କଟକ : ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ବନ୍ଦ ରହିବ। କଟକ ସହରରେ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ସଟ୍ଡାଉନ୍ ଅବଧି ବୃଦ୍ଧି ନେଇ ଘୋଷଣା କରାଯାଇଥିବା ବେଳେ ଜୁଲାଇ ୯ ଓ ୧୦ ତାରିଖ ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ବନ୍ଦ ରହିବ। ସିଏମ୍ସି ପକ୍ଷରୁ ଜୁଲାଇ ୭ରେ ସଟ୍ଡାଉନ୍ ଅବଧି ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ନେଇ ଜାରି କରାଯାଇଥିବା ନିର୍ଦ୍ଦେଶନାମାକୁ ବିଚାରକୁ ନେଇ ହାଇକୋର୍ଟ ପକ୍ଷରୁ ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଏପରି ପରିସ୍ଥିତିରେ ଚଳିତ ସପ୍ତାହ ପାଇଁ ପ୍ରକାଶ ପାଇଥିବା ବେଞ୍ଚ୍ କନ୍ଷ୍ଟିଚ୍ୟୁସନ୍, ଆସାଇନ୍ମେଣ୍ଟ ଓ କଜ୍ ଲିଷ୍ଟ୍ ସବୁ ସ୍ଥଗିତ (ସସ୍ପେଣ୍ଡ) ରଖାଯାଇଛି ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଜୁଲାଇ ୧୩ରୁ ଆରମ୍ଭ ହେଉଥିବା ସପ୍ତାହ ପାଇଁ ବେଞ୍ଚ କନ୍ଷ୍ଟିଚ୍ୟୁସନ୍, ଆସାଇନ୍ମେଣ୍ଟ ଓ କଜ୍ ଲିଷ୍ଟ୍ ସଂପର୍କିତ ବିଜ୍ଞପ୍ତି ଜୁଲାଇ ୧୧ରେ ପ୍ରକାଶ ପାଇବ।
ଏଠାରେ ସୂଚନା ଯୋଗ୍ୟ, ପୂର୍ବରୁ ସିଏମସି ପକ୍ଷରୁ କଟକ ସହରରେ ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ସଟ୍ଡାଉନ୍ ରହିବ ବୋଲି କରାଯାଇଥିବା ଘୋଷଣାକୁ ବିଚାରକୁ ନେଇ ହାଇକୋର୍ଟ ପକ୍ଷରୁ ଜୁଲାଇ ୬ରୁ ୮ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ବନ୍ଦ ରଖିବା ନେଇ ଜୁଲାଇ ୪ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।