ଅଦାଲତ ଅବମାନନା ମାମଲା; ହାଇକୋର୍ଟଙ୍କ ଅସନ୍ତୋଷ; ଉଚ୍ଚଶିକ୍ଷା ସଚିବ ଓ ନିର୍ଦ୍ଦେଶକଙ୍କୁ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ

କଟକ: ଅଦାଲତଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ପ୍ରସଂଗରେ ଉଚ୍ଚଶିକ୍ଷା ବିଭାଗର ଅବହେଳା ଓ ବିଳମ୍ବ ପ୍ରସଂଗକୁ ନେଇ ହାଇକୋର୍ଟ ଆଜି ଅସନ୍ତୋଷବ୍ୟକ୍ତ କରିଛନ୍ତି। ତିନି ଦିନ ଭିତରେ ୨୦୧୮, ଜୁଲାଇ ୬ର ନିର୍ଦ୍ଦେଶ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବାକୁ ଉଚ୍ଚଶିକ୍ଷା ସଚିବ ଓ ନିର୍ଦ୍ଦେଶକଙ୍କୁ ଆଜି ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ନଭେମ୍ବର ୯ ତାରିଖ ଦିନ ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ଉଚ୍ଚଶିକ୍ଷା ସଚିବ ଓ ନିର୍ଦ୍ଦେଶକଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ବାଙ୍କୀ ସ୍ବୟଂଶାସିତ କଲେଜର ପ୍ରାଧ୍ୟାପକ ବସନ୍ତ କୁମାର ସାହୁଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ୟୁଜିସି ସ୍କେଲ ଦରମା ପ୍ରସଂଗ ନେଇ ଆବେଦନକାରୀ ୧୯୯୯ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୧୮, ଜୁଲାଇ ୬ରେ ହାଇକୋର୍ଟ ମାମଲାର ଶୁଣାଣି କରି ଆବେଦନକାରୀଙ୍କୁ ୟୁଜିସି ସ୍କେଲ ଆଧାରରେ ସଂଶୋଧିତ ଦରମା ଓ ବକେୟା ପ୍ରାପ୍ୟ ଏକ ମାସ ଭିତରେ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ପାଳନରେ ଅବହେଳା ଅଭିଯୋଗ କରି ଆବେଦନକାରୀ ୨୦୧୯ରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ।

୨୦୧୯, ଫେବ୍ରୁଆରି ୨୦ରେ ହାଇକୋର୍ଟ ଅଦାଲତ ଅବମାନନା ମାମଲାର ଶୁଣାଣି କରି ପୂର୍ବ ନିର୍ଦ୍ଦେଶ ୩ ମାସ ଭିତରେ କାର୍ଯ୍ୟକାରୀ କରିବାକୁ ଉଚ୍ଚଶିକ୍ଷା ସଚିବ ଓ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ନିର୍ଦ୍ଧାରିତ ସମୟସୀମା ଭିତରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇ ନଥିଲା। ଏହାପରେ ପୁଣି ଆବେଦନକାରୀ ଦ୍ବିତୀୟ ଥର ପାଇଁ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ମାମଲାର ଶୁଣାଣି କରି ହାଇକୋର୍ଟ ୨୦୧୯, ଡିସେମ୍ବର ୧୨ରେ ଉଚ୍ଚଶିକ୍ଷା ସଚିବ ଓ ନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲେ। କିନ୍ତୁ ଏହା ପରେ ମଧ୍ୟ ଉଭୟ ଅଧିକାରୀ ମାମଲାର ଶୁଣାଣି ସମୟରେ ପକ୍ଷ ରଖି ନଥିଲେ।

ଅକ୍ଟୋବର ୨୧ରେ ହାଇକୋର୍ଟ ମାମଲାର ଶୁଣାଣି କରି ନଭେମ୍ବର ୩ରେ ଉଚ୍ଚଶିକ୍ଷା ସଚିବ ଓ ନିର୍ଦ୍ଦେଶକଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନି‌େର୍ଦ୍ଦଶ ଦେଇଥିଲେ। ପୂର୍ବ ନିର୍ଦ୍ଦେଶ ପାଳନ କରି ଆଜି ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଅଶ୍ବିନୀ କୁମାର ମିଶ୍ର ବ୍ୟକ୍ତିଗତ ଭାବେ ହାଜର ହୋଇ ସତ୍ୟପାଠ ଦାଖଲ କରିଥିଲେ। ଅନ୍ୟପକ୍ଷରେ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ବ୍ୟକ୍ତିଗତ ଭାବେ ହାଜର ନ ହୋଇ ଏଥିରୁ ଛାଡ଼ ପାଇବା ପାଇଁ ଏକ ପିଟିସନ୍ ଦାଖଲ କରିଥିଲେ। ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର କୁଳପତି ଚୟନ ପାଇଁ ତିନି ଜଣିଆ କମିଟି ଗଠନ କରାଯାଇଥିବା ବେଳେ ତାଙ୍କୁ ଏହାର ଆବାହକ ଭାବେ ନିଯୁକ୍ତି ଦିଆଯାଇଛି। ନଭେମ୍ବର ୩ ତାରିଖ ଦିନ ଚୟନ କମିଟି ପକ୍ଷରୁ ପ୍ରାର୍ଥୀମାନଙ୍କ ସାକ୍ଷାତକାର ନେବା ପାଇଁ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ଆବାହକ ଭାବେ ତାଙ୍କୁ ଏହି ସମୟରେ ଉପସ୍ଥିତ ରହିବାକୁ ପଡିବ ବୋଲି ଆବେଦନରେ ଶ୍ରୀ ମିଶ୍ର ଦର୍ଶାଇଥିଲେ। ଉଚ୍ଚଶିକ୍ଷା ସଚିବ ଓ ନିର୍ଦ୍ଦେଶକ ପୃଥକ ଭାବେ ଦାଖଲ କରଥିବା ଆବେଦନ ଓ ସତ୍ୟାପାଠରେ ଉଲ୍ଲେଖ କରାଯାଇଥିଲା ଯେ ଆବେଦନକାରୀଙ୍କୁ ଇତି ମଧ୍ୟରେ ୨୦ ଲକ୍ଷ ଟଙ୍କା ବକେୟା ଦରମା ପ୍ରଦାନ କରାଯାଇଛି।

ଅବଶିଷ୍ଟ ହିସାବ ପରେ ଖୁବ୍ ଶୀଘ୍ର ପ୍ରଦାନ କରାଯିବ। ଅଦାଲତଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀରେ କିଛି ବିଳମ୍ବ ହୋଇଛି ବୋଲି ଉଭୟ ଅଧିକାରୀ ସତ୍ୟପାଠରେ ସ୍ବୀକାର କରିବା ସହିତ ଏଥି ପାଇଁ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ। ଅନ୍ୟପକ୍ଷରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରାଯାଇ ନାହିଁ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପୁରୁଷୋତ୍ତମ ଚୁଳି ଓ ପ୍ରିୟମ୍ବଦା ନାଥ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର