ଭୁବନେଶ୍ବର/କଟକ: ଗତ ମେ’ ମାସ ଦୁଇ ତାରିଖ ଠାରୁ ଜାତୀୟ ନିରାପତ୍ତା ଆଇନ୍ (ଏନ୍‌ଏସ୍‌ଏ) ବଳରେ ପୁରୀ ଜେଲ୍‌ରେ ଅଟକ ଥିବା ଉପକୂଳିଅ ଜମି ଓ ଜଙ୍ଗଲ ସୁରକ୍ଷା ସମିତିର ଆବାହକ ତଥା ସିପସରରୁବାଲି ଜମି ଆନ୍ଦୋଳନର ନେତା ବଟକୃଷ୍ଣ ସ୍ୱାଇଁଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ମାନ୍ୟବର ଓଡ଼ିଶା ହାଇକୋର୍ଟ ଓଡ଼ିଶା ସରକାର ଓ ପୁରୀ ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ନିରାପତ୍ତା ଆଇନ ବଳରେ ତାଙ୍କର ବେଆଇନ ଅଟକକୁ ଚାଲେଞ୍ଜ କରି ଶ୍ରୀ ସ୍ୱାଇଁଙ୍କ ଦ୍ଵାରା ଓଡ଼ିଶା ହଇକୋର୍ଟରେ ଦାୟର ହୋଇଥିବା କ୍ରିମିନାଲ ରିଟ ପିଟିସନ (ନମ୍ବର ୮୩/୨୦୨୨) ବିଚାର କରି ମାନ୍ୟବର ଜଷ୍ଟିସ ଏସ ତାଳପତ୍ର ଏବଂ ଜଷ୍ଟିସ ସାବିତ୍ରୀ ରଥ ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

Advertisment

ଏଠାରେ ପ୍ରକାଶ ଥାଉକି ବଟକୃଷ୍ଣ ସ୍ୱାଇଁଙ୍କ ନେତୃତ୍ୱରେ ଉପକୂଳିଅ ଜମି ଓ ଜଙ୍ଗଲ ସୁରକ୍ଷା ସମିତି ସିପସରୁବାଲି ଜମିକୁ ସ୍ଥାନୀୟ ଭୂମିହୀନ ଓ ଦଳିତ ପରିବାରକୁ ବାଣ୍ଟିବା ପାଇଁ ଦୀର୍ଘ ବର୍ଷ ଧରି ଦାବି କରି ଆସୁଛନ୍ତି। ମାତ୍ର ସରକାର ଏହି ମୌଜାରେ ଥିବା ସିଲିଂ ଉଦୁବୃତ୍ ଜମି ସମେତ ଗୋଚର ଓ ସର୍ବସାଧାରଣ ଅନାବାଦୀ ଜମିକୁ ଏୟାରପୋର୍ଟ ଓ ହୋଟେଲ ପ୍ରକଳ୍ପ ନାମରେ ଅଧିଗ୍ରହଣ କରି ସ୍ଥାନୀୟ ବାସିନ୍ଦାଙ୍କ ଅଧିକାର ଓ ଦାବିକୁ ଅଣଦେଖା କରି ଆସୁଛନ୍ତି। ଯାହା ବିରୁଦ୍ଧରେ ଶ୍ରୀ ସ୍ବାଇଁଙ୍କ ନେତୃତ୍ୱରେ ସ୍ଥାନୀୟ ବାସିନ୍ଦା ଜନ ଆନ୍ଦୋଳନ କରିଥିବାରୁ ଜିଲ୍ଲା ଓ ରାଜ୍ୟ ପ୍ରଶାସନ ଆକ୍ରୋଶ ମୂଳକ ଭାବେ ଅନେକ ମିଥ୍ୟା କେଶ୍ କରିବା ସହ ଜାତୀୟ ନିରାପତ୍ତା ଆଇନ୍ ଲାଗୁଳରି ଅଟକ ରଖିଛି। ଏହି ବେଆଇନ ଓ ଅଗଣତାନ୍ତ୍ରିକ ଅଟକକୁ ସେତେବେଳେ ରାଜ୍ୟର ବିଭିନ୍ନ ରାଜନୈତିକ ଦଳ, ଗଣ ସଂଗଠନ, ଜନ ଆନ୍ଦୋଳନ ତଥା ବୁଦ୍ଧିଜୀବୀ ନିନ୍ଦା କରିବା ସହ ବିରୋଧ କରିଥିଲେ। ମାତ୍ର ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଜନମତକୁ ବେଖାତିର୍ କରି ଶ୍ରୀ ସ୍ୱାଇଁଙ୍କ ଅଗଣତାନ୍ତ୍ରିକ ଅଟକର ସମୟ ସୀମାକୁ ଲଗାତାର ଭାବେ ବଢାଇ ଚାଲିଥିଲେ।

ହାଇକୋର୍ଟଙ୍କ ଏହି ରାୟ ସିପସରୁବାଲି ଜମି ଅଧିକାର ଆନ୍ଦୋଳନର ଯଥାର୍ଥତାକୁ ପ୍ରତିପାଦନ କରିବା ସହ ସରକାରଙ୍କ ଦମନ ମୂଳକ ନୀତିକୁ ପଦାରେ ପକେଇ ଦେଇଛି ବୋଲି ଉପକୁଳିଆ ଜମି ଓ ଜଙ୍ଗଲ ସୁରକ୍ଷା ସମିତି ସହ ବିଭିନ୍ନ ଜନ ଆନ୍ଦୋଳନ ତରଫରୁ ପ୍ରକାଶ କରା ଯାଇଛି। ଶ୍ରୀ ସ୍ୱାଇଁଙ୍କ ତରଫରୁ ଆଡଭୋକଟେ ପ୍ରଶାନ୍ତ କୁମାର ଜେନା କେଶ ପରିଚାଳନା କରୁଥିଲେ।