ଚିଠି ଦିଆନିଆରେ ସୀମିତ ହାଇକୋର୍ଟ ବେଞ୍ଚ

୫୦ ବର୍ଷ ହେଲା ଦାବି ହୋଇଆସୁଛି
ସଂସଦରେ ଉଠିଲା ପ୍ରସଙ୍ଗ
ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିନଥିବା କହିଲେ କେନ୍ଦ୍ର ଆଇନ ମନ୍ତ୍ରୀ

ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ହେଲା ଦାବି ‌ହୋଇଆସୁଛି। ମାତ୍ର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ପଶ୍ଚିମ ଓଡ଼ିଶାବାସୀଙ୍କ ସ୍ବପ୍ନ ସାକାର ହେବାରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଉଭୟ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ କେବଳ ଚିଠି ଦିଆନିଆରେ ଏହା ସୀମିତ ରହିଛି। ଗତ ୨୦୧୩ ମସିହାରୁ ଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ମଧ୍ୟରେ ୮ ଥର ଚିଠି ଦିଆନିଆ ହୋଇଛି। କେବଳ ସେତିକି ନୁହେଁ, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ବି ଉଭୟ କେନ୍ଦ୍ର ଓ ରାଜ୍ୟ ପକ୍ଷରୁ ସର୍ବମୋଟ ୪ ଥର ଚିଠି ଲେଖାଯାଇଥିବା ଜଣାପଡ଼ିଛି।

ଆଜି ବରଗଡ଼ ସାଂସଦ ସୁରେଶ ପୂଜାରୀ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସ୍ତାବ ସଂକ୍ରାନ୍ତରେ କେନ୍ଦ୍ର ଆଇନମନ୍ତ୍ରୀ କିରେନ ରିଜିଜୁଙ୍କୁ ପ୍ରଶ୍ନ କରିଥିଲେ। ସାଂସଦ ଶ୍ରୀ ପୂଜାରୀଙ୍କ ଉତ୍ତରରେ କେନ୍ଦ୍ର ଆଇନ ମନ୍ତ୍ରୀ କହିଛନ୍ତି, ଓଡ଼ିଶା ସରକାର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ନିମନ୍ତେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥି‌ଲେ। କେନ୍ଦ୍ର ସରକାର ଓଡ଼ିଶା ହାଇକୋର୍ଟଙ୍କ ପରାମର୍ଶ ନେବାସହିତ କେଉଁ ସ୍ଥାନରେ ଏହା ସ୍ଥାପନ କରାଯିବ, ସେ ସଂକ୍ରାନ୍ତରେ ଏକ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଦେବାକୁ ଅନୁରୋଧ କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କଠାରୁ ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିନାହିଁ ବୋଲି ମନ୍ତ୍ରୀ ଶ୍ରୀ ରିଜିଜୁ ଉତ୍ତର ଦେଇଛନ୍ତି।

