କଟକ : ଜୟପାଟଣାର ଇନ୍ଦ୍ରାବତୀ ମହାବିଦ୍ୟାଳୟ ଓ ନବରଙ୍ଗପୁରର ଇନ୍ଦ୍ରାବତୀ ପ୍ରୋଜେକ୍ଟ କଲେଜର ଅଧ୍ୟାପକ ଓ କର୍ମଚାରୀଙ୍କ ପକ୍ଷରୁ ଅାଗତ ଅଦାଲତ ଅବମାନନା ମାମଲାରେ ଉଚ୍ଚଶିକ୍ଷା ସଚିବଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ହାଇକୋର୍ଟ ସଚିବଙ୍କୁ ଭତ୍ସନା କରିବା ସହିତ କାରଣ ଦର୍ଶାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ହାଇକୋର୍ଟଙ୍କ ୨୦୧୫, ଏପ୍ରିଲ ୧୬ର ନିର୍ଦ୍ଦେଶ ଜାଣିଶୁଣି ଉଲ୍ଲଂଘନ କରିଥିବାରୁ କାହିଁକି ତାଙ୍କୁ କଣ୍ଟେମଟ୍ ଅଫ୍ କୋର୍ଟସ୍ ଆଇନରେ ଉପଯୁକ୍ତ ଭାବେ ଦଣ୍ଡିତ କରା ନଯିବ ସେ ନେଇ ସଚିବ ଏପ୍ରିଲ ୨୦ ପୂର୍ବରୁ କାରଣ ଦର୍ଶାଇବେ। ଏହାପରେ ଏ ସଂପର୍କିତ ଅଦାଲତ ଅବମାନନା ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୨ରେ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ବାରମ୍ବାର ସୁଯୋଗ ଦେବା ପରେ ମଧ୍ୟ ଅଦାଲତଙ୍କ ଆଦେଶ କାର୍ଯ୍ୟକାରୀ କରାଯାଉ ନଥିବାରୁ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଭଳି ଉଚ୍ଚ ପଦବିରେ ଥିବା ଜଣେ ଅଧିକାରୀ ଅଦାଲତଙ୍କ ନିର୍ଦ୍ଦେଶ ପ୍ରତି ସ୍ବଳ୍ପ ସମ୍ମାନ ପ୍ରଦର୍ଶନ କରୁଛନ୍ତି ଓ ଲଗାତାର ଅଣ୍ଡରଟେକିଂ ପରେ ମଧ୍ୟ ଅଦାଲତ ପ୍ରଦାନ କରୁଥିବା ଆଦେଶ ଜାଣିଶୁଣି ଅବଜ୍ଞା କରୁଛନ୍ତି, ଯାହା ଅଦାଲତ ଅବମାନନା ବୋଲି ହାଇକୋର୍ଟ କହିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ୧୯୯୪ ଗ୍ରାଣ୍ଟ୍-ଇନ୍-ଏଡ୍ ଅନୁସାରେ ଦରମା ଓ ଅନ୍ୟାନ୍ୟ ପ୍ରାପ୍ୟ ପ୍ରଦାନ ପ୍ରସଂଗକୁ ନେଇ ୨୦୧୦ରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୧୫, ଏପ୍ରିଲ ୧୬ରେ ହାଇକୋର୍ଟ ମାମଲାର ଶୁଣାଣି କରି ଆବେଦନକାରୀଙ୍କ ଦାବି ପ୍ରସଂଗରେ ବିଚାର କରି ନିଷ୍ପତ୍ତି ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେବାରୁ ଆବେଦନକାରୀ ଅଦାଲତ ଅବମାନନା ମାମଲା ଦାୟର କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ ମାମଲା ପରିଚାଳନା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/Odisha_high_court.jpg)