କଟକ: ଜାନୁଆରି ୧୭ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ବନ୍ଦ ରହିବ। ରାଜ୍ୟରେ କରୋନା ସଂକ୍ରମଣ ଅପ୍ରତ୍ୟାଶିତ ଭାବେ ବଢିବା ସହିତ ହାଇକୋର୍ଟରେ ବହୁ କର୍ମଚାରୀ କରୋନା ଆକ୍ରାନ୍ତ ହେବା ଘଟଣାକୁ ବିଚାରକୁ ନିଆଯାଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି। ଜାନୁଆରି ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟକୁ ସଂପୂର୍ଣ୍ଣ ଭାବେ ସଟ୍ ଡାଉନ କରାଯାଇଛି। ଏ ନେଇ ଆଜି ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାନୁଆରି ୧୮ରୁ ହାଇକୋର୍ଟ କାର୍ଯ୍ୟାଳୟରେ ପୁଣି କାର୍ଯ୍ୟ ଆରମ୍ଭ ହେବ। ବିଭିନ୍ନ ଖଣ୍ଡପୀଠରେ ଜାନୁଆରି ୧୩ ଓ ୧୭ ତାରିଖରେ ମାମଲା ଶୁଣାଣି ପାଇଁ ପୂର୍ବରୁ ପ୍ରକାଶିତ ବିଜ୍ଞପ୍ତି ବାତିଲ କରାଯାଇଛି।

Advertisment

ଜାନୁଆରି ୧୮ରୁ ଫେବ୍ରୁଆରି ୪ ତାରିଖ ପର୍ଯ୍ୟନ୍ତ ସୀମିତ ଖଣ୍ଡପୀଠରେ ମାମଲା ଶୁଣାଣି କରାଯିବ। ଏହି ଅବଧିରେ ବେଳେ ଦୁଇଟି ଦୁଇ ଜଣିଆ ଖଣ୍ଡପୀଠ ଓ ସାତଟି ଜଣିକିଆ ଖଣ୍ଡପୀଠରେ କେବଳ ଅତି ଜରୁରୀ ମାମଲା ଗୁଡିକର ଶୁଣାଣି ହେବ। ଯେଉଁ ମାମଲା ଗୁଡିକ ନିର୍ଦ୍ଦିଷ୍ଟ ଭାବେ ଜାନୁଆରି ୧୮ରୁ ଫେବ୍ରୁଆରି ୪ ଭିତରେ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା, ସେ ଗଡିକ ଫେବ୍ରୁଆରି ୭ ତାରିଖରୁ ଶୁଣାଣି ପାଇଁ ତାଲିକାଭୁକ୍ତ ହେବ। ଜାନୁଆରି ୧୩ରେ ଅନୁଷ୍ଠିତ ହେବାକୁ ଥିବା ଫୁଲ କୋର୍ଟ ରେଫରେନ୍ସ ଜାନୁଆରି ୧୮ ତାରିଖ ଦିନ ୨ଟାରେ ଅନୁଷ୍ଠିତ ହେବ। କରୋନା ସ୍ଥିତିକୁ ନେଇ ହାଇକୋର୍ଟ ପକ୍ଷରୁ ଏକ ଏସଓପି ମଧ୍ୟ ଜାରି କରାଯାଇଛି। କରୋନା ମୁକାବିଲା ପାଇଁ ସମସ୍ତେ ସହଯୋଗ କରିବା ସହିତ ଜାରି କରାଯାଇଥିବା ଏସଓପି ପାଳନ ପାଇଁ ବିଜ୍ଞପ୍ତିରେ ନିବେଦନ କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ମଧ୍ୟ କରୋନା ସଂକ୍ରମଣ ସ୍ଥିତି ଯୋଗୁଁ ହାଇକୋର୍ଟ ଏଭଳି ଭାବେ କିଛି ଦିନ ପାଇଁ ବନ୍ଦ ରହିଥିଲା।