କଟକ: ସରକାରୀ ଜମିରୁ ଜବରଦଖଲ ଓ ଏହାର ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରସଙ୍ଗକୁ ସରକାର ପ୍ରାଥମିକତା ଦେଉଛନ୍ତି। ସରକାରୀ ଜମିରୁ ବେଆଇନ ଜବରଦଖଲ ଉଚ୍ଛେଦ ପାଇଁ ଫଳପ୍ରଦ ପଦକ୍ଷେପ ନିଆଯାଉଛି ବୋଲି ସରକାରଙ୍କ ତରଫରୁ ହାଇକୋର୍ଟରେ ଦର୍ଶାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରୀଶ ଟଣ୍ଡନ ଓ ଜଷ୍ଟିସ୍‌ ଏମ୍‌.ଏସ୍‌.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଯାଜପୁରଜିଲ୍ଲା ଦର୍ପଣ ତହସିଲ ଅଞ୍ଚଳରେ ସରକାରୀ ଜମିରେ ଥିବା ରାସ୍ତା ଜବରଦଖଲ କରାଯାଇଥିବା ଅଭିଯୋଗ ନେଇ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ଏପରି ନୀତିଗତ ନିଷ୍ପତ୍ତି ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ତରଫରୁ ଅବଗତ କରାଯାଇଥିଲା। ଅତିରିକ୍ତ ସରକାରୀ ଓକିଲ (ଏଜିଏ) ଦେବାଶିଷ ତ୍ରିପାଠୀ ଦର୍ଶାଇଥିଲେ ଯେ ସରକାରୀ ଜମି ଜବରଦଖଲ ପ୍ରସଙ୍ଗରେ ଶୂନ୍ୟ ସହନଶୀଳ ନୀତି ଅବଲମ୍ବନ କରୁଛନ୍ତି ରାଜ୍ୟ ସରକାର। ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ଓ ଏହାର ନିରାକରଣ ପାଇଁ ସରକାର ନୂଆ ନୀତି ପ୍ରଣୟନ କରିଛନ୍ତି। ଆକ୍ସନ ପ୍ଲାନ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

Advertisment

ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ସବୁ ଜିଲ୍ଲାପାଳଙ୍କୁ ଅଗଷ୍ଟ ୨୨ରେ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ନିର୍ଦ୍ଦେଶନାମା ଓ ଏହା ସହିତ ସଂଲଗ୍ନ ଆକ୍ସନ ପ୍ଲାନ୍‌ର କପି ଏଜିଏ ହାଇକୋର୍ଟରେ ଉପସ୍ଥାପନ କରିଥିଲେ। ଏଥିରେ ଉଲ୍ଲେଖ କରାଯାଇଥିଲା ଯେ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ଓ ଏହାର ସୁରକ୍ଷା ପ୍ରସଙ୍ଗରେ ବିଭାଗ ତରଫରୁ ପୂର୍ବରୁ ୨୦୨୪, ଜୁଲାଇ ୬ ଓ ସେପ୍ଟେମ୍ବର ୨୫ରେ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। କିନ୍ତୁ ବହୁ ପରିମାଣର ସରକାରୀ ଜମି ଜବରଦଖଲରେ ରହିଥିବା ଜଣାପଡ଼ିଥିଲା। ତେଣୁ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଜବରଦଖଲରେ ରହିଥିବା ସରକାରୀ ଜମିର ଚିହ୍ନଟ ଓ ଉଚ୍ଛେଦ ପାଇଁ ରାଜସ୍ବ କର୍ତ୍ତୃପକ୍ଷଙ୍କ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ବାରୋପ କରାଯାଇଥିଲା। ସହରାଞ୍ଚଳ, ଅର୍ଦ୍ଧସହରାଞ୍ଚଳ, ବାଣିଜ୍ୟିକ ଦୃଷ୍ଟିରୁ ଉନ୍ନତ ବା ଉଦ୍ୟୋଗ ବିକଶିତ ଅଞ୍ଚଳରେ ଥିବା ସରକାରୀ ଜମିର ସୁରକ୍ଷାକୁ ପ୍ରାଥମିକତା ଦେଇ ବାଡ଼ ନିର୍ମାଣ କରିବା ଓ ଫଳକ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କ୍ଷେତ୍ରସ୍ତରୀୟ ରାଜସ୍ବ କର୍ତ୍ତୃପକ୍ଷ ଆକ୍ସନ ପ୍ଲାନ୍‌ କଡ଼ାକଡ଼ି ପାଳନ କରିବା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଥିଲା।

ଏଥି ସହିତ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ‌‌ଯେ ଆବେଦନକାରୀଙ୍କ ଅଭିଯୋଗ ଆଧାରରେ ଦର୍ପଣ ତହସିଲ ଅଞ୍ଚଳରେ ତଦନ୍ତ କରାଯିବା ପରେ ଜବରଦଖଲ ହୋଇଥିବା ସ୍ପଷ୍ଟ ହୋଇଥିଲା। ସରକାରୀ ଜମି ଜବରଦଖଲମୁକ୍ତ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଯଥା ଶୀଘ୍ର ଏହି ପ୍ରକ୍ରିୟା ସଂପୂର୍ଣ୍ଣ କରିବାକୁ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ସୁଦର୍ଶନ ସାମଲ ଓ ଅନ୍ୟମାନଙ୍କ ତରଫରୁ ଦାୟର ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ କପିଳ ଚରଣ ନାୟକ ଓ ସରକାରଙ୍କ ପକ୍ଷରୁ ଏଜିଏ ଦେବାଶିଷ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।