ସମ୍ବଲପୁର : ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ସଂକ୍ରାନ୍ତରେ କେନ୍ଦ୍ରକୁ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପଠାଇବା ପାଇଁ ରାଜ୍ୟ ସରକାରଙ୍କୁ ୩୦ ଜୁନ୍ ପର୍ଯ୍ୟନ୍ତ ମହଲତ ଦେଇଥିଲା ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି। ଏହି ଅବଧି ପୂରିଛି। ହେଲେ, ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ସକାରାତ୍ମକ ପଦକ୍ଷେପ ନିଆଯିବା ନେଇ ଆଶଙ୍କା ରହିଛି। ଏପଟେ ମୁଖ୍ୟମନ୍ତ୍ରୀ ଓ ଓଡ଼ିଶାର ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଭେଟିବା ପାଇଁ ସମୟ ଦେବାକୁ ଅନୁରୋଧ କରାଯାଇଥିଲେ ହେଁ ତାହାର ବି ଉତ୍ତର ମିଳିନାହିଁ। ଏଭଳି ସ୍ଥିତିରେ ପୂର୍ବ ଘୋଷଣା ଅନୁଯାୟୀ ଆସନ୍ତା ୮ ଜୁଲାଇରେ ସଂକଳ୍ପ ଦିବସ ପାଳନ ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ସ୍ଥାପନ ପାଇଁ ଦୀର୍ଘଦିନ ଧରି ଦାବି ହୋଇଆସୁଛି। ଏପରିକି, ପଶ୍ଚିମ ଓଡ଼ିଶାର ଆଇନଜୀବୀ ସଂଘ ଓ ଜନସାଧାରଣ ବି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଗତ ମେ ମାସରେ କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ଘଟଣା ଏହାକୁ ପୁଣିଥରେ ଉଜ୍ଜୀବିତ କରିଥିଲା। କେନ୍ଦ୍ର ଆଇନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଆବଶ୍ୟକ ପରାମର୍ଶ ନେଇ ହାଇକୋର୍ଟ ବେଞ୍ଚ୍ ସ୍ଥାପନ ନେଇ ଭିତ୍ତିଭୂମି, ବିଚାରପତି ଓ କର୍ମଚାରୀମାନଙ୍କ ରହଣି ବ୍ୟବସ୍ଥା ଆଦି ସଂକ୍ରାନ୍ତରେ ବିସ୍ତୃତ ଭାବେ ଜଣାଇବାକୁ କହିଥିଲେ। ତେବେ, ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଏହାକୁ ବିରୋଧ କରାଯିବାରୁ ପଶ୍ଚିମ ଓଡ଼ିଶାରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏପରିକି, ହାଇକୋର୍ଟ ଓକିଲ ସଂଘ ବିରୋଧରେ ବିଭିନ୍ନ ସ୍ଥାନରେ ସଭାସମିତି ବି କରାଯାଇଥିଲା। ଗତ ୨୮ ମେରେ ସମ୍ବଲପୁରରେ ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି(ସିଏସି) ବୈଠକରେ ରାଜ୍ୟ ସରକାରଙ୍କୁ ଏ ନେଇ ୩୦ ଜୁନ୍ ପର୍ଯ୍ୟନ୍ତ ମହଲତ ଦେବାକୁ ସ୍ଥିର ହୋଇଥିଲା। ମାତ୍ର, ଏହାର କଣ୍ଟ ପୂରିଯାଇଥିଲାବେଳେ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି।
ଏ ସମ୍ପର୍କରେ ସିଏ୍ସିର ସଂପାଦକ ବିଜିତେନ୍ଦ୍ରୀୟ ପ୍ରଧାନ କହିଛନ୍ତି ଯେ ହାଇକୋର୍ଟ ଓକିଲ ସଂଘର ବିରୋଧ ଓ ବାହ୍ୟ ଚାପରେ ପ୍ରଭାବିତ ନହୋଇ ଲୋକଙ୍କ ନ୍ୟାୟିକ ଆବଶ୍ୟକତା ପୂରଣ ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କାର୍ଯ୍ୟକ୍ଷମ କରିବା ପାଇଁ ଯଥାଶୀଘ୍ର ମତାମତ ପ୍ରଦାନ କରିବାକୁ ମୁଖ୍ୟ ବିଚାରପତିଙ୍କୁ ଅନୁରୋଧ କରାଯାଇଥିଲା। ଏଥିସହିତ ଏହି ପ୍ରସଂଗରେ ଆଲୋଚନା ନିମନ୍ତେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତିଙ୍କୁ ସମୟ ଦେବାକୁ ବି ଅନୁରୋଧ କରାଯାଇଥିଲା। ମାତ୍ର, ଏପର୍ଯ୍ୟନ୍ତ ଆଲୋଚନା ପାଇଁ ସମୟ ମିଳିନାହିଁ। ତେଣୁ, ଆସନ୍ତା ୮ ତାରିଖ ଦିନ ସଂକଳ୍ପ ଦିବସ ପାଳନ ପରିପ୍ରେକ୍ଷୀରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଓକିଲ ସଂଘର ସଭ୍ୟମାନେ ଶୋଭାଯାତ୍ରାରେ ବାହାରି ନିଜ ନିଜ ଅଂଚଳର ତହସିଲଦାର, ଉପଜିଲ୍ଲାପାଳ, ଜିଲ୍ଲାପାଳ ଓ ଆର୍ଡିସିଙ୍କ ଜରିଆରେ ରାଜ୍ୟପାଳ ଦାବିପତ୍ର ଦେବେ। ଏହାପରେ ସ୍ଥିତି ସମୀକ୍ଷା କରି ଆନ୍ଦୋଳନର ପରବର୍ତ୍ତୀ ରୂପରେଖ ପ୍ରସ୍ତୁତ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ୧୯୫୯ ମସିହାରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ମୂଳଦୂଆ ପଡ଼ିଥିଲା। ୨୦୦୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ସଂପର୍କରେ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ପତ୍ର ଦେଇଥିଲେ। ହାଇକୋର୍ଟ ମୁଖ୍ୟ ବିଚାରପତି କିନ୍ତୁ ଏନେଇ ମନା କରିବାପରେ ୧୧ ମାର୍ଚ ୨୦୦୮ରେ ସରକାରଙ୍କ ପାଲ୍ କମିସନ ଗଠନ କରିଥିଲେ। ଗତ ୨୮ ସେପ୍ଟେମ୍ବର ୨୦୧୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟରେ ସ୍ଥାୟୀ ବେଞ୍ଚ ସ୍ଥାପନ ସକାଶେ ତତ୍କାଳୀନ କେନ୍ଦ୍ରର ୟୁପିଏ ସରକାରଙ୍କୁ ଚିଠି ଲେଖିଥିଲେ। ୟୁପିଏ ସରକାର ସମୟରେ ତତ୍କାଳୀନ କେନ୍ଦ୍ର ଆଇନ ମନ୍ତ୍ରୀ ପୁଣି ଓଡ଼ିଶା ସରକାରଙ୍କୁ ପତ୍ର ଲେଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/law-aa.jpg)