ନ୍ୟାୟ ପାଇଁ ହାଇକୋର୍ଟରେ ମାମଲା ଲଢ଼ିବା ନିମନ୍ତେ ପଶ୍ଚିମ ଓଡ଼ିଶାର ଲୋକଙ୍କୁ ବେଶ୍ ହଇରାଣ ହେବାକୁ ପଡ଼ୁଛି। ମାମଲା ଲଢ଼ିବା ପାଇଁ କଟକ ‌ଦୌଡ଼ିବାକୁ ପଡ଼ୁଥିବାରୁ ଉଭୟ ସମୟ ଓ ଅର୍ଥ ବରବାଦ ହେଉଛି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଆନ୍ଦୋଳନରେ ସମାଜର ସବୁବର୍ଗର ଲୋକେ ସାମିଲ ହୋଇଛନ୍ତି। ଆନ୍ଦୋଳନକୁ ଦୃଷ୍ଟିରେ ରଖି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବପ୍ରଥମେ ୨୦୦୭ ମସିହାରେ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ପାଖକୁ ଚିଠି ଲେଖିଥିଲେ। ପୁନର୍ବାର ସମଗ୍ର ପଶ୍ଚିମ ଓଡ଼ିଶାରେ ଆନ୍ଦୋଳନ ତୀବ୍ର ହେବାରୁ ୨୮ ସେପ୍‌ଟେମ୍ବର ୨୦୧୩ରେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଏ ସଂକ୍ରାନ୍ତରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ଚିଠି ଲେଖିଥିଲେ। ୧୫ ଅକ୍ଟୋବର ୨୦୧୩ରେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କଠାରୁ ମୁଖ୍ୟମନ୍ତ୍ରୀ ପାଖକୁ ଚିଠି ଆସିଥିଲା। ଇତିମଧ୍ୟରେ ୨୦୧୩ରୁ ୨୦୧୯ ମଧ୍ୟରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ମଧ୍ୟରେ ସର୍ବମୋଟ ୮ ଥର ଚିଠି ଦିଆନିଆହୋଇଛି। କେନ୍ଦ୍ର ଆଇନ ମନ୍ତ୍ରୀ ଭିତ୍ତିଭୂମି, ସ୍ଥାନ ଆଦି ସହିତ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଦେବାକୁ କହୁଥବା ବେଳେ ମୁଖ୍ୟମନ୍ତ୍ରୀ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ କେନ୍ଦ୍ର ସରକାର ଅନୁମତି ଦେଲେ ରାଜ୍ୟ ସରକାର ଆବଶ୍ୟକ ସବୁ ବ୍ୟବସ୍ଥା କରିବେ ବୋଲି କହୁଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ ମଧ୍ୟ ଏଥି ପାଇଁ ଓଡ଼ିଶାର ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ୩ ଥର ଚିଠି ଲେଖିଛନ୍ତି।

୨୦୧୯ ମସିହାରେ ନିର୍ବାଚନକୁ ଦୃଷ୍ଟି‌ରେ ରଖି ଏହି ପ୍ରସଂଗକୁ ବେଶ୍ ତତ୍ପରତା ଦେଖାଇଥିଲେ। ଗତ ୨୮ ଅଗଷ୍ଟ ୨୦୧୯ରେ ରାଜ୍ୟ ଗୃହ ବିଭାଗ ଏ ନେଇ ବିଜ୍ଞପ୍ତି ଜାରି କରିଥିଲେ। ଏଥି ପାଇଁ ନିକଟରେ ଗଠିତ ହୋଇଥିବା ୬ ସଦସ୍ୟ ବିଶିଷ୍ଟ ଉଚ୍ଚକ୍ଷମତା ସଂପନ୍ନ କମିଟିରେ ସାମାନ୍ୟ ସଂଶୋଧନ କରିଛନ୍ତି। ଉନ୍ନୟନ କମିସନରଙ୍କୁ କମିଟିର ମୁଖ୍ୟ କରାଯାଇଥିବା ବେଳେ ହାଇକୋର୍ଟ ଦାୟିତ୍ବରେ ଥିବା ଗୃହ ବିଭାଗର ସ୍ବତନ୍ତ୍ର ସଚିବଙ୍କୁ ଏହି କମିଟିର ଆବାହକ ରଖାଯାଇଛି । ଗୃହ, ଅର୍ଥ, ରାଜସ୍ବ ଓ ଆଇନ ବିଭାଗର ସଚିବ ଏହି କମିଟିରେ ସଦସ୍ୟ ରହିଛନ୍ତି। ହେଲେ ରାଜ୍ୟ ସରକାରଙ୍କ ଏହି କମିଟି ଗଠନକୁ ନେଇ କଟକର ଜଣେ ଆଇନଜୀବୀ ହାଇକୋର୍ଟରେ ରିଟ୍ କରି ଚା‌ଲେଞ୍ଜ୍‌ କରିଛନ୍ତି। ଏହି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର