ମହିଳା ଅଭିଯୁକ୍ତଙ୍କୁ ବେଆଇନ ଅଟକ ରଖିବା ମାମଲା: ପୀଡ଼ିତାଙ୍କୁ ୧ଲକ୍ଷ କ୍ଷତିପୂରଣ ଦେବାକୁ ‌ହାଇକୋର୍ଟଙ୍କ ନିର୍ଦ୍ଦେଶ

ଥାନା ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ

ଖୋର୍ଦ୍ଧା: ଖୋର୍ଦ୍ଧା ଗୋପୀନାଥ ସାହିର ଜଣେ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିବାର ୨୪ ଘଣ୍ଟା ମଧ୍ୟରେ କୋର୍ଟ ଚାଲାଣ ନକରି ବେଆଇନ ଭାବେ ୨୦ ଦିନ ଅଟକ ରଖିଥିଲେ। ଏନେଇ ଦାଖଲ ଏକ ରିଟ୍‌ ଆବେଦନର ବିଚାର କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କୁ ନେଇ ଖଣ୍ଡପୀଠ ପୁରୀ ବାସେଳି ସାହି ଥାନାର ଭାରପ୍ରାପ୍ତ ଅଧିକାରୀଙ୍କ ବିରୋଧରେ ୬ ମାସ ମଧ୍ୟରେ ବିଭାଗୀୟ ତଦନ୍ତ ଶେଷ କରିବା ସହ ଉପଯୁକ୍ତ ପଦକ୍ଷେପ ଦେବାକୁ  ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ପୀଡ଼ିତାଙ୍କୁ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାରୁ ମିଳିଥିବା ତଥ୍ୟାନୁସାରେ, ଏକ ବ୍ରାଉନସୁଗାର ମାମଲାରେ ବାସେଳୀ ସାହି ପୁଲିସ ୧୦ ଅକ୍ଟୋବର ୨୦୨୦ରେ ସ୍ନେହଲତା ପ୍ରଧାନ ଓରଫ ରୂପା ଓ ୧୪ ତାରିଖରେ ରୂପାଙ୍କ ଦିଅର ଧନେଶ୍ବର ପ୍ରଧାନଙ୍କୁ ବାସେଳୀ ସାହି ପୁଲିସ ଗିରଫ କରିଥିଲା। ଗିରଫ କରିବାର ୨୪ ଘଣ୍ଟା ମଧ୍ୟରେ କୋର୍ଟରେ ହାଜର କରିବା ନିୟମ ରହିଥିଲେ ମଧ୍ୟ ପୁଲିସ ଏହା କରିନଥିଲା। ଏନେଇ ସ୍ନେହଲତାଙ୍କ ପତି ବୃନ୍ଦାବନ ପ୍ରଧାନ ଖୋର୍ଦ୍ଧା ଏସ୍‌ଡିଜେଏମ୍‌ ଓ ରାଜ୍ୟମାନବିଧିକାର ଆୟୋଗ ନିକଟରେ ଆବେଦନ କରିଥିଲେ। ଖୋର୍ଦ୍ଧା ଏସ୍‌ଡିଜେଏମ୍‌ ମାମଲାକୁ ଗ୍ରହଣ କରି ବାସେଳୀ ସାହି ଥାନା, ଖୋର୍ଦ୍ଧା ଟାଉନ ଥାନା, ଖୋର୍ଦ୍ଧା ଏସ୍‌ପି ଓ ପୁରୀ ଏସ୍‌ପିଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ବାସେଳୀ ସାହି ପୁଲିସ ଏଭଳି କୌଣସି ବ୍ୟକ୍ତିଙ୍କୁ ଗିରଫ କରାଯାଇନାହିଁ ବୋଲି କହିଥିଲେ। ଏହାପରେ ଆଇନଜୀବୀ ରୋହିତ ରଞ୍ଜନ ରାୟଙ୍କ ସହାୟତାରେ ବୃନ୍ଦାବନ ଉଚ୍ଚ ନ୍ୟାୟାଳୟରେ ଏକ ବନ୍ଦୀ ପ୍ରତ୍ୟକ୍ଷୀକରଣ (ହେବିୟସ୍‌ କର୍ପସ) ରିଟ୍‌ ଆବେଦନ (୧୧୨/୨୦୨୦)କରିଥିଲେ।

ଏହି ଆବେଦନ ଗ୍ରହଣ ହେବା ପରେ ତରବରିଆ ଭାବେ ୩୦ ଅକ୍ଟୋବର ୨୦୨୦ରେ ବାସେଳୀ ସାହି ଥାନା ପରିବର୍ତେ ସତ୍ୟବାଦୀ ଥାନାପୁଲିସ  ୩୬୪/୨୦୨୦ରେ ମାମଲା ରୁଜୁ କରି ୩୧ ଅକ୍ଟୋବର ୨୦୨୦ରେ କୋର୍ଟ ଚାଲାଣ କରିଥିଲେ। କୋର୍ଟରେ ଜାମିନ ଅଗ୍ରାହ୍ୟ ହୋଇଯିବା ପରେ ଜେଲ୍‌ ହାଜତକୁ ପଠାଇଦିଆଯାଇଥିଲା। ପରବର୍ତୀ ସମୟରେ, ୧୧ ଜୁଲାଇ ୨୦୨୨ରେ ଉଚ୍ଚ ନ୍ୟାୟାଳୟ ମାମଲାର ଶୁଣାଣି କରି ପୁଲିସ ଆଇଜିଙ୍କୁ ମାମଲାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୁଲିସ ଆଇଜି ତଦନ୍ତ ମାମଲାର ତଦନ୍ତ କରିଥିଲେ। ତଦନ୍ତ ବେଳେ ସ୍ନେହଲତା ନିଜ ବୟାନରେ କହିଥିଲେ ଯେ ବାସେଳୀ ସାହି ଥାନାର ଭାରପ୍ରାପ୍ତ ଅଧିକାରୀ ଜୀବନାନନ୍ଦ ଜେନା ତାଙ୍କୁ ନେଇ ଭୁବନେଶ୍ବର ରବି ଟାକିସ ନିକଟ ନୀଳମାଧବ ଆପର୍ଟମେଣ୍ଟର ଭଡ଼ାଘରକୁ ନେଇଥିଲେ। ସେଠାରେ ସେ ୧୦ଲକ୍ଷ ଟଙ୍କା ମାଗିଥିଲେ। ସେ (ସ୍ନେହଲତା) ତାଙ୍କୁ ୪ ଲକ୍ଷ ଟଙ୍କା ବାରିପଦାର ଝିଆରି ଦ୍ବାରା ଦେଇଥିଲେ। କିନ୍ତୁ ୩୧ ତାରିଖରେ ତାଙ୍କୁ ସତ୍ୟବାଦୀ ଥାନା ପୁଲିସ ଗରିଫ କରି କୋର୍ଟରେ ହାଜର କରିଥିଲା। ଗିରଫ ଓକୋର୍ଟରେ ହାଜର କରିବାର ୨୦ ଦିନ ମଧ୍ୟରେ ତାଙ୍କୁ ବାସେଳୀ ସାହି ଥାନା​ର ଭାରପ୍ରାପ୍ତ ଅଧିକାରୀ ଶ୍ରୀଜେନା ତାଙ୍କୁ ଅ​କଥନୀୟ ନିର୍ଯାତନା ଦେଇଥିଲେ। ପୁଲିସ ଆଇଜି ମଧ୍ୟ ନିଜ ତଦନ୍ତ ରିପୋର୍ଟରେ ସ୍ନେହଲତା ଓ ଅନ୍ୟ ଦୁଇ ସାକ୍ଷୀଙ୍କ ବୟାନ ବ୍ୟତୀତ ଅନ୍ୟ କୌଣସି ପ୍ରମାଣ ନାହିଁ ଦର୍ଶାଇ ବୋଲି ଅଭିଯୋଗକୁ ହାଲ୍‌କା କରିବାକୁ ଚେଷ୍ଟା କରିଥିଲେ। ପରବର୍ତୀ ସମୟରେ ବୃନ୍ଦାବନଙ୍କ ଓକିଲ ଜେଲ୍‌ ହାଜର ଡାକ୍ତର ରିପୋର୍ଟ ଆଧାରରେ ନିର୍ଯାତନା ଦିଆଯାଇଥିବା କଥା ପ୍ରମାଣିତ କରିଥିଲେ।

ଉଭୟ ପକ୍ଷର ସାକ୍ଷୀ ଓ ବାବଦ ବିବାଦ ପରେ ଚଳିତ ମାସ ୨୧ ତାରିଖରେ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଏସ୍‌ ତାଳପତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଦୁଇଜଣିଆ ଖଣ୍ଡପୀଠ ସ୍ନେହଲତାଙ୍କ ବିରୋଧରେ ମାନବାଧିକାର ଉ​ଲ୍ଲଘଂନ ହୋଇଥିବା, ଥାନାରେ ତାଙ୍କୁ ନିର୍ଯାତନା ଦିଆଯାଇଥିବା ଓ ବେଆଇନ ଅଟକ ରଖାଯାଇଥିବା ଦର୍ଶାଇ ରାୟର ନକଲ ପହଞ୍ଚିବାର ୬ ମାସ ମଧ୍ୟରେ ତଦନ୍ତ କରି ସମ୍ପୃକ୍ତ ବାସେଳୀ ସାହି ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ସ୍ନେହଲତା ଯେଉଁଭଳି ନିର୍ଯାତନାର ଶିକାର ହୋଇଛନ୍ତି ସେଥିପାଇଁ ରାଜ୍ୟ ସରକାର ୧ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର