କଟକ: ବହୁ ଚର୍ଚ୍ଚିତ ସୁମିତ-ତପସ୍ବିନୀ ମାମଲାର ହାଇକୋର୍ଟ ଆଜି ଶୁଣାଣି କରି ଉଭୟଙ୍କୁ ଏପ୍ରିଲ ୯ରେ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁମିତ ଓ ତପସ୍ବିନୀ ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ୯ ତାରିଖ ଦିନ ହାଜର ହୋଇ ନିଜ ପକ୍ଷ ରଖିବେ। ଏହି ବିବାଦ ଆପୋଷରେ ସମାଧାନର ସମ୍ଭାବନାକୁ ଦୃଷ୍ଟିରେ ରଖି ମଧ୍ୟସ୍ଥତା ପ୍ରକ୍ରିୟାରେ ସାମିଲ ହେବାକୁ ସୁମିତ ଓ ତପସ୍ବିନୀଙ୍କୁ କୁହାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ସମୟରେ ଏ ସମ୍ପର୍କିତ ମଧ୍ୟସ୍ଥତା କେନ୍ଦ୍ର ରିପୋର୍ଟ ହାଇକୋର୍ଟରେ ଦାଖଲ ହେବ। ଏଥି ସହିତ ଆସ୍କାଠାରେ ତପସ୍ବିନୀଙ୍କ ରହିବା ଲାଗି ଭଡାସୂତ୍ରରେ ସୁମିତ ନେଇଥିବା ଘରର ୨ ମିନିଟର ଭିଡିଓ କ୍ଲିପ୍ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘର ବାସପୋଯୋଗୀ ନୁହେଁ। ସୁରକ୍ଷା ଓ ଅନ୍ୟାନ୍ୟ କାରଣରୁ ଏହି ଘର ରହିବା ଯୋଗ୍ୟ ନୁହେଁ ବୋଲି ଆଜି ହାଇକୋର୍ଟରେ ଶୁଣାଣି ସମୟରେ ତପସ୍ବିନୀଙ୍କ ତରଫରୁ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ଏହା ଏକ ବ୍ୟବସ୍ଥିତ ଘର ବୋଲି ସୁମିତଙ୍କ ତରଫରୁ ଦର୍ଶାଯାଇଥିଲା। ହାଇକୋର୍ଟ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣି ଏହି ଘରର ଦୁଇ ମିନିଟର ଭିଡିଓ କ୍ଲିପ୍ ଦାଖଲ ପାଇଁ ପକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ସୁମିତ ସରକାରୀ କ୍ବାର୍ଟର ନେଇଛନ୍ତି ତେଣୁ ତାଙ୍କୁ ସେଠାରେ ରହିବାକୁ ଅନୁମତି ଦିଆଯାଉ ବୋଲି ତପସ୍ବିନୀଙ୍କ ତରଫରୁ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ସରକାରୀ କ୍ବାର୍ଟର ନେବା କଥାକୁ ସୁମିତଙ୍କ ତରଫରୁ ଅସ୍ବୀକାର କରାଯାଇଥିଲା। ସରକାରୀ କ୍ବାର୍ଟର ପ୍ରସଙ୍ଗରେ ସୁମିତଙ୍କୁ ସତ୍ୟପାଠ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁମିତ ସରକାରୀ କ୍ବାର୍ଟର ନେଇଛନ୍ତି କି ନାହିଁ ସେ ନେଇ ସତ୍ୟପାଠରେ ସ୍ପଷ୍ଟ କରିବେ।
ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ତପସ୍ବିନୀଙ୍କୁ ମାସିକ ଭରଣପୋଷଣ ସହିତ ଶ୍ବଶୁରଘରେ ରହିବା ସପକ୍ଷରେ ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍ ଅଦାଲତ ପ୍ରଦାନ କରିଥିବା ରାୟ ବିରୋଧରେ ଡାକ୍ତର ସୁମିତ କୁମାର ସାହୁ ଦାୟର କରିଥିବା ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୩କୁ ଧାର୍ଯ୍ୟ କରାଯାଇଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଫେବ୍ରୁଆରି ୨୨ରେ ହାଇକୋର୍ଟ ମାମଲାର ଶୁଣାଣି କରି ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍ ଅଦାଲତଙ୍କ ଜାନୁଆରି ୪ର ରାୟ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ତପସ୍ବିନୀଙ୍କୁ ମାସିକ ୧୭ ହଜାର ଟଙ୍କା ପରିବର୍ତ୍ତେ ୧୦ ହଜାର ଟଙ୍କା ସୁମିତ ପ୍ରଦାନ କରିବେ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ତପସ୍ବିନୀଙ୍କ ରହିବା ପାଇଁ ଆସ୍କାରେ ଭଡାଘର ବ୍ୟବସ୍ଥା ସୁମିତ କରିବେ ବୋଲି ହାଇକୋର୍ଟ କହିଥିଲେ।
ତପସ୍ବିନୀଙ୍କ ରହିବା ପାଇଁ ସୁମିତ ବିକଳ୍ପ ଘର ବ୍ୟବସ୍ଥା ଏକ ମାସ ଭିତରେ କରିବେ ବୋଲି ସୁମିତ କହିଥିବା ବେଳେ ହାଇକୋର୍ଟ ଏଥି ପାଇଁ ଅନୁମତି ଦେଇଥିଲେ। ବିକଳ୍ପ ଘର ବ୍ୟବସ୍ଥା ପର୍ଯ୍ୟନ୍ତ ସୁମିତଙ୍କ ବ୍ରହ୍ମପୁରସ୍ଥିତ ଘରେ ତପସ୍ବିନୀ ରହିବେ। ସୁମିତଙ୍କ ବୃଦ୍ଧ ବାପା-ମା’ଙ୍କ ପାଇଁ କୌଣସି ପ୍ରକାର ଅସୁବିଧା ସୃଷ୍ଟି ତପସ୍ବିନୀ କରିବେ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ବ୍ରହ୍ମାନଗରସ୍ଥିତ ଶ୍ବଶୁରଘରେ ତପସ୍ବିନୀ ରହିବେ ବୋଲି ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍ ଅଦାଲତ ୨୦୨୨, ଜାନୁଆରି ୪ରେ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ପ୍ରତିମାସ ୧୦ ତାରିଖ ସୁଦ୍ଧା ତପସ୍ବିନୀଙ୍କୁ ୧୭ ହଜାର ଟଙ୍କା ଭରଣପୋଷଣ ବାବଦରେ ସୁମିତ ପ୍ରଦାନ କରିବେ। ତପସ୍ବିନୀଙ୍କ ପ୍ରତି କୌଣସି ପ୍ରକାର ଘରୋଇ ହିଂସା ଆଚରଣ ଯେପରି ନ ହେବ ତାହା ସୁନିଶ୍ଚିତ କରିବାକୁ ଅଦାଲତ କଡ଼ା ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଏହି ନିର୍ଦ୍ଦେଶକୁ ବିରୋଧ କରି ସୁମିତ ହାଇକୋର୍ଟରେ ଆବେଦନ କରିଥିଲେ। ସୁମିତଙ୍କ ତରଫରୁ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ଓ ତପସ୍ବିନୀଙ୍କ ତରଫରୁ ଆଇନଜୀବୀ ମାନସ ଚାନ୍ଦ ମାମଲା ପରିଚାଳନା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/sumit-tapaswini-750x425-1.jpg)