କଟକ: ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାରଙ୍କ ନିର୍ବାଚନକୁ ଚ୍ୟାଲେଞ୍ଜ କରି ମାମଲା ଦାୟର କରିଥିବା ମନୋଜ କୁମାର ପଣ୍ଡାଙ୍କୁ ସୁରକ୍ଷା ପ୍ରଦାନ ପାଇଁ ଏସ୍‌ପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଜି ହାଇକୋର୍ଟରେ ବ୍ରହ୍ମପୁର ବିଧାନସଭା ଆସନ ସଂପର୍କିତ ନିର୍ବାଚନୀ ମକଦ୍ଦମାରେ ଆବେଦନକାରୀ ଶ୍ରୀ ପଣ୍ଡାଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା। ତାଙ୍କୁ ପ୍ରତିପକ୍ଷ ତଥା ବିଧାୟକ କେ.ଅନୀଲ କୁମାରଙ୍କ ତରଫରୁ ଆଇନଜୀବୀ ଜେରା କରିଥିଲେ। ଜେରା ଅସଂପୂର୍ଣ୍ଣ ରହିଥିଲା। ନଭେମ୍ବର ୧୦ରେ ଆବେଦନକାରୀଙ୍କୁ ଅଧିକ ଜେରା ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ଅନ୍ୟପକ୍ଷରେ ଆବେଦନକାରୀ ସାକ୍ଷୀଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ଶ୍ରୀ ପଣ୍ଡାଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଦର୍ଶାଇଥିଲେ। କିଛିଦିନ ତଳେ କେତେକ ଲୋକ ଶ୍ରୀ ପଣ୍ଡାଙ୍କୁ ଅଟକ ରଖିବା ସହିତ ଆକ୍ରମଣ କରିଥିଲେ। ଧମକ ଦେଇଥିଲେ। ଶ୍ରୀ ପଣ୍ଡାଙ୍କ ଜୀବନ ପ୍ରତି ବିପଦ ରହିଛି। ଏ ନେଇ ସତ୍ୟପାଠ ସହିତ ଆବେଦନ ଦାଖଲ କରାଯିବ ବୋଲି ଆବେଦନକାରୀଙ୍କ ତରଫରୁ ଅବଗତ କରାଯାଇଥିଲା। ଏଭଳି ସ୍ଥିତିରେ ସୁରକ୍ଷା ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଦର୍ଶାଇଥିଲେ। ଆବେଦନକାରୀ ସାକ୍ଷୀଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ପ୍ରଦାନ କରିବାକୁ ବ୍ରହ୍ମପୁର ଏସ୍‌ପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ‌‌ଯେପରି କୌଣସି ଅପ୍ରୀତିକର ଘଟଣା ନ ଘଟିବ ତାହା ସୁନିଶ୍ଚିତ କରିବା ସହିତ ଆବେଦନକାରୀଙ୍କୁ ଏସ୍‌ପି ସୁରକ୍ଷା ପ୍ରଦାନ କରି‌ବେ। ଏଥି ସହିତ ବିଏନ୍‌ପୁର ଥାନାରୁ କେତେକ ନିର୍ଦ୍ଦିଷ୍ଟ ରେକର୍ଡ ତଲବ କରିବାକୁ ପ୍ରତିପକ୍ଷଙ୍କ ତରଫରୁ ଦାୟର ଅନ୍ତରୀଣ ଆବେଦନର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୩୧କୁ ହାଇକୋର୍ଟ ଧାର୍ଯ୍ୟ କରିଛନ୍ତି। ଜଷ୍ଟିସ୍‌ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। 

Advertisment

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୪ ନିର୍ବାଚନରେ କେ. ଅନୀଲ କୁମାର ୫୪୯୯୭ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ୩୬୨୮୮ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହି ପରାଜିତ ହୋଇଥିଲେ। ଅଞ୍ଚଳର ଜଣେ ସାଧାରଣ ଭୋଟର ଭାବେ ଶ୍ରୀ ପଣ୍ଡା ବ୍ରହ୍ମପୁର ବିଧାନସଭା ଆସନ ଫଳାଫଳକୁ ଚ୍ୟାଲେଞ୍ଜ କରି ନିର୍ବାଚନୀ ମକଦ୍ଦମା ଦାୟର କରିଥିଲେ।