ ଅନୁଧ୍ୟାନ ପାଇଁ ସରକାର ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚ ଜଣିଆ କମିଟି ଗଠନ କରିଥିଲେ। ଏ ନେଇ ଗୃହ ବିଭାଗ ପକ୍ଷରୁ ୨୦୧୯, ମାର୍ଚ୍ଚ ୮ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି କମିଟି ପୁନର୍ଗଠନ କରି ସରକାର ୨୦୧୯, ଅଗଷ୍ଟ ୨୮ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଉନ୍ନୟନ କମିସନରଙ୍କୁ କମିଟିର ଅଧ୍ୟକ୍ଷ ରଖାଯାଇଥିବାବେଳେ ଗୃହ ବିଭାଗ ଅତିରିକ୍ତ ସଚିବଙ୍କୁ ସଦସ୍ୟ ଆବାହକ ରଖାଯାଇଥିଲା। ଏଥିସହିତ ଗୃହ ସଚିବ, ଅର୍ଥ ସଚିବ, ରାଜସ୍ବ ସଚିବ ଓ ଆଇନ ସଚିବଙ୍କୁ ଏଥିରେ ସଦସ୍ୟ ଭାବେ ରଖାଯାଇଥିଲା। ଏପରି କମିଟିର ବୈଧତାକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ଆବେଦନରେ ଦର୍ଶାଯାଇଛି ଯେ, ହାଇକୋର୍ଟ ବେଞ୍ଚ ପ୍ରସଂଗରେ କମିଟି ଗଠନ କରିବାର କ୍ଷମତା ରାଜ୍ୟ ସରକାରଙ୍କ ନାହିଁ। ଓଡ଼ିଶା ହାଇକୋର୍ଟ ଅର୍ଡର, ୧୯୪୮ର ଧାରା ୧୦ ଅନୁସାରେ ଏହି ପ୍ରସଂଗରେ ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନେଇ ପାରିବେ ନାହିଁ। ସେହିଭଳି ଭାବେ ବି.ଏସ.ତ୍ରିପାଠୀ ବନାମ ରାଜ୍ୟ ସରକାର ମାମଲାରେ ୧୯୯୧, ନଭେମ୍ବର ୧୩ରେ ହାଇକୋର୍ଟ ପ୍ରଦାନ କରିଥିବା ରାୟରେ ସ୍ପଷ୍ଟ କରାଯାଇଥିଲା ଯେ ହାଇକୋର୍ଟ ବେଞ୍ଚ ପ୍ରସଂଗରେ ରାଜ୍ୟ ବିଧାନସଭାର କୌଣସି ଆଇନ ପ୍ରଣୟନ କରିବାର କ୍ଷମତା ନାହିଁ। ଏଥିସହିତ ପୂର୍ବରୁ ମଧ୍ୟ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସଂପର୍କିତ ସରକାରଙ୍କ ପ୍ରସ୍ତାବକୁ ହାଇକୋର୍ଟ ପୂର୍ଣ୍ଣକାଳୀନ ଖଣ୍ଡପୀଠ ଅଗ୍ରାହ୍ୟ କରିଥିଲା। ସେତେବେଳେ ଜଷ୍ଟିସ ଏ.କେ.ଗାଙ୍ଗୁଲି ମୁଖ୍ୟ ବିଚାରପତି ଥିଲେ। ଆବେଦନକାରୀ ଦର୍ଶାଇଛନ୍ତି ଯେ, ୨୦୦୮, ମାର୍ଚ୍ଚ ୧୧ରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଂଗକୁ ନେଇ ସରକାର ଜଷ୍ଟିସ ସି.ଆର.ପାଲ କମିସନ ବସାଇଥିଲେ। ୨୦୧୪, ମେ ୩୧ରେ କମିସନ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ଏହି କମିସନ ପାଇଁ ସରକାରଙ୍କ ତହବିଲରୁ ୧ କୋଟି ୫୨ ଲକ୍ଷ ୪୮ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା। କିନ୍ତୁ ଜଷ୍ଟିସ ସି.ଆର.ପାଲ କମିସନଙ୍କ ରିପୋର୍ଟ ଉପରେ ପଦକ୍ଷେପ ଗ୍ରହଣ ନ କରି ସରକାର ୨୦୧୯ରେ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରିବା ଗ୍ରହଣୀୟ ନୁହେଁ। ଏପରି କମିଟି ସଂପର୍କିତ ବିଜ୍ଞପ୍ତି ଆଇନ ଅନୁସାରେ ଗ୍ରହଣୀୟ ହୋଇ ନଥିବା ବେଳେ ଏହାକୁ ରଦ୍ଦ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର