ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ପ୍ରସଙ୍ଗ : କେବେ ସାର୍ବଜନୀନ ହେବ ପାଲ କମିସନଙ୍କ ରିପୋର୍ଟ ?

ରାଜ୍ୟ ସରକାରଙ୍କଠାରୁ ଜବାବ ତଲବ

କଟକ : ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ଜଷ୍ଟିସ ସି.ଆର ପାଲ କମିସନ ପ୍ରଦାନ କରିଥିବା ରିପୋର୍ଟ ବିଧାନସଭାରେ ଉପସ୍ଥାପନ ପ୍ରସଂଗ ସଂପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ପକ୍ଷରୁ ଦାୟର ଏ ସଂପର୍କିତ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିବା ସହି ପରବର୍ତ୍ତୀ ଶୁଣାଣି ପୂର୍ବରୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫେବ୍ରୁଆରି ୩ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ, ଓଡ଼ିଶା ହାଇକୋର୍ଟର ବେଞ୍ଚ ସ୍ଥାପନକୁ ନେଇ ବିଭିନ୍ନ ଜିଲ୍ଲାରେ ଆନ୍ଦୋଳନ ହେବା ପରେ ରାଜ୍ୟ ସରକାର ଜଷ୍ଟିସ ସି.ଆର ପାଲଙ୍କ ଅଧ୍ୟକ୍ଷତାରେ ୨୦୦୮ ମାର୍ଚ୍ଚ ୧୧ରେ ଜଣିକିଆ ବିଚାରବିଭାଗୀୟ ତଦନ୍ତ କମିସନ ଗଠନ କରିଥିଲେ। ୨୦୧୪ ମାର୍ଚ୍ଚ ୩୧ରେ ରାଜ୍ୟ ସରକାରଙ୍କୁ କମିସନ ଚୂଡାନ୍ତ ରିପୋର୍ଟ ପ୍ରଦାନ କରିଥିଲେ। ଏହି କମିସନ ପାଇଁ ସରକାରଙ୍କ ତହବିଲରୁ ୧ କୋଟି ୫୨ ଲକ୍ଷ ୫୮ ହଜାର ୭୨୨ ଟଙ୍କା ଖର୍ଚ୍ଚ ହୋଇଥିଲା। ତେବେ, ଏହି ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରିବା ସହିତ ସାର୍ବଜନୀନ କରିବା ପାଇଁ ସରକାର କିଛି ପଦକ୍ଷେପ ନେଇ ନଥିଲେ। କମିସନ ଅଫ୍ ଇନକ୍ବାରି ଆଇନ, ୧୯୫୨ ଅନୁସାରେ ତଦନ୍ତ ରିପୋର୍ଟ ଦାଖଲର ୬ ମାସ ଭିତରେ ଏହାକୁ ବିଧାନସଭାରେ ଉପସ୍ଥାପନ କରାଯିବା କଥା। କିନ୍ତୁ ଏପରି ନ କରି ସରକାର ଏହି ରିପୋର୍ଟକୁ ୫ ବର୍ଷରୁ ଅଧିକ ସମୟ ହେବ ଧରି ବସି ରହିଛନ୍ତି। ଅନ୍ୟପକ୍ଷରେ ପଶ୍ଚିମ ଓଡ଼ିଶା ସହିତ ଗଞ୍ଜାମ, କୋରାପୁର, ରାୟଗଡା ଓ ଅନ୍ୟ ସ୍ଥାନଗୁଡିକରେ ହାଇକୋର୍ଟ ବେଞ୍ଚ ଦାବି ନେଇ ଆନ୍ଦୋଳନ ଗୁରୁତର ରୂପ ଧାରଣ କରିଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ଗୋଟିଏ ପଟେ ସରକାର ବିଚାରବିଭାଗୀୟ ତଦନ୍ତ କମିସନ୍ ବସାଇ ଏହାର ରିପୋର୍ଟକୁ ଧରି ବସି ରହିଥିବା ବେଳେ ଅନ୍ୟପଟେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ବିଭିନ୍ନ ଦିଗ ଅନୁଧ୍ୟାନ ପାଇଁ ସରକାର ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚଜଣିଆ କମିଟି ଗଠନ କରିଥିଲେ। ଏ ନେଇ ଗୃହ ବିଭାଗ ପକ୍ଷରୁ ୨୦୧୯ ମାର୍ଚ୍ଚ ୮ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି କମିଟି ପୁନର୍ଗଠନ କରି ସରକାର ୨୦୧୯ ଅଗଷ୍ଟ ୨୮ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଉନ୍ନୟନ କମିସନରଙ୍କୁ କମିଟିର ଅଧ୍ୟକ୍ଷ ରଖାଯାଇଥିବା ବେଳେ ଗୃହ ବିଭାଗ ଅତିରିକ୍ତ ସଚିବଙ୍କୁ ସଦସ୍ୟ ଆବାହକ ରଖାଯାଇଥିଲା। ଏଥିସହିତ ଗୃହ ସଚିବ, ଅର୍ଥ ସଚିବ, ରାଜସ୍ବ ସଚିବ ଓ ଆଇନ ସଚିବଙ୍କୁ ଏଥିରେ ସଦସ୍ୟ ଭାବେ ରଖାଯାଇଥିଲା। ବିଚାରବିଭାଗୀୟ ତଦନ୍ତ କମିସନ ରିପୋର୍ଟ ପଡି ରହିଥିବା ବେଳେ ଏପରି କମିଟି ଗ୍ରହଣୀୟ ନୁହେଁ। ଏପରି ପରିସ୍ଥିତିରେ ତୁରନ୍ତ ଜ‌ଷ୍ଟିସ ସି.ଆର.ପାଲ କମିସନ୍ ରିପୋର୍ଟ ବିଧାନସଭାରେ ଉପସ୍ଥାପନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ଓ ଆଇନ ବିଭାଗକୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